Latest Odisha News

ସାହିତ୍ୟ ଲୋକାଭିମୁଖୀ ହେଉ : ଚିତ୍ତରଞ୍ଜନ ନାୟକ

ସମକାଳୀନ ଓଡ଼ିଆ ସାହିତ୍ୟରେ ଚିତ୍ତରଞ୍ଜନ ନାୟକ ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ କବିତାଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ।

ମାଟି ଛୁଇଁନଥିବା ସୂର୍ଯ୍ୟୋଦୟ, ଡାକୁଛ ବୋଲି ଜାଣେ, ଆସୁଛ ବୋଲି ଜାଣେ ପ୍ରଭୃତି କବିତା ସଙ୍କଳନର ସେ କାଳଜୟୀ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ।

କବି ଚିତ୍ତରଞ୍ଜନ ନାୟକଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

କବିତାର ବ୍ୟାଖ୍ୟା କେମିତି କରିବେ ?

କବିତା କେଉଁ ବ୍ୟାଖ୍ୟାର ଅପେକ୍ଷା ରଖେନି। ଛାତି ତଳର ରୁଗରୁଗ, ଆଖି କୋଣରେ ଜକେଇଥିବା ଲୁହଙ୍କ ଲଘୁଚାପ, ଓଠ ଅଗରେ ନଟରାଜ ନାଚୁଥିବା ପ୍ରେମର ଆୟୁଷ୍ମତୀ ହସ, ସ୍ବପ୍ନଙ୍କ ସବୁଜ ଇଚ୍ଛାରେ ପଲ୍ଲବିତ ହେଉଥିବା ସମୟ ଓ କହୁକହୁ କହିହେଉନଥିବା କଥାଙ୍କ ଲଥା ହିଁ କବିତା। ସେ ଗୋଟେ ବାରମ୍ବାର ଭୁଲ ହେଇଥିବା ଅଙ୍କ। ସେ ପୁଣ୍ୟର ଡାଳରେ ଖିଲିଖିଲି ହସୁଥିବା କୋମଳ କଳଙ୍କ। ସେ ହିଁ ଅନ୍ଧାର, ସେ ହିଁ ଆଲୁଅ। ସେ ହିଁ ଜୀବନର ଛାଇରେ ଋତୁ ପରେ ଋତୁ ପଦ୍ମାସନ ପକେଇ ବସିଥିବା ଈଶ୍ୱରଙ୍କ ମୁହଁ।

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ କେମିତି ? ରୀତି ଯୁଗର କବିତା ଓ ଏବେର କବିତା ଭିତରେ କଣ ପରିବର୍ତ୍ତନ ଘଟିଛି ବୋଲି ଆପଣ ଭାବନ୍ତି ?

ଓଡ଼ିଆ ସାହିତ୍ୟରେ କବିତା ଏକ ପ୍ରମୁଖ ଓ ପ୍ରଭାବୀ ବିଭବ। ଆଦିକବି ଶାରଳା ଦାସଙ୍କଠାରୁ ବର୍ତ୍ତମାନର ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ ଯାଏଁ ଏହା ଭିନ୍ନ ଭିନ୍ନ ସୋପାନ, ଦିଗନ୍ତ, ଚେତନା, ଚିତ୍ର ଓ ଆବେଗର କଷଟି ପଥରରେ ପରୀକ୍ଷିତ ହୋଇଆସିଛି। କବିତା ତା ନିଜ ବାଟ ନିଜେ ବାଛିଛି। ସେ ସୁନାବ୍ୟା ନଈ । ତାକୁ ଯେଉଁଠି ଯେଉଁଠି ଡ୍ୟାମ ବନେଇ ରୋକା ହେବାର ପ୍ରୟାସ ହେଇଛି, ସେଇଠି ସେ ସଙ୍କୁଚିତ ନହେଇ ବରଂ ନିଜର ପ୍ରଖର ସୁଅରେ ନିଜ ଇଛାର ସମତଳ ଭୁଇଁକୁ ପ୍ଲାବିତ କରିଛି। ରୀତି ଯୁଗର କବିତା ଦେହଭୋଗ, ରାଜା ରାଜୁଡାଙ୍କ ସ୍ବପ୍ନ ବିଳାସ ଓ କଳ୍ପନାର ଇନ୍ଦ୍ରଜାଲ ବୁଣିଥିବା ବେଳେ ବର୍ତ୍ତମାନର କବିତା ମାଟି, ଆକାଶ, ପାଣି ଓ ପବନର ବାସ୍ନାରେ ପୃଥିବୀର ଅଗଣାକୁ ମହକିତ କରିଛି। ଦୁଃଖ ଲକେଟ ହେଇ ଝୁଲିଛି ଜୀବନର ବେକରେ। ସୁଖ ହାଇଫେନ ହୋଇ ଅଟକିଛି ଝଡ଼ ଓ ଫଗୁଣର ମଝିରେ। ବାସ୍ତବତାର କେରାଏ ଘାସ ଉପରେ ଚିକଚିକ କରୁଥିବା କାକର ପରି ଆଜିର କବିତା ସ୍ୱଚ୍ଛ ସମ୍ବେଦନଶୀଳ ଓ ଗତିଶୀଳ।

