ତିନି ଶହ ରାମାୟଣ (୫)
ଏହି ପ୍ରବନ୍ଧଟି ଇଂରାଜୀ ଓ କନ୍ନଡ଼ ଭାଷାରେ ଲେଖୁଥିବା ଏ.କେ. ରାମାନୁଜନ (୧୯୨୯-୧୯୯୩) ଙ୍କ ଦ୍ୱାରା ଲିଖିତ କ୍ଲାସିକ ପ୍ରବନ୍ଧ 'ଥ୍ରି ହଣ୍ଡ୍ରେଡ଼୍ ରାମାୟଣାଜ୍'ର ଓଡ଼ିଆ ଅନୁବାଦ । ରାମାନୁଜନଙ୍କର ମୂଳ ଅକାଦେମିକ ଟ୍ରେନିଂ ଭାଷାତତ୍ତ୍ୱରେ ଥିଲେ ମଧ୍ୟ ପରେ ତୁଳନାତ୍ମକ ସାହିତ୍ୟ ଓ ଅନୁବାଦ କ୍ଷେତ୍ରକୁ ତାଙ୍କର ଅବଦାନ ଅତୁଳନୀୟ । ତାମିଲ ସଙ୍ଗମ କୃତି ତଥା କନ୍ନଡ଼ ବଚନମାଳା ଆଦିର ଅଗ୍ରଗାମୀ ଅନୁବାଦ କରି ସେ ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟ ବିଷୟରେ ଆମର ଅବଧାରଣାକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିଥିଲେ । ଏହା ଛଡ଼ା ସେ ଇଂରାଜୀ ଭାଷାରେ ଏକ ପ୍ରଥିତଯଶା କବି ମଧ୍ୟ ଥିଲେ । 'ତିନି ଶହ ରାମାୟଣ' ଶୀର୍ଷକରେ ଏହି ଅନୁଦିତ ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲା ।
ମୂଳ ରଚନା : ଏ. କେ. ରାମାନୁଜନ୍
ଅନୁବାଦ ଚିନ୍ତା
ଏପରି କହିବା ବୋଧହୁଏ ଅତିଶୟୋକ୍ତି ପରି ଲାଗିପାରେ । ମୁଁ ଏହାକୁ ଟିକେ ଭିନ୍ନ ଭାବରେ କହିବି, ଯାହାଫଳରେ ଗ୍ରନ୍ଥମାନଙ୍କ ମଧ୍ୟରେ ପ୍ରଭେଦ ତଥା ସେମାନଙ୍କ ଭିତରେ ଥିବା ସମ୍ପର୍କ, ଏ ଉଭୟ ବିଷୟରେ ଆଲୋଚନା କରିହେବ । କାରଣ ସେମାନେ ସମ୍ପର୍କିତ ନିଶ୍ଚିତ ଭାବରେ । ଆମେ ଏହି ଗ୍ରନ୍ଥଗୁଡ଼ିକୁ ଗୋଟିଏ ଗୋଟିଏ ଅଲଗା ଅଲଗା ଅନୁବାଦର ପର୍ଯ୍ୟାୟ ଭାବରେ ଦେଖିପାରିବା, ଯେଉଁଗୁଡିକ ଏକ ଗ୍ରନ୍ଥ କିମ୍ବା ଏକ ଗ୍ରନ୍ଥର ପରିବାର ଚାରିପଟେ କେନ୍ଦ୍ରିତ । କେତେଗୁଡ଼ିଏ ଗ୍ରନ୍ଥ ବାଲ୍ମିକୀ ରାମାୟଣ ଚାରିପଟେ କେନ୍ଦ୍ରିତ । ତଥା, ଆଉ କେତେଗୁଡ଼ିକ ଜୈନ ବିମଳସୁରିଙ୍କର ରାମକଥା ଚାରିପଟେ କେନ୍ଦ୍ରିତ ଇତ୍ୟାଦି ।
କିମ୍ବା ଆମେ ଏହି ଗ୍ରନ୍ଥମାନଙ୍କ ମଧ୍ୟରେ ଥିବା ଅନୁବାଦର ସମ୍ପର୍କକୁ ଦାର୍ଶନିକ ପିୟର୍ସଙ୍କ ମତାନୁସାରେ ତିନି ଭାଗରେ ଦେଖି ପାରିବା । (୯) ଯେଉଁଠାରେ ଗ୍ରନ୍ଥ ୧ ଏବଂ ଗ୍ରନ୍ଥ ୨ ମଧ୍ୟରେ ପରସ୍ପର ସହିତ ଏକ ଜ୍ୟାମିତିକ ସାଦୃଶ୍ୟ ଅଛି (ଯେପରି ଗୋଟିଏ ତ୍ରିଭୁଜର ଅନ୍ୟ ତ୍ରିଭୁଜ ସହିତ ସାଦୃଶ୍ୟ ଅଛି, ଯଦିଓ ସେଗୁଡିକର କୋଣ, ଆକାର ତଥା ଧାଡ଼ିର ରଙ୍ଗ ଇତ୍ୟାଦି ଅଲଗା ହୋଇଥିଲେ ମଧ୍ୟ), ସେଠାରେ ଆମେ ଏହି ସମ୍ପର୍କକୁ ପ୍ରତିରୂପକ ବୋଲି କହିପାରିବା । ପାଶ୍ଚାତ୍ୟରେ ଆମେ ସାଧାରଣତଃ ଅନୁବାଦଗୁଡ଼ିକୁ ବିଶ୍ୱସ୍ତ ଅର୍ଥାତ ପ୍ରତିରୂପକ ହେବାକୁ ଆଶା କରୁ ।
