Latest Odisha News

BREAKING NEWS

ଲକ୍‌ଡାଉନ ଡାଏରୀ : ଜଗନ୍ନାଥଙ୍କ ବହି ପଢିବା ସହ ମାହାରୀ ନୃତ୍ୟ ସମ୍ପର୍କୀତ ଭିଡିଓ ପ୍ରସ୍ତୁତ କରୁଛନ୍ତି ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର

ପୁରୀ : ଲକ୍‌ଡାଉନ ସାରା ଦେଶକୁ ସ୍ଥାଣୁ କରିଦେଇଛି । ପ୍ରତ୍ୟେକ କିଛି ନା କିଛି କ୍ଷତି ସହୁଛନ୍ତି । ଏହା ଆମ ପାଇଁ କ୍ଷତି ତ କରିଛି ତେବେ ଲାଭ ବି ଅନେକ କରିଛି । ଲୋକେ ପରିବାର ସହ ସମୟ କାଟିବାକୁ ସୁଯୋଗ ପାଇଛନ୍ତି । ଏଥି ସହ ଅନେକଙ୍କ ଲୁକ୍କାୟିତ ପ୍ରତିଭା ବି ଲୋକଲୋଚନକୁ ଆସିପାରିଛି । ତେବେ ଏ ଲକଡାଉନ କାହା ପାଇଁ କେମିତି ଜାଣିବା ଆମ ସେଗମେଣ୍ଟ ଲକ୍ ଡାଉନ ଡାଏରୀରେ ।

ମାହାରୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର କହନ୍ତି, ‘କରୋନା ମହାମାରୀ କେବଳ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ତା ନୁହେଁ ଏହା ଜଗନ୍ନାଥ ମନ୍ଦିରର ପୂଜକ, ଉଠାଦୋକାନୀ ଓ ଅନ୍ୟମାନଙ୍କ ଭବିଷ୍ୟତ ନେଇ ମଧ୍ୟ ଅନିଶ୍ଚିତତା ସୃଷ୍ଟି କରିଛି ।

ଏଭଳି ପରିସ୍ଥିତିକୁ ନେଇ ମୋତେ ଚିନ୍ତା ଲାଗି ରହୁଥିବାରୁ ମୁଁ ନିଜକୁ ବିଭିନ୍ନ ସୃଜନାତ୍ମକ କାମ ତଥା ଘର କାମରେ ବ୍ୟସ୍ତ ରଖୁଛି । ’

ପ୍ରଥମେ ପ୍ରଥମେ ଲକ୍ ଡାଉନ ତାଙ୍କୁ ଭାରି ଭଲ ଲାଗିଲା । ସବୁ ବେଳେ କାମ ବ୍ୟସ୍ତରେ ରହୁଥିବା ପରିବାରର ସଦସ୍ୟମାନେ ଏକାଠି ହୋଇ ସମୟ ବିତାଇବା ଖୁବ୍ ଖୁସି ଦେଇଥିଲା ।

ଜଗନ୍ନାଥ ସଂସ୍କୃତିକୁ ଭଲ ପାଉଥିବା ରୂପଶ୍ରୀ ଲକ୍‌ଡାଉନ ସମୟରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ପୁସ୍ତକ ପଢୁଛନ୍ତି । ଏଥି ସହ ମାହାରୀ ନୃତ୍ୟର ଭିଡିଓ ମଧ୍ୟ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ତାଙ୍କ ମତରେ ଲୋକେ ଜାଣିବା ଉଚିତ ଯେ ସେ ସକ୍ରିୟ ଅଛନ୍ତି ।

ଋୂପଶ୍ରୀ କହନ୍ତି, ‘ତାଙ୍କୁ ରୋଷେଇ କରିବାକୁ ବେଶ୍ ପସନ୍ଦ । ଲକ୍ ଡାଉନ ଯୋଗୁଁ ବାହାରକୁ ଯିବା ବନ୍ଦ ଥିବାରୁ ବିଭିନ୍ନ ପ୍ରକାର ମନପସନ୍ଦର ରୋଷେଇ କରୁଛି । ଏଥି ସହ ଝିଅ ସହ ସମୟ ବିତଉଛି ଓ ତାକୁ ମାହାରୀ ନୃତ୍ୟ ଶିକ୍ଷା ଦେଉଛି । ’

ଏଥି ସହ ବୁଲା କୁକୁର, ମାଙ୍କଡ, ବିଲେଇ ଓ ଚଢେଇମାନଙ୍କୁ ସବୁ ଦିନ ଖାଇବାକୁ ଦେଉଛନ୍ତି ।

ନିଜକୁ ଫିଟ୍ ରଖିବା ପାଇଁ ରୂପଶ୍ରୀ ପ୍ରତିଦିନ କିଛି ନା କିଛି ବ୍ୟାୟାମ କରୁଛନ୍ତି । ବିଶେଷ କରି ସକାଳ ସମୟରେ ସେ ଏହି ବ୍ୟାୟାମ କରିଥାନ୍ତି ।

ସେ କହିଛନ୍ତି, ‘ଆଗକୁ ମୋର ୨୦ଟି ନୃତ୍ୟ କାର୍ଯ୍ୟକ୍ରମ ପାଇଁ ଦିନ ସ୍ଥିର ହୋଇଥିଲା । ସେଥିରୁ ୧୦ଟି ବିଭିନ୍ନ ଦେଶରେ ହୋଇଥିବା ବେଳେ ୧୦ଟି ଦେଶ ଭିତରେ ଥିଲା । କିନ୍ତୁ କରୋନା ପାଇଁ ସବୁଗୁଡିକ ବାତିଲ ହୋଇଛି । ’

ତେବେ କରୋନା ଲାଭଠାରୁ ଅଧିକ କ୍ଷତି କରିଥିବା ସେ କହିଛନ୍ତି ।

Leave A Reply

Your email address will not be published.