ଭୁବନେଶ୍ୱର : ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ । କେତେକ ସ୍ଥାନରେ କଟକଣାକୁ କୋହଳ କରାଯାଇଛି । ତଥାପି ବାହାରେ ଅଯଥା ବୁଲାବୁଲି କରିବା ନେଇ ବାରଣ ରହିଛି । ତେବେ ଏହି ଲକଡାଉନ ସମୟରେ ସମସ୍ତେ ଘରେ ରହୁଥିବାରୁ ପରିବାର ଭିତରେ ବଢିଛି ସମ୍ପର୍କ ଆହୁରି ସୁଦୃଢ ହୋଇଛି । ଆଗରୁ ପିଲାଙ୍କ ପାଇଁ ବାପାମାଆଙ୍କ ପାଖରେ ସମୟ କମ ରହୁଥିବା ବେଳେ ଏବେ ସମସ୍ତେ ଏକାଠି ଘରେ ଖିଆପିଆ ସହ ଖେଳ ମଜ୍ଜାରେ ସମୟ କଟିଯାଉଛି ।
କେବଳ ଏତିକି ନୁହେଁ ସମୟ ମିଳିଥିବାରୁ ପ୍ରତ୍ୟେକ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା ପ୍ରତିପାଦିତ କରିପାରୁଛନ୍ତି । କାହାର ରୋଷେଇରେ ଆଗ୍ରହ ଅଛି ତ ସେ ୟୁଟ୍ୟୁବ ଦେଖି ନୂଆ ନୂଆ ପ୍ରକାର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । କାହାର ବହି ପଢାରେ ଆଗ୍ରହ ଥିବା ବେଳେ ସେ ଘର ଥିବା ପୁରୁଣା ବହି ସବୁ ଖୋଜି ପଢୁଛନ୍ତି । ନାତିନାତୁଣୀମାନେ ଆଇ ମାଆଠାରୁ ବିଭିନ୍ନ ପ୍ରକାର କାହାଣୀ ଶୁଣୁଛନ୍ତି । ଉଣା ଅଧିକେ ଏହି ଲକ୍ଡାଉନ ଅନେକ କ୍ଷତି କରିଥିଲେ ବି ବହୁତ ଭଲ କାମ ବି କରିଛି ।
ତେବେ ଏହି ଲକ୍ଡାଉନ କାହା ପାଇଁ କେମିତି ସେଥିପାଇଁ ରହିଛି ଆମ ସ୍ୱତନ୍ତ୍ର ସେଗମେଣ୍ଟ ଲକଡାଉନ ଡାଏରୀ । ଜାଣିବା ସମାଜସେବୀ ପ୍ରୀତିଛନ୍ଦା ଧଳଙ୍କର କେମିତି କଟୁଛି ଲକ୍ ଡାଉନ ସମୟ ।
ସାଧାରଣତଃ ଘର କାମ ସହ ସମାଜସେବାରେ କଟିଥାଏ ପ୍ରୀତିଛନ୍ଦାଙ୍କ ସମୟ । ପ୍ରତ୍ୟେକ ଦିନ ବୈଠକ, ସଭା ସମିତି ଏ ସବୁ ଭିତରେ ଯେମିତି ନିଜ ପାଇଁ ସମୟ ଟିକିଏ ମିଳି ନ ଥାଏ । କିନ୍ତୁ ଲକ୍ଡାଉନ ଯୋଗୁଁ ଏସବୁ ଦୈନ୍ୟନ୍ଦିନ ରୁଟିନ ଏବେ ବନ୍ଦ ।