ଯେତେବେଳେ ଚାପମ୍ୟାନ ହୋମରଙ୍କର ଗ୍ରୀକ କାବ୍ୟଟିମାନ ଇଂରାଜୀକୁ ଅନୁବାଦ କରନ୍ତି, ସେ ଯେ କେବଳ ଗ୍ରନ୍ଥର କେତେକ ମୌଳିକ ରୂପ ଯଥା ଚରିତ୍ର, ରୂପକଳ୍ପ ଓ ଘଟଣାଗୁଡିକର କ୍ରମକୁ ରକ୍ଷା କରନ୍ତି ସେକଥା ନୁହେଁ । ସେ ମୂଳ ଗ୍ରୀକ ଛନ୍ଦକୁ ମଧ୍ୟ ବ୍ୟବହାର କରନ୍ତି ତଥା ଗ୍ରୀକ ମୂଳ ପାଠ୍ୟରେ ଥିବା ଧାଡ଼ିର ସଙ୍ଖ୍ୟାକୁ ମଧ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତି । ଅର୍ଥାତ୍, କେବଳ ଭାଷା ଇଂରାଜୀ ଏବଂ ବାକ୍-ରୀତି ଏଲିଜାବେଥିୟ ।
ଯେତେବେଳେ କମ୍ବର ବାଲ୍ମିକୀଙ୍କର ରାମାୟଣକୁ ଆଉଥରେ ତାମିଳ ଭାଷାରେ ସର୍ଜନା କରନ୍ତି, ସେତେବେଳେ ସେ ଅଧ୍ୟାୟଗୁଡିକର କ୍ରମ ତଥା ପିତା-ପୁତ୍ର, ଭ୍ରାତା, ସ୍ତ୍ରୀ, ବନ୍ଧୁ ତଥା ଶତ୍ରୁ ଇତ୍ୟାଦି ଚରିତ୍ରମାନଙ୍କ ମଧ୍ୟରେ ଥିବା ଢାଞ୍ଚାଗତ ସମ୍ପର୍କକୁ ବଜାୟ ରଖନ୍ତି । ମାତ୍ର କମ୍ବର ରାମାୟଣର ବାଲ୍ମିକୀ ରାମାୟଣ ସହିତ ସାଦୃଶ୍ୟ କେବଳ ଏହି ଢାଞ୍ଚାଗତ ସମ୍ପର୍କମାନଙ୍କ ମଧ୍ୟରେ ହିଁ ସୀମିତ । କମ୍ବର ରାମାୟଣଟି ବାଲ୍ମିକୀ ରାମାୟଣଠାରୁ ଲମ୍ବା । ଏହା କୋଡ଼ିଏରୁ ଉର୍ଦ୍ଧ୍ୱ ତାମିଲ ଛନ୍ଦରେ ଲିଖିତ । ଯଦିଓ ବାଲ୍ମିକୀଙ୍କର ରାମାୟଣ ପ୍ରାୟତଃ କେବଳ ଗୋଟିଏ ଛନ୍ଦରେ ହିଁ ଲେଖାଯାଇଅଛି ।
ଅନେକ ସମୟରେ ଯଦିଓ ଗ୍ରନ୍ଥ ୨, ଗ୍ରନ୍ଥ ୧ ସହିତ ଏକ ପ୍ରତିରୂପକ ସମ୍ପର୍କ ରକ୍ଷା କରେ, ଏହି ସାଦୃଶ୍ୟ ପ୍ରାୟତଃ କେତେକ ମୌଳିକ ଉପାଦାନ ଯଥା ପ୍ଲଟ ଇତ୍ୟାଦିରେ ସୀମିତ । ସାଧାରଣତଃ ଆମେ ଗ୍ରନ୍ଥ ୨ରେ ସ୍ଥାନୀୟ ବର୍ଣ୍ଣନା, ଲୋକକଥା, କାବ୍ୟିକ ପରମ୍ପରା, ରୂପକଳ୍ପ ଇତ୍ୟାଦିରେ ଭରି ହୋଇଥିବାର ଦେଖିବାକୁ ପାଇବା । ତେଣିକି ଏହି ରାମକଥାଟି କମ୍ବରଙ୍କର ରଚିତ ତାମିଳ କାବ୍ୟ ହୋଇଥାଉ କିମ୍ବା ହୋଇଥାଉ ବଙ୍ଗଳା ଭାଷାରେ ରଚିତ କୃତିବାସଙ୍କର କୀର୍ତ୍ତି । ବଙ୍ଗଳା ରାମାୟଣରେ ରାମଙ୍କର ବିଭାଘର ବଙ୍ଗାଳି ରୀତିନୀତି ଓ ବଙ୍ଗାଳି ରାନ୍ଧଣାରେ ଅନୁଷ୍ଠିତ ଏକ ବଙ୍ଗାଳି ବିଭାଘର (ସେନ ୧୯୨୦) ।