ଗପ ତୁଳନାରେ କବିତାକୁ ପାଠକୀୟ ଆଦୃତି ସେତେଟା ମିଳେ ନାହିଁ , କାହିଁକି ?

ଗପ ଲେଖିବା ହେଉ କି କବିତା ଲେଖିବା , ଉଭୟ ଗହନ ଗହୀର ଚାଷ। ମୁଁ ଏ ପ୍ରଶ୍ନ ସହ ସହମତ ନୁହେଁ କି କବିତାକୁ ପାଠକୀୟ ଆଦୃତି କମ ମିଳେ ବୋଲି । କବିତାରେ ନିଜର ଆଗ୍ରହ, ନିଷ୍ଠା ଓ ଗଭୀର ସମ୍ପୃକ୍ତି ରଖିଥିବା ପାଠକେ ଖୋଜିଖୋଜି କବିତା ସଙ୍କଳନ କିଣିବା ଓ ପଢିବା ମୁଁ ନିଜେ ଦେଖିଛି। କବିତାର ପାଠକ ସ୍ୱତନ୍ତ୍ର। ସେ ମହକ, ଉଦ୍ଦାମତା ଓ ବିଭୋରପଣରେ ଯେଉଁ ପାଠକ ଥରେ ପଶେ , ସେ ଆଉ ନିସ୍ତାର ପାଇପାରେନି କବିତାର ମୋହିନୀ ମାୟାରୁ ।

ଆପଣଙ୍କ କବିତା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ କ’ଣ ?

ରହସ୍ୟ କିଛି ବି ନଥାଏ। ଆବେଗର ପଦେ ଡ଼ାକରାରେ ଶବ୍ଦମାନେ ଭୁଲିଯାନ୍ତି ତାରବାଡ଼, ଲକ୍ଷ୍ମଣରେଖା ଓ ଅନ୍ଧାରର ଆଁ। କେଉଁ କବିତା କେଉଁ ବାଗରେ କବିକୁ ଘାରେ ବା ଆକ୍ତାମାକ୍ତା କରେ ସେକଥା ସେ ନିଜେ ବି ଜାଣିପାରେନା। କବିଟିଏ କବିତାର ମାତାଲପଣରେ ହଜିଥିବା ବେଳେ କଣ ବୁଝେ କୋଉ ଚେତନା, ବାଦ କି ତତ୍ତ୍ୱ ଏ ତାରକସି ! ସେ ତ ନିମଗ୍ନ, ନିର୍ବିକାର ଓ ବାରମ୍ବାର ପରାସ୍ତ ହେଉଥାଏ କବିତାର କୁହୁକ ଇସାରାରେ। ହୃଦୟରୁ ଚିପୁଡି ହେଉଥିବା ମିଠା ଖଟା ଅନ୍ୟମନସ୍କତା, କିଛି ଅଦ୍ଭୁତ ଅନାହତ ସ୍ୱର ଓ କିଛି ଅନିର୍ବଚନୀୟ ଉଛ୍ୱାସ ଶବ୍ଦମାନଙ୍କୁ କବିତାର ଭଳିକି ଭଳି ଗହଣା ପିନ୍ଧାଏ। କବିତାର ମନ୍ତ୍ରରେ ଏଇ ମସଗୁଲ ହେବା ଓ ନିଜକୁ ଭୁଲିବା କି କବିର କୋମଳପଣ ଓ ମାଧୁର୍ଯ୍ୟ।

