Latest Odisha News

BREAKING NEWS

ଲକ୍‌ଡାଉନ ଡାଏରୀ : ନିଜ ରୋଷେଇ କଳାରେ ପରିବାର ଲୋକଙ୍କୁ ଆପାୟିତ କରୁଛନ୍ତି ମାଷ୍ଟର ସେଫ୍ ଫାଇନାଲିଷ୍ଟ ସ୍ମୃତିଶ୍ରୀ ସିଂ

ଲକ୍ ଡାଉନ ଯୋଗୁଁ ସମସ୍ତେ ଏବେ ଘରେ । ସେ ପାଠପଢା ହେଉ କି ଅଫିସ କାମ ସବୁର ଚାପ ଏବେ କମ ଥିବାରୁ ସମସ୍ତେ ପ୍ରତିଦିନ କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ସବୁ ବେଳେ ବ୍ୟସ୍ତ ରହୁଥିବା ଲୋକଙ୍କ ସମୟ ଲକ୍ ଡାଉନ ବେଳେ କେମିତି କଟୁଛି ତାହା ଜାଣିବା ପାଇଁ ଆମର ଏଇ ସ୍ୱତନ୍ତ୍ର ସେଗମେଣ୍ଟ ଲକ୍‌ଡାଉନ ଡାଏରୀ ।

କିଛି ଦିନ ତଳେ ଏକ ଘରୋଇ ଚ୍ୟାନଲେ ପକ୍ଷରୁ ପ୍ରସ୍ତୁତ ମାଷ୍ଟର ସେଫ୍ ଇଣ୍ଡିଆର ଫାଇନାଲିଷ୍ଟ ହୋଇଥିଲେ ଓଡିଶାର ସ୍ମୃତିଶ୍ରୀ ସିଂ । ଏବେ ସେ ମୁମ୍ବାଇରୁ ଫେରି ନିଜ ଘରେ ଅନୁଗୁଳରେ ଅଛନ୍ତି ।

ସ୍ମୃତିଶ୍ରୀ କହନ୍ତି, ‘ମୁଁ ମୁମ୍ବାଇରୁ ଫେରିବା ପରେ ପରେ ଲକ୍ ଡାଉନ ହୋଇଗଲା । ମୁଁ ଘରକୁ ଫେରିଆସିଛି ବୋଲି ମୁଁ ଭାରି ଖୁସି । ଘରେ ବି ଏତେ ଦିନ ପରେ ମୋତେ ପାଖରେ ପାଇ ସମସ୍ତେ ଖୁସି । ଏବେ ସମସ୍ତେ ଘରେ ରହୁଥିବା ବେଳେ ମୋ ହାତ ରନ୍ଧା ଖାଇବାକୁ ସମସ୍ତଙ୍କ ମନ । ତେଣୁ ମୁଁ ପ୍ରତିଦିନ କିଛି କିଛି ନୂଆ ଜିନିଷ ତିଆରି କରିଥାଏ ।’

ସାଧାରଣତଃ ସବୁ ଦିନ ସ୍ମୃତିଶ୍ରୀ ଭଲ ଖାଇବାକୁ ବ୍ୟଗ୍ର ଥାନ୍ତି । କିନ୍ତୁ ମାଷ୍ଟରସେଫ୍ ଯିବା ପରେ ସେ ଶୋଇବା ଓ ପରିବାର ସହ ସମୟ ବିତାଇବା ପାଇଁ ବ୍ୟଗ୍ର । ମୁମ୍ବାଇରେ ଚାରି ମାସ ରହଣି ପ୍ରତିଦିନ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବା ସତେ ଯେମିତି ତାଙ୍କ ନିଦ ହଜାଇ ଦେଇଥିଲା ।

ସ୍ମୃତିଶ୍ରୀ କୁହନ୍ତି, ‘ମୁମ୍ବାଇରୁ ଆସିବା ପରେ ମୁଁ ଏତେ ହାଲିଆ ଥିଲି ଯେ ଘରଲୋକ ମତେ ଶୋଇବାକୁ ଛାଡିଦେଲେ । ଯେତେବେଳେ ସେମାନଙ୍କୁ ଲାଗିଲା ଯେ ମୋ ହାଲିଆ ଛାଡି ଗଲାଣି ଡିମାଣ୍ଡ ଆରମ୍ଭ ହୋଇଗଲା । ଏମିତି ନୁହେଁ ଯେ ମତେ ସେମାନଙ୍କ ପାଇଁ ରୋଷେଇ କରିବାକୁ ଇଚ୍ଛା ନାହିଁ ତା ନୁହେଁ , ମୁଁ ବି ପ୍ରତିଦିନ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିବା ସହ ଖାଇ ସାରିବା ପରେ ସେମାନଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁ ରହିଥାଏ । ’