ଆମେ ଏହିପରି ଗୋଟିଏ ଗ୍ରନ୍ଥକୁ ସୂଚୀପାତ୍ରିକ ଗ୍ରନ୍ଥ ବୋଲି କହିପାରିବା – ଅର୍ଥାତ୍, ଗ୍ରନ୍ଥଟି ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନ ଓ ଏହାର ସନ୍ଦର୍ଭରେ ବୁଡ଼ି ରହିଛି ତଥା ଏହା ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ । ଏହି ସନ୍ଦର୍ଭକୁ ଛାଡ଼ିଦେଲେ ଆମେ ଏହାଠାରୁ କିଛି ବିଶେଷ ଅର୍ଥ ଖୋଜି ପାଇପାରିବା ନାହିଁ । ଆମେ ଏଠାରେ କହିପାରିବା କି ରାମାୟଣ ଭିନ୍ନ ଭିନ୍ନ ଗ୍ରନ୍ଥର ଏକ ସମାହାର ନୁହେଁ । ବରଂ ଏହା ଗ୍ରନ୍ଥମାନଙ୍କର ଏକ ପ୍ରକାର, ଯାହାର କି ଅନେକ ରୂପ ରହିଛି ।
ଆମେ ବେଳେବେଳେ ଦେଖିବାକୁ ପାଇବା ଗ୍ରନ୍ଥ ୨, ଗ୍ରନ୍ଥ ୧ର ପ୍ଲଟ୍, ଚରିତ୍ର ତଥା ନାମମାନଙ୍କର ଅଳ୍ପାଦିଅଳ୍ପ ବ୍ୟବହାର କରେ ତଥା ସମ୍ପୂର୍ଣ୍ଣ ଭାବେ ନୂଆ ଜିନିଷ କହିବା ପାଇଁ ସେମାନଙ୍କର ବ୍ୟବହାର କରେ । ଅନେକ ସମୟରେ ପୂର୍ବ ଗ୍ରନ୍ଥଟିକୁ ସମ୍ପୂର୍ଣ୍ଣ ଭାବରେ ଭ୍ରଷ୍ଟ କରି ଏକ ପ୍ରତିଗ୍ରନ୍ଥ ପ୍ରସ୍ତୁତ କରେ । ଏହିପରି ଏକ ଅନୁବାଦକୁ ଆମେ ଚିହ୍ନମୂଳକ ବୋଲି କହିପାରିବା । ଏଠାରେ ଅନୁବାଦ ଶବ୍ଦର ଅର୍ଥ ଏକ ଗାଣିତିକ ପ୍ରାରୂପ ଧାରଣ କରେ । ଅନୁବାଦ ଦ୍ୱାରା ଗୋଟିଏ ସମ୍ପର୍କର ଢାଞ୍ଚାକୁ ଆଉ ଗୋଟିଏ ସ୍ଥାନ କିମ୍ବା ପ୍ରତିରୂପକ ବ୍ୟବସ୍ଥାକୁ ସ୍ଥାନାନ୍ତରିତ କରିବାର ପ୍ରକ୍ରିୟା ଭାବରେ ଦେଖିପାରିବା ।
ଯେତେବେଳେ ଏହା ହୁଏ, ସେତେବେଳେ ରାମ କଥାରେ ଥିବା ନାମ, ଚରିତ୍ରମାନ, ଘଟଣାଗୁଡ଼ିକ ତଥା ମୋଟିଫ୍ ଗୋଟିଏ ସାଂସ୍କୃତିକ ଅଞ୍ଚଳରେ ଏବଂ ଦ୍ୱିତୀୟ ଭାଷାର ନିର୍ମାଣ କରେ, ଯାହାକୁ ନେଇ ଗ୍ରନ୍ଥ ୧ ଗୋଟିଏ କଥା କହିବାବେଳେ ଗ୍ରନ୍ଥ ୨ ଅନ୍ୟ କିଛି, ଏପରିକି ଗ୍ରନ୍ଥ ୧ର ବିପରୀତ କିଛି ମଧ୍ୟ କହିପାରେ । ବାଲ୍ମିକୀଙ୍କ ରାମାୟଣ, ବିମଳସୁରିଙ୍କର ଜୈନ ରାମାୟଣ ତଥା ଦକ୍ଷିଣପୂର୍ବ ଏସିଆର ଥାୟୀ ରାମକୀର୍ତ୍ତି, ଇତ୍ୟାଦିକୁ ଆମେ ଏହିପରି ପରସ୍ପରର ଚିହ୍ନମୂଳକ ଅନୁବାଦ ହିସାବରେ ଧରିପାରିବା ।
ଅବଶ୍ୟ ଆମେ ଏଠାରେ ଭୁଲିଗଲେ ଚଳିବ ନାହିଁ ଯେ, ଗୋଟିଏ ନିର୍ଦ୍ଧିଷ୍ଟ ସୀମା ପର୍ଯ୍ୟନ୍ତ ତଥାକଥିତ ପ୍ରତିରୂପକ ବିଶ୍ୱସ୍ତ ଅନୁବାଦମାନଙ୍କରେ ମଧ୍ୟ ଏହି ତିନି ପ୍ରକାର ଅନୁବାଦର ଉପାଦାନ ଦେଖିବାକୁ ପାଇବା । ଯେତେବେଳେ ଗୋଲ୍ଡମାନ (୧୯୮୪-) ଏବଂ ତାଙ୍କ ସହିତ କର୍ମରତ ବିଦ୍ୱାନଗୋଷ୍ଠୀ ବାଲ୍ମିକୀ ରାମାୟଣର ଏକ ଆଧୁନିକ ଅନୁବାଦ ପ୍ରସ୍ତୁତ କରନ୍ତି, ସେମାନେ ସଂସ୍କୃତ ନାମଗୁଡ଼ିକର ଅକ୍ଷରାନ୍ତରିକରଣ କରନ୍ତି, ଶ୍ଳୋକଗୁଡ଼ିକର ସଙ୍ଖ୍ୟା ଓ କ୍ରମ, ଏବଂ ଘଟଣାଗୁଡ଼ିକର କ୍ରମ ଇତ୍ୟାଦିରେ ମୂଳ ପାଠ ପ୍ରତି ବିଶ୍ୱସ୍ତ ରହି ଏକ ପ୍ରତିରୂପକ ଅନୁବାଦ ତିଆରି କରନ୍ତି ।