ଆପଣ ଅନେକ କବିତା ସଙ୍କଳନର ସ୍ରଷ୍ଟା ତେବେ ଗଳ୍ପ ଲେଖିବାକୁ କାହଁକି ଆଗହୀ ହେଲେ ନାହିଁ ?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କବିତା ବ୍ୟତୀତ ମୁଁ ପ୍ରଚୁର ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସ ପଢେ । ଯଦିଓ ଅନେକ ସମୟରେ ଗଳ୍ପର ଡାକରା ମୋ ଆତ୍ମାରେ ପହଞ୍ଚେ ହେଲେ ସେସବୁ କେଜାଣି କାହିଁକି କବିତା କବିତା ପରି ବାସେ, ବୁଝିପାରେନି। ହୁଏତ ଗଳ୍ପରେ ନିଜକୁ ସହଜ ମନେ କରିନପାରିବା ମୋର ଅକ୍ଷମତା ହେଇପାରେ। କବିତାରେ ନିଜକୁ ପାଇବା ଏକ ଅହେତୁକ ଆନନ୍ଦ ଯାହା ମତେ ତାର ପ୍ରେମରେ ବାନ୍ଧିଛି ଏଯାବତ। ହଁ, ୟା ଭିତରେ କିଛି ଗଳ୍ପ ବି ଜନ୍ମିଛନ୍ତି ସତ, ହେଲେ ସେମାନଙ୍କର ଏକୋଇଶା କରିବାକୁ କେଜାଣି କାହିଁକି ସାହସ ଜୁଟେଇପାରିନି। ତେବେ ଆଗକୁ ଉପନ୍ୟାସଟିଏ ଲେଖିବାର ଆଗ୍ରହ ଅଛି। ସେତେବେଳ ଯାଏ କବିତାର ଆଲିଙ୍ଗନରେ ରହିବାକୁ ଦିଆଯାଉ।

ସମ୍ପ୍ରତି ସାହିତ୍ୟରେ କାବ୍ୟଗ୍ରନ୍ଥ କେବଳ ଆଲୋଚନାର ବିଷୟ ହୋଇ ରହି ଯାଉଛି। ଜଣେ କବି ହିସାବରେ ଆପଣ ଏ ବିଷୟରେ କ’ଣ କହିବେ?

ମୁଁ ଆଦୌ ସହମତ ନୁହେଁ। କାହାଣୀ ପରି କବିତା ବି ପ୍ରଚୁର ପାଠକୀୟତା ପାଉଛି, ଏହା ନିଃସନ୍ଦେହ। ସଚ୍ଚିଦାନନ୍ଦ ରାଉତରାୟଙ୍କ ପାଣ୍ଡୁଲିପି, ବାଜି ରାଉତ, ରମାକାନ୍ତ ରଥଙ୍କ ସପ୍ତମ ଋତୁ, ଶ୍ରୀରାଧା, ନିର୍ବାଚିତ କବିତା, ଭାନୁଜୀ ରାଓଙ୍କ ବିଷାଦ ଏକ ଋତୁ, ନଈ ଆରପାରି, ସୀତାକାନ୍ତ ମହାପାତ୍ରଙ୍କ ଚଢ଼େଇରେ ତୁ କି ଜାଣୁ, ବର୍ଷା ସକାଳ, ଉତ୍ତରଣ, କମଳାକାନ୍ତ ଲେଙ୍କାଙ୍କ ସୁନାର ଫସଲ, ନିଜ ସହ ନିଜର ସାକ୍ଷାତକାର, ଡାଇରୀ କବିତା, ବିପିନ ନାୟକଙ୍କ ଷଡଜ, ଅପୁସ୍ତକ, ସୌଭାଗ୍ୟ ମିଶ୍ରଙ୍କ ଅନ୍ଧ ମହୁମାଛି , ଶ୍ରେଷ୍ଠ କବିତା, ହୃଷୀକେଶ ମଲ୍ଲିକଙ୍କ ଧାନ ସାଉଁଟା ଝିଅ, ଜୀବନାନାମା, ସରିଯାଇଥିବା ଅପେରା କବିତା ସଙ୍କଳନ ପ୍ରଭୃତି ଭଲ ପାଠକୀୟ ଆଦୃତି ପାଇଥିଲା ଓ ବର୍ତ୍ତମାନ ସମୟରେ ମଧ୍ୟ ଅନେକ ଯୁବପୀଢ଼ିଙ୍କ ସୃଷ୍ଟି ଭଲ ଆଦୃତ ହେବା ସହ ବିକ୍ରି ବି ବଢିବା ଆମ ପାଇଁ ଶୁଭ ସୂଚନା ନିଶ୍ଚୟ।

