ଭୁବନେଶ୍ୱର: ଗୁଜୁରାଟରେ ଫସି ରହିଥିବା ଓଡ଼ିଆ ବ୍ୟକ୍ତିଙ୍କୁ ଫେରାଇ ଆଣିବା ଲାଗି ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି।
ଏହି ଆଲୋଚନାରେ ଭିଡିଓ କନଫରେନ୍ସିଂ ଜରିଆରେ ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ରହିଥିଲେ ।
ଉକ୍ତ ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ଦୁଇ ରାଜ୍ୟରୁ ପ୍ରାୟ ୨ ଜଣ ବରିଷ୍ଠ ଅଫିସରଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯିବ । ଏହାବ୍ୟତୀତ ଶ୍ରମିକମାନଙ୍କୁ ବସ୍ ଯୋଗେ ଫେରାଇ ଆଣିବା ପାଇଁ ବ୍ୟବସ୍ଥା ହେବ । ଏଥିସହ ପରିବହନ ମାଧ୍ୟମ ସମ୍ପର୍କରେ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ ।
ପ୍ରାପ୍ତ ସୂଚନାନୁଯାୟୀ ଓଡ଼ିଶା ଫେରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ ଅଟେ । ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ, ଯେପରିକି ଓଡ଼ିଶାରେ ପହଞ୍ଚିବା ପରେ ସେମାନେ କ୍ୱାରେଣ୍ଟାଇନରେ ରହିବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ ।
ଆହୁରି ମଧ୍ୟ ଗୁଜୁରାଟରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ବସର ରୋଡ ଟ୍ୟାକ୍ସ ଛାଡ଼ କରିବା ଲାଗି ମହାରାଷ୍ଟ୍ର, ଛତିଶଗଡ଼ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଛି ।
Comments are closed.