ମାତ୍ର କେତେକ ଦୃଷ୍ଟିରୁ ଏହି ଅନୁବାଦଟିକୁ ଆମେ ସୂଚୀପାତ୍ରିକ ବୋଲି ମଧ୍ୟ କହିପାରିବା କାରଣ ଏହି ଅନୁବାଦଟି ଇଂରାଜୀ ବାକ୍-ରୀତିକୁ ଅନୁସରଣ କରେ । ଏହା ଏକ ଉପକ୍ରମଣିକା ତଥା ବାଖ୍ୟାତ୍ମକ ପାଦଟିକା ସହିତ ଲିଖିତ; ଏବଂ ଏହି ପାଦଟୀକାରେ ଆମେ ଅନେକ ବିଂଶ ଶତାବ୍ଦୀୟ ଧ୍ୟାନଧାରଣା ଦେଖିବାକୁ ପାଇବା । ଏହି ଅନୁବାଦଟିକୁ କେତେକାଂଶରେ ଚିହ୍ନମୂଳକ ଭାବରେ ମଧ୍ୟ ଧରିପାରିବା । କାରଣ ଅନୁବାଦକମାନେ ଏହି ଗ୍ରନ୍ଥକୁ ପଢ଼ି ବୁଝିବା ପାଇଁ ଏହାର ଆଧୁନିକ ପାଠକମାନଙ୍କ ନିମନ୍ତେ ଏକ ଆଧୁନିକ ପାଠ୍ୟରୂପ ଗ୍ରନ୍ଥଟିରେ ଛାଡ଼ିଯାଇଛନ୍ତି ।
ମାତ୍ର ଏହି ତିନୋଟି ପ୍ରକାରର ଅନୁବାଦର ଉପାଦାନମାନଙ୍କ ମଧ୍ୟରେ ଉପାଦାନଗୁଡ଼ିକର ଅନୁପାତ କମ୍ବର ଏବଂ ଗୋଲ୍ଡମ୍ୟାନଙ୍କ ମଧ୍ୟରେ ଭିନ୍ନଭିନ୍ନ । ଏଣୁ ଆମେ ସେମାନଙ୍କୁ ଭିନ୍ନଭିନ୍ନ କାରଣ ପାଇଁ ଓ ନାନ୍ଦନିକ ଆଶା ନେଇ ପଢ଼ୁ । ଆମେ ବାଲ୍ମିକୀଙ୍କର ମୂଳ ରାମାୟଣର ଗୋଲ୍ଡମ୍ୟାନ ଓ ବିଦ୍ୱାନ ଗୋଷ୍ଠୀକୃତ ଅନୁବାଦକୁ ପ୍ରାୟତଃ ମୂଳ ଗ୍ରନ୍ଥର ସୁଆଦ ପାଇବା ପାଇଁ ପଢ଼ୁ । ଯେତେଦୂର ପର୍ଯ୍ୟନ୍ତ ଏହା ମୂଳ ଗ୍ରନ୍ଥଟିର ସ୍ୱରୂପ ଧରି ରଖିପାରେ, ଅନୁବାଦଟିକୁ ସେତେ ମଙ୍ଗଳ କୁହାଯାଇପାରିବ । ମାତ୍ର ଆମେ କମ୍ବର ରାମାୟଣ ମୂଳତଃ କମ୍ବରଙ୍କୁ ହିଁ ପଢ଼ିବାକୁ ପାଠ କରୁ । ଏଣୁ ଆମେ ତାଙ୍କୁ ତାଙ୍କର ନିଜର ମାନଦଣ୍ଡରେ ହିଁ ମାପ କରୁ । ଏଣୁ କମ୍ବର କେତେଦୂର ବାଲ୍ମିକୀଙ୍କ ସହିତ ତୁଳନୀୟ, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ବରଂ ସେ ବାଲ୍ମିକୀଙ୍କ ଠାରୁ କେତେ ଭିନ୍ନ, ତାହା ଗୁରୁତ୍ୱପୂର୍ଣ୍ଣ । ଗୋଟିଏ କ୍ଷେତ୍ରରେ ଆମେ ଭିନ୍ନତାର ଆସ୍ୱାଦନ କରୁ ।
ଆମେ ଆହୁରି ପାଦେ ଆଗେଇଯାଇ ଏହି କଥା କହିପାରିବା ଯେ ଯେଉଁ ସାଂସ୍କୃତିକ ଅଞ୍ଚଳରେ ରାମାୟଣ କଥାଟିମାନ ଦେଖିବାକୁ ମିଳେ ଓ ସେଗୁଡିକ ଲୋକପ୍ରିୟ, ସେଠାରେ ଆମେ ଚିହ୍ନକର ଗୋଷ୍ଠୀମାନ ମଧ୍ୟ ଦେଖିବାକୁ ପାଇବା । ଏହି ଚିହ୍ନକଗୁଡ଼ିକ ମଧ୍ୟରେ ପ୍ଲଟ୍, ଚରିତ୍ର, ଭୂଗୋଳ, ନାମ, ଘଟଣା ତଥା ସମ୍ପର୍କମାନଙ୍କୁ ଗଣିପାରିବା । ଲେଖନ, ବଚନ ତଥା ଅଭିନୟର ପରମ୍ପରାଟିମାନ, ପ୍ରବାଦ, ବାକ୍ୟାଂଶ ତଥା ଟାପରା ଇତ୍ୟାଦିରେ ମଧ୍ୟ ଆମେ ରାମକଥାର ଉଲ୍ଲେଖ ପାଇବା ।