 

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ ଅଧିକ ସର୍ଜନଶୀଳ କରିବାରେ ସହାୟକ ହୁଏ କି ?

ପୁରସ୍କାର ଓ ପରିଚିତିର ଦୁଇଟି ଦିଗ ଥାଏ। ଗୋଟିଏ ସକରାତ୍ମକ ଓ ଅନ୍ୟଟି ନକରାତ୍ମକ। ବିନା ଲବିରେ ଆସୁଥିବା ପୁରସ୍କାର ଉତ୍ସାହ ଦିଏ ଓ ଅଧିକରୁ ଅଧିକ ସର୍ଜନଶୀଳ ହେବାକୁ ପ୍ରେରିତ କରେ। ତେବେ ଯଦି ଏହା ସ୍ରଷ୍ଟାକୁ ଅହଙ୍କାରୀ କରେ ତେବେ ଏଇଠି ହିଁ ଲେଖାର ମାନ ହ୍ରାସ ହେବା ସହ ଲେଖକ/କବିର ବୌଦ୍ଧିକ ଅଧପତନ ଆରମ୍ଭ ହେଇଯାଏ।

ଓଡ଼ିଆ ସାହିତ୍ୟର ଯାତ୍ରାରେ କିଛି ପରିବର୍ତ୍ତନ ଆସିବାର ଆବଶ୍ୟକତା ଅଛି ବୋଲି ଆପଣ ଭାବନ୍ତି କି ?

ହଁ, ପରିବର୍ତ୍ତନର ଏକାନ୍ତ ଆବଶ୍ୟକତା ରହିଛି। ସାହିତ୍ୟ ଲୋକାଭିମୁଖୀ ହେବା ଜରୁରୀ। ତୃଣମୂଳ ସ୍ତରରୁ ଏହା ପାଠକ ସୃଷ୍ଟିର ଗୁରୁ ଦାୟିତ୍ୱ ନେବାସହ ଲେଖକ ତିଆରିରେ ପ୍ରମୁଖ ବିନ୍ଧାଣୀ ସାଜିଥାଏ। ଆଜିକାଲି ପ୍ରତି ବ୍ଲକରେ ୨/୩ ରୁ ଅଧିକ ସାହିତ୍ୟ ଅନୁଷ୍ଠାନ ଯାହାର ସଦସ୍ୟ ସଂଖ୍ୟା ହିସାବ କଲେ ପ୍ରାୟ ୧୦୦ ରୁ କମ ହେବନାହିଁ। ଏହି ହିସାବ ଆଧାରରେ ୩୧୪ ବ୍ଲକରେ ଅନ୍ୟୁନ ୨୫୦୦୦ ରୁ ୩୦୦୦୦ ସାହିତ୍ୟିକ ବାହାରିବେ। ବହି କଥା ଛାଡ଼ନ୍ତୁ, ଗୋଟେ ଗୋଟେ ଭଲ ପତ୍ରିକା ବି ୧୦୦୦ ବିକ୍ରି ହେବା ଏକ ସ୍ବପ୍ନ ହେଇଗଲାଣି। ଏଣୁ ବିଦ୍ୟାଳୟ ସ୍ତରରୁ ପଠନ ରୁଚିର ବୃଦ୍ଧି ହେବା ସହ ମହାବିଦ୍ୟାଳୟ ସ୍ତରରେ ଏହାର ପ୍ରସାର ହେବା ବାଞ୍ଛନୀୟ ଅଟେ। ଅନ୍ୟଥା ଆମ ଭାଷା ସାହିତ୍ୟ ନିଜର ପରିଚୟ ସଙ୍କଟର କୃଷ୍ଣଗର୍ତ୍ତରେ ନିଜର ସତ୍ତା ହରେଇବ, ଏହା କୁହାଯାଇପାରେ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?