ଏ ନେଇ ପ୍ରୀତିଛନ୍ଦା କୁହନ୍ତି, ‘ଲକ୍ ଡାଉନକୁ ମୁଁ ବହୁତ ଉପଭୋଗ କରୁଛି । ଅନେକ ଲୋକ କହୁଛନ୍ତି ଘରେ ରହି ସେମାନେ ବୋର୍ ହେଇଯାଉଛନ୍ତି । ମୋତେ କିନ୍ତୁ ସାମାନ୍ୟତମ ବୋର ଲାଗୁନି । ’
ଲକ୍ଡାଉନ ଯୋଗୁଁ ତାଙ୍କ ଘରକୁ ଏବେ ରୋଷେୟା ଆସୁନାହିଁ । ତେଣୁ ପ୍ରତିଦିନ ପୁଅ ଓ ସ୍ୱାମୀଙ୍କ ମନ ପସନ୍ଦର ଖାଦ୍ୟ ରାନ୍ଧୁଛନ୍ତି ସେ ।
ଏଥି ସହ ସେ ଓ ତାଙ୍କ ସ୍ୱାମୀ ମିଶି ପୁଅର ପାଠପଢା ଦେଖୁଛନ୍ତି । ସମସ୍ତେ ସାଙ୍ଗ ହୋଇ ରାମାୟଣ ଓ ମହାଭାରତ ବି ଦେଖି ପାରୁଥିବାରୁ ବେଶ୍ ଖୁସି ଲାଗୁଥିବା ସେ କହିଛନ୍ତି ।
ଜଣେ ସମାଜସେବୀ ହିସାବରେ ବାହାରକୁ ଯାଇ ଲୋକଙ୍କ ସେବା କରିବା ସମ୍ଭବ ହେଉ ନ ଥିବାରୁ ଘରେ ରହି ଫୋନରେ ଫ୍ୟାମିଲି କାଉନସେଲିଂ କରୁଛନ୍ତି । ଏଥି ସହ ମହିଳାମାନଙ୍କର ବିଭିନ୍ନ ସମସ୍ୟା ସମାଧାନ ମଧ୍ୟ କରୁଛନ୍ତି ସେ ।
ବହି ପଢିବାର ସଉକ ଥିଲେ ମଧ୍ୟ କର୍ମବ୍ୟସ୍ତତା ମଧ୍ୟରେ ପ୍ରୀତିଛନ୍ଦାଙ୍କୁ ଅଧିକ ସମୟ ମିଳିପାରି ନ ଥାଏ । କିନ୍ତୁ ଲକ୍ଡାଉନ ତାଙ୍କୁ ଏହି ସୁଯୋଗ ଦେଇଛି । ବହୁ ଦିନରୁ ବୁକ୍ ସେଲଫ୍ରେ ସଜାଡି ରଖିଥିବା ବହି ଏବେ ପଢିପାରୁଛନ୍ତି । କେବଳ ସେତିକି ନୁହେଁ ବିଭିନ୍ନ ସମ୍ବାଦପତ୍ର ପାଇଁ ସ୍ତମ୍ଭ ବି ଲେଖୁଛନ୍ତି ।
ସକାଳୁ ସାଧାରଣତଃ ପୁଅର ସ୍କୁଲ ଓ ଘର କାମ ଭିତରେ ବ୍ୟାୟାମ କି ଯୋଗ କରିବା ସମ୍ଭବ ହେଉ ନ ଥିଲା । ଯଦି ବି କରିଥାନ୍ତି ତାହାକୁ କମ୍ ସମୟ ଭିତରେ ତାହା ଶେଷ କରିବାକୁ ପଡିଥାଏ । କିନ୍ତୁ ଏବେ ଏଥି ପାଇଁ ଟିକେ ଅଧିକ ସମୟ ମିଳିପାରୁଛି ।
ତେବେ ଲକ୍ଡାଉନର ପ୍ରଥମ ସପ୍ତାହରେ ସେ ଘରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟୁଥିଲେ । ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟାଗଲା ପରେ ଏବେ ଏହା ଆଉ ପ୍ରସ୍ତୁତ କରୁନାହାନ୍ତି ।
ପ୍ରୀତିଛନ୍