ଧରନ୍ତୁ କିଏ ଜଣେ ବକରବକର ହେଲାବେଳେ ଆପଣ କହନ୍ତି, ‘କି ରାମାୟଣ ଚାଲିଛି । ଯଥେଷ୍ଟ’ । ତାମିଳ ଭାଷାରେ ଗୋଟିଏ ଛୋଟ ବଖରାକୁ କିସ୍କିନ୍ଦା ବୋଲି କୁହାଯାଏ । ଅଳ୍ପ ବୁଦ୍ଧିଆ ଲୋକ ନିମନ୍ତେ ପ୍ରବାଦ ହେଲା, ‘ରାତି ସାରା ସାତ କାଣ୍ଡ ରାମାୟଣ ଶୁଣିଲା ପରେ, ପଚରା ହେଉଛି ରାମ ସୀତାର କିଏ ।’ ଗୋଟିଏ ବଙ୍ଗଳା ବହିରେ ପିଲାଙ୍କୁ ପଚରାଯାଏ ଯେ, ହନୁମାନ ନିଜେ ଗଢ଼ିଥିବା ଗୋଟେ କାନ୍ଥକୁ ନିଜେ ଭାଙ୍ଗି ସାରିବା ପରେ ଗଳିପଡ଼ିଥିବା କାନ୍ଥର ପରିମାଣ କ’ଣ । ଏସବୁକୁ ବାହାଘର ଗୀତ, ସ୍ଥଳପୁରାଣ, ମନ୍ଦିରମାନଙ୍କ ବିଷୟରେ ଗାଥା, କବିତା, ଗୀତ, ଚିତ୍ର, ସ୍ଥାପତ୍ୟ ତଥା ନୃତ୍ୟ ଅଭିନୟ ଆଦି ଅନେକ କଳାକୁ ଆମେ ଯୋଡ଼ିପାରିବା ।
ଏହି ନାନାଦି ଗ୍ରନ୍ଥମାନ କେବଳ ଯେ ପ୍ରାକ୍-ଲିଖିତ ଗ୍ରନ୍ଥମାନଙ୍କ ସହିତ ସମ୍ପର୍କିତ (ସମ୍ପର୍କ ଧାର ଆଣିବା ପାଇଁ ହେଉ କି ଖଣ୍ଡନ କରିବା ପାଇଁ), ସେକଥା ନୁହେଁ । ବରଂ ଏସବୁ ଗ୍ରନ୍ଥଗୁଡ଼ିକ ପରସ୍ପର ସହିତ ଏହି ସାଧାରଣ କୂଟ ଦ୍ୱାରା ସମ୍ପର୍କିତ । ଏଠାରେ ଗୋଟିଏ ରୂପକ ଦେବା; ପ୍ରତ୍ୟେକ ଲେଖକ ଏହି ଚିହ୍ନମାନଙ୍କ ମଧ୍ୟରେ ଅବଗାହନ କରି ସ୍ଫଟିକୀକରଣର ଏକ ନିଆରା ପ୍ରକ୍ରିୟା ଦ୍ୱାରା, ଗୋଟିଏ ନୂଆ ବୁଣାଟ ଓ ସନ୍ଦର୍ଭ ଥିବା ନବୀନ ଗ୍ରନ୍ଥର ରଚନା କରେ । ଫ୍ରେଞ୍ଚ କବି ଭାଲେରି କହିଥିଲେ ଯେ, ମହାନ ଗ୍ରନ୍ଥଗୁଡ଼ିକ କ୍ଷୁଦ୍ର ଗ୍ରନ୍ଥଗୁଡ଼ିକୁ ପରିବର୍ତ୍ତିତ କରନ୍ତି କାରଣ, ‘ସିଂହମାନେ ମେଣ୍ଢାରୁ ତିଆରି’ ଏବଂ ମେଷମାନେ ମଧ୍ୟ ସିଂହମାନଙ୍କ ଠାରୁ ନିର୍ମିତ ।
ଗୋଟିଏ ଲୋକ କଥା କହେ ଯେ ମୂଳ ରାମାୟଣର ରଚନା, ଯୁଦ୍ଧ ପରେ ହନୁମାନ ଗୋଟିଏ ପର୍ବତ ଶିଖରରେ ବସି କରିଥିଲେ । ଲେଖିସାରି ସେ ପାଣ୍ଡୁଲିପିଟିକୁ ଏଣେତେଣେ ଛିନ୍ନଭିନ୍ନ କରି ବିଛାଇଦେଲେ । ସେହି ରାମାୟଣଟିର ଆକାର ବର୍ତ୍ତମାନର ବାଲ୍ମିକୀ ରାମାୟଣର ଅନେକ ଗୁଣ ଥିଲା । କୁହାଯାଏ ଯେ ବାଲ୍ମିକୀ ସେଥିରୁ କେତେକ ଖଣ୍ଡ ହିଁ ଧରିପାରିଥିଲେ । (୧୦) ଏହି ଅର୍ଥରେ ମୂଳ ଗ୍ରନ୍ଥ ବୋଲି କିଛି ନାହିଁ ଏବଂ କୌଣସି କଥନ କେବଳ ଏକ ପୁର୍ନକଥନ ମାତ୍ର ନୁହେଁ । ଗଳ୍ପଟିର କିଛି ଅନ୍ତ ନାହିଁ, ଯଦିଓ ଏହା ଗୋଟିଏ ଗ୍ରନ୍ଥ ମଧ୍ୟରେ ବନ୍ଦୀ ହୋଇଥାଇପାରେ । ଭାରତ ଏବଂ ଦକ୍ଷିଣପୂର୍ବ ଏସିଆରେ ରାମାୟଣ ଓ ମହାଭାରତକୁ କେହି କେବେ ପ୍ରଥମଥର ପାଇଁ ଶୁଣେନାହିଁ । ଏହି ଗଳ୍ପଗୁଡ଼ିକ ଚିର ଶାଶ୍ୱତ ।
ଶୁଣିଲେ କ’ଣ ହୁଏ ?