ସାମାଜିକ ଗଣମାଧ୍ୟମ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ହେଲେ ଏହାର ସାର୍ଥକ ଉପଯୋଗ ନହେଲେ ଏହା ସ୍ଥଳ ବିଶେଷରେ ଅଭିଶାପ ପାଲଟିଯାଏ। ସାମାଜିକ ଗଣମାଧ୍ୟମରେ ସମ୍ପାଦନା ନଥାଏ ବା କୌଣସି ଲେଖାକୁ ପରିମାର୍ଜିତ କରିବାର ଅବକାଶ ହିଁ ନଥାଏ। ଏଣୁ ଅନେକ କ୍ଷେତ୍ରରେ ନିଜର ବନ୍ଧୁତ୍ୱ ପରିଧିର କାୟା ଓ ସମ୍ପର୍କ ଆଧାରରେ ଅନେକ ନିକୃଷ୍ଟ ଲେଖା ବି ଶହଶହ ମତ ପାଇବାର ଦେଖାଯାଏ, ଯାହା ଲେଖକଟିକୁ ପ୍ରଚଣ୍ଡ ଅହଙ୍କାର ଓ ଆତ୍ମୋଲ୍ଲାସ ଦେବାସହ ନିଜ ଲେଖାକୁ ଶ୍ରେଷ୍ଠ ବିବେଚନା କରିବାର ମିଛ ମିଠାପଣ ଦେଇଥାଏ। ଧୀରେଧୀରେ ଏହା ଲେଖକର ସୃଜନୀଶକ୍ତିକୁ ନଷ୍ଟ କରେ। ଏଣୁ ସାମାଜିକ ଗଣମାଧ୍ୟମରେ ଲେଖାର ପ୍ରସାର ବେଳେ ଆମକୁ ଯଥେଷ୍ଟ ସଂଭ୍ରମ ଓ ସଂଯମର ଆବଶ୍ୟକତା ଅଛି।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି?

ମୁଁ ସାହିତ୍ୟକୁ ନେଇ ସ୍ବପ୍ନ ଦେଖିବାର ଅବକାଶ ଏଯାଏଁ ପାଇନି, ହେଲେ ସ୍ବପ୍ନରେ ସାହିତ୍ୟକୁ ଦେଖି ପୁଲକିତ ହୁଏ ଅନେକ ଥର। ସାହିତ୍ୟ ମୋ ଆତ୍ମାର ଗହଣା। ସାହିତ୍ୟ ମୋ ବିଶ୍ବାସର ଫୁଲ ନେଇ ହସୁଥିବା ପ୍ରତିବଦ୍ଧତାର ଅଗଣା। ଶେଷଯାଏ ସାହିତ୍ୟ ହିଁ ମୋ ହୃଦୟର ସ୍ପନ୍ଦନ ଓ ଦେହର ଝାଳଗନ୍ଧ ହେଇ ମତେ ପ୍ରେମମନସ୍କ ଓ ଜୀବନମନସ୍କ କରୁଥାଉ, ଏତିକି କାମନା କରିବି ନିଶ୍ଚୟ।

Comments are closed.