କହିବାକୁ ଗଲେ ଏବେ ରୋଷେଇ ଘରର ଦାୟିତ୍ୱ ତାଙ୍କ ଉପରେ । ସମସ୍ତଙ୍କ ମନ ଖୁସି କରିପାରୁ ଥିବାରୁ ତାଙ୍କୁ ବେଶ୍ ଖୁସି ଲାଗୁଥିବା କହିଛନ୍ତି । ସବୁ ଦିନ ନୂଆ ନୂଆ ଖାଦ୍ୟ ରାନ୍ଧିଥାନ୍ତି ସେ । କେତେବେଳେ ରେଷ୍ଟୁରାଣ୍ଟ ଷ୍ଟାଇଲରେ ତ କେତେବେଳେ ବିଭିନ୍ନ ପ୍ରକାର କେକ୍ ତିଆରି କରିଥାନ୍ତି । ବହୁ ସମୟରେ ଏକ୍ସପରିମେଣ୍ଟ ମଧ୍ୟ କରନ୍ତି ସ୍ମୃତିଶ୍ରୀ ।

ଏସବୁ ଭିତରେ ରେସିପି ସମ୍ପର୍କୀତ ବହୁ ବହି ପଢାପଢି କରନ୍ତି । ବିଭିନ୍ନ ପ୍ରକାର ଲେଖକଙ୍କ ରୋଷେଇ ସମ୍ପର୍କୀତ ବହି ବିଶେଷ କରି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ସମ୍ପର୍କୀତ ବହି ପଢିବାକୁ ସେ ବେଶୀ ଭଲ ପାଆନ୍ତି ।

ଲକ୍ ଡାଉନ ଥିବାରୁ ଘରୁ ବାହାରକୁ ଯାଇହେଉନି । ତେଣୁ ସ୍ମୃତିଶ୍ରୀ ପ୍ରତିଦିନ କିଛି ସମୟ ଗୀତ ଶୁଣିବା ସହ ଆର୍ଟ ଓ ଡ୍ୟାନ୍ସ କରି ସମୟ କାଟୁଛନ୍ତି । ‘ଏକୁଟିଆ ଥିବା ବେଳେ ମତେ ଛାତ ଉପରକୁ ଯାଇ ଖୋଲା ଆକାଶକୁ ଚାହିଁ ରହିବାକୁ ବେଶ୍ ଭଲ ଲାଗିଥାଏ । ଏବେ ତ ଗାଡି ମଟର ଚାଲୁ ନ ଥିବାରୁ ଏହା ପ୍ରଦୂଷଣ ମୁକ୍ତ ରହିଛି । ଚଢେଇମାନଙ୍କର କିଚିରିମିଚିରି ଶଦ୍ଦ ମତେ ଭାରି ଭଲ ଲାଗେ’ ବୋଲି କହିଛନ୍ତି ସ୍ମୃତିଶ୍ରୀ ।

ଏସବୁ ବାଦ ଦେଲେ ସୋସିଆଲ ମିଡିଆରେ ବି ବେଶ୍ ଆକ୍ଟିଭ୍ ସେ । ଯେତେପାରନ୍ତି ସମସ୍ତଙ୍କ ସହ ସୋସିଆଲ ମିଡିଆ ଜରିଆରେ ଯୋଡି ହୋଇ ରହିବାକୁ ଚେଷ୍ଟା କରନ୍ତି । ବାହାରେ ବୁଲାବୁଲି କରିବାକୁ ପସନ୍ଦ କରୁଥିବାରୁ ଏହାକୁ ବେଶ୍ ମିସ୍ କରୁଛନ୍ତି ସେ । ତେବେ ଖୁବ୍ ଶୀଘ୍ର ଏଦିନ ଦୂରେଇ ଯିବ ବୋଲି ସ୍ମୃତିଶ୍ରୀ ଆଶା ରଖିଛନ୍ତି ।

Leave A Reply

Your email address will not be published.