ଏହି ପ୍ରବନ୍ଧଟି ନାନା ରାମାୟଣ ବିଷୟରେ ଗୋଟେ ଲୋକକଥା ସହିତ ଆରମ୍ଭ ହୋଇଥିଲା । ଆମେ ପ୍ରବନ୍ଧଟିକୁ ଶେଷ କରିବା ଆଗରୁ ହନୁମାନ ଓ ରାମଙ୍କର ମୁଦ୍ରିକା ବିଷୟରେ ଆଉ ଏକ କଥା କହିଲେ ବୋଧହୁଏ ଯଥାର୍ଥ ହୁଅନ୍ତା । ମାତ୍ର ଆମେ ବର୍ତ୍ତମାନ ଯେଉଁ ଗପଟି କହିବୁ, ତାହା ରାମାୟଣର ଶକ୍ତି ବିଷୟରେ – ରାମାୟଣ ଭଳି ଶକ୍ତିଶାଳୀ କଥାଟିକୁ ଧ୍ୟାନ ଦେଇ ଶୁଣିଲେ ଯେ କ’ଣ ହୁଏ, ଏହା ତାହା ବିଷୟରେ । ଏପରିକି ଜଣେ ମୂର୍ଖ ମଧ୍ୟ ଏହାର ପ୍ରତିରୋଧ କରିପାରେ ନାହିଁ । ସେ ମୋହଗ୍ରସ୍ଥ ହୋଇ ଘଟଣାବଳୀ ସହିତ ଜଡ଼ିତ ହୋଇଯାଏ । ଶୁଣୁଥିବା ଲୋକ ଜଣକ କେବଳ ଜଣେ ଦର୍ଶକର ଭୂମିକା ମଧ୍ୟରେ ସୀମିତ ରହି ନ ପାରି, ମହାକାବ୍ୟର ଦୁନିଆ ଭିତରେ ପ୍ରବେଶ କରିବା ପାଇଁ ବାଧ୍ୟତା ଅନୁଭବ କରେ; ସତ୍ୟ ଏବଂ ଗଳ୍ପ ମଧ୍ୟରେ ଥିବା ସୀମାଟି ଲିଭିଯାଏ ।
ଗୋଟିଏ ସଂସ୍କୃତିହୀନ ଗାଉଁଲି ଲୋକଟିଏ ଜଣେ ସୁସଂସ୍କୃତ ମହିଳାଙ୍କୁ ବିଭା ହୋଇଥିଲେ । ମହିଳା ଜଣକ ଅନେକ ଭାବରେ ନିଜ ସ୍ୱାମୀଙ୍କର ଜୀବନର ଉଚ୍ଚତର ଦିଗଗୁଡ଼ିକ ନିମନ୍ତେ ରସାସ୍ୱାଦନର କ୍ଷମତା ବଢ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ, ସେଥିରେ ଲୋକଟି ଆଗ୍ରହୀ ନଥିଲେ । ଦିନେ ରାମାୟଣ ମହାକାବ୍ୟର ଜଣେ ମହାନ କଥକ ସେହି ଗ୍ରାମକୁ ଆସିଲେ । ପ୍ରତ୍ୟେକ ସନ୍ଧ୍ୟାରେ ସେ କାବ୍ୟର ଶ୍ଳୋକଗୁଡ଼ିକୁ ଗାୟନ କରି ସେମାନଙ୍କର ଅର୍ଥ ବାଖ୍ୟାନ କରୁଥାନ୍ତି । ସାରା ଗାଁ ଗୋଟିଏ ବିରଳ ଭୋଜିକୁ ଗଲାପରି ଏହି ପ୍ରବଚନ ଶୁଣିବାକୁ ଯାଉଥାଏ ।
ଅସଂସ୍କୃତ ଲୋକଟିକୁ ବାହା ହୋଇଥିବା ସ୍ତ୍ରୀ ଲୋକ ଜଣକ ପ୍ରବଚନରେ ନିଜ ସ୍ୱାମୀର ଆଗ୍ରହ ଜନ୍ମାଇବାକୁ ଚେଷ୍ଟା କଲେ । ତାଙ୍କ ପଛରେ ଲାଗିଲାଗି ପ୍ରବଚନ ଶୁଣାଇବା ପାଇଁ ବାଧ୍ୟ କଲେ । ସେସକୁ ଗେରେଗେରେ ହୋଇ ମଧ୍ୟ ସ୍ତ୍ରୀର ମନ ରଖିବା ପାଇଁ ସେ ଗଲେ । ଯାଇ ପୁରା ପଛରେ ବସିଲେ । ରାତିସାରା ପ୍ରବଚନ ଚାଲିଥାଏ । ସେ ଚେଇଁ ରହିପାରିଲେ ନାହିଁ । ରାତିସାରା ଶୋଇ ରହିଲେ । ସକାଳୁ ସକାଳୁ ଯେତେବେଳେ ଗୋଟିଏ କାଣ୍ଡ ସରିଲା, ପ୍ରବଚକ ଜଣକ ସେହିଦିନର ଶେଷ ଶ୍ଳୋକଗୁଡ଼ିକୁ ଗାଇସାରିଲେ ଓ ପରମ୍ପରା ଅନୁସାରେ ମିଠାଇ ବଣ୍ଟା ହେଲା ।
ଶୋଇ ରହିଥିବା ସେହି ଲୋକଟିର ମୁହଁରେ ମଧ୍ୟ ମିଠାଇ କେହି ଜଣେ ପୁରାଇ ଦେଲେ । ଏହାର କିଛି ସମୟ ପରେ ଲୋକଜଣକ ଉଠି ପଡ଼ି ଘରକୁ ଗଲେ । ସ୍ୱାମୀ ରାତି ସାରା ଚେଇଁ ରହି ରାମାୟଣ ଶୁଣୁଛି ଭାବି, ତାଙ୍କର ସ୍ତ୍ରୀ ଆନନ୍ଦିତ ହେଲେ ଆଉ ପଚାରିଲେ ଯେ, ରାମାୟଣ କେମିତି ଲାଗିଲା । ସେ କହିଲେ, ‘ବହୁତ ମିଠା’ । ସ୍ତ୍ରୀଟି ଏହା ଶୁଣି ବହୁତ ଖୁସି ହେଲେ ।
ତା’ ପରଦିନ ସ୍ତ୍ରୀ, ସ୍ୱାମୀଙ୍କୁ ଆଉଥରେ ଯାଇ ରାମାୟଣ ଶୁଣିବାକୁ ବାଧ୍ୟ କଲେ । ତେଣୁ ସେ ଆଉ ଥରେ ପ୍ରବଚନ ହେଉଥିବା, ବାଡ଼ ଘେରା ହୋଇଥିବା ଜାଗାକୁ, ଗଲେ, କାନ୍ଥକୁ ପାରିହୋଇ ବସିଲେ ଓ ଅତିଶୀଘ୍ର ଶୋଇପଡ଼ିଲେ । ବହୁତ ଗହଳି ହୋଇଥିବାରୁ, ଗୋଟିଏ ଛୋଟ ପିଲା ତାଙ୍କ କାନ୍ଧ ଉପରେ ବସି ପଡ଼ି, ଆରାମରେ ତାଟକା ହୋଇ, ଖୋଲା ମୁହଁରେ ମନୋହାରୀ କାହାଣୀଟିମାନ ଶୁଣିଲା । ସକାଳେ ସେ ରାତିର କଥା ଶେଷ ହେଲା ପରେ, ସମସ୍ତେ ଉଠି ପଡ଼ିଲେ ଓ ସମସ୍ତଙ୍କ ସହିତ ସ୍ୱାମୀଟି ମଧ୍ୟ ଉଠି ପଡ଼ିଲେ । ପିଲାଟି ଆଗରୁ ଯାଇ ସାରିଥିଲା ।
ମାତ୍ର ରାତି ସାରା ଓଜନ ବୋହିଥିବାରୁ ଲୋକଟିର ଦେହସାରା କଷ୍ଟ ଓ ଦରଜ ହେଉ ଥାଏ । ସେ ଯେତେବେଳେ ଘରକୁ ଗଲେ, ସେତେବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଆଗ୍ରହର ସହକାରେ ପଚାରିଲେ ଯେ, ତାଙ୍କୁ କେମିତି ଲାଗିଲା । ସ୍ୱାମୀ ଉତ୍ତରଦେଲେ, ‘ସକାଳ ହେଉ ହେଉ ବହୁତ ଭାରି ଲାଗିଲା ।’ ତାଙ୍କ ସ୍ତ୍ରୀ କହିଲେ, ‘ଗଳ୍ପଟି ହିଁ ସେହି ପ୍ରକାରର ।’ ତାଙ୍କୁ ଏହା ଭାବି ଖୁସି ଲାଗିଲା ଯେ, ଶେଷକୁ ତାଙ୍କ ସ୍ୱାମୀ କାବ୍ୟଟିର ମହାନତା ଓ ଭାବସିନ୍ଧୁରୁ କାଣିଚାଏ ଲେଖାଏଁ ଆସ୍ୱାଦନ କରିବା ଆରମ୍ଭ କରିଥିଲେ ।
ତୃତୀୟ ଦିନ ସେ ଗହଳିରେ କଣିକିଆ ହୋଇ ବସିଲେ ଓ ତାଙ୍କୁ ନିଦ ମାଡ଼ୁଥିଲା । ସକାଳୁ ସକାଳୁ ସେ ଉଠି ଘରକୁ ଯିବାର ଅଳ୍ପ ସମୟ ଆଗରୁ ଗୋଟିଏ କୁକୁର ସେହି ଆଡ଼କୁ ଆସି ତାଙ୍କ ମୁହଁରେ ମୁତିଦେଇ ପଳାଇଲା । ଯେତେବେଳେ ସ୍ତ୍ରୀ ପଚାରିଲେ କି ରାମାୟଣ କେମିତି ଲାଗିଲା, ସେ ମୁହଁକୁ ଇଆଡ଼େ ସିଆଡ଼େ ମୋଡ଼ି ମୁହଁକୁ ବିକୃତ କରି କହିଲେ, ‘କି ଭୟଙ୍କର ଲୁଣିଆରେ ବାବା ।’ ତାଙ୍କ ସ୍ତ୍ରୀଙ୍କୁ ଲାଗିଲା, କିଛି ନା କିଛି ଗୋଟେ ଗଡ଼ବଡ଼ ଚାଲିଛି । ସେ ତାଙ୍କୁ ନିର୍ଦ୍ଧିଷ୍ଟ ଭାବରେ ଯେ କ’ଣ ଘଟିଚାଲିଛି ସେ କଥା ପଚାରିଲେ ଓ ଯେ ପର୍ଯ୍ୟନ୍ତ ସ୍ୱାମୀଜଣଙ୍କ ଯେ ରାତିସାରା ପ୍ରବଚନ ଚାଲିଥିବା ସମୟରେ ଶୋଇ ରହୁଥିଲେ, ସେ କଥା ନ ମାନିବା ପର୍ଯ୍ୟନ୍ତ ତାଙ୍କୁ ଛାଡ଼ିଲେ ନାହିଁ ।
ଚତୁର୍ଥ ଦିନ ତାଙ୍କ ସ୍ତ୍ରୀ ତାଙ୍କ ସହିତ ଗଲେ, ତାଙ୍କୁ ନେଇ ପ୍ରଥମ ଧାଡ଼ିରେ ହିଁ ବସାଇଲେ, ଓ କଠୋର ଭାବରେ କହିଲେ ଯେ ଯାହା କିଛି ହେଉନା କାହିଁକି ତାଙ୍କୁ ଚେଇଁ ରହିବାକୁ ପଡ଼ିବ । ଏଣୁ ଆଗ ଧାଡ଼ିରେ ବସି ବାଧ୍ୟ ଛାତ୍ରପରି ସେ ପ୍ରବଚନ ଶୁଣିବାକୁ ଲାଗିଲେ । ଅତି ଶୀଘ୍ର ସେ ମହାକାବ୍ୟଟିର ଗଳ୍ପର ଚରିତ୍ର ଓ ଘଟଣାଗୁଡିକ ସହିତ ଆଗ୍ରହରେ ଜଡ଼ିତ ହୋଇଗଲେ । ସେହି ଦିନ ପ୍ରବଚକ ଜଣକ ରାମଙ୍କର ମୁଦ୍ରିକା ଧରି ହନୁମାନଙ୍କର ସୀତାଙ୍କର ସନ୍ଧାନ ଉଦ୍ଦେଶ୍ୟରେ ସାଗର ଲଙ୍ଘନର ଉପାଖ୍ୟାନର ମନମୁଗ୍ଧକର ବର୍ଣ୍ଣନା କରୁଥାନ୍ତି ।
ଯେତେବେଳେ ହନୁମାନ ସାଗର ଲଙ୍ଘିବା ପାଇଁ ଡିଆଁ ମାରିଲେ, ସେତେବେଳେ ମୁଦ୍ରିକାଟି ତାଙ୍କ ହାତରୁ ଖସି ସମୁଦ୍ରରେ ପଡ଼ିଗଲା । ହନୁମାନ କ’ଣ କରିବେ ଜାଣିପାରିଲେ ନାହିଁ । ତାଙ୍କୁ ମୁଦିଟିକୁ ତୁରନ୍ତ ଖୋଜିଆଣି ସୀତା ବନ୍ଦି ଥିବା ରାକ୍ଷସ ରାଜ୍ୟକୁ ଯିବାର ଥିଲା । ସେ ହାତ ମଳୁଥିବା ସମୟରେ ପ୍ରଥମ ଧାଡ଼ିରେ ବସି ଅତି ଆଗ୍ରହର ସହିତ ବସି ଶୁଣୁଥିବା ସ୍ୱାମୀ ଜଣଙ୍କ କହିଲେ, ‘ହନୁମାନ । ଚିନ୍ତା କରନାହିଁ । ମୁଁ ମୁଦିଟିକୁ ତୁମ ପାଇଁ ନେଇଆସିବି ।’ ଏହା ପରେ ସେ ଉଠି ପଡ଼ି ସମୁଦ୍ରକୁ ଡିଆଁ ମାରିଲେ, ସମୁଦ୍ର ଶଯ୍ୟାରେ ମୁଦିଟିକୁ ପାଇଲେ ଓ ହନୁମାନଙ୍କ ପାଇଁ ସେଇଟିକୁ ଫେରାଇ ଆଣିଲେ ।
ସମସ୍ତେ ହେଲେ ଆଚମ୍ବିତ । ସେମାନେ ଭାବିଲେ ଯେ ଏହି ଲୋକ ଜଣକ ନିଶ୍ଚିତ ଭାବରେ ଅସାଧାରଣ । ରାମ ଓ ହନୁମାନଙ୍କ ଆଶୀର୍ବାଦ ନିଶ୍ଚିତଭାବରେ ଏହାଙ୍କ ଉପରେ ଅଛି । ସେହି ସମୟ ଠାରୁ ଗାଁ’ର ଜଣେ ପୁରୁଖା ଲୋକ ଭାବରେ ତାଙ୍କର ମାନ୍ୟ ରହିଅଛି । ତଥା ତାଙ୍କର ଆଚରଣ ମଧ୍ୟ ସେହିପରି ହୋଇଅଛି । ଗୋଟିଏ ଗପକୁ ନିରିଖେଇକରି ଶୁଣିଲେ ତାହା ହିଁ ହୁଏ, ବିଶେଷତଃ ଯଦି ସେହି ଗପଟି ରାମାୟଣ ହୋଇଥାଏ । (୧୧)
ଅନୁବାଦ – ଶୈଲେନ ରାଉତରାୟ
Comments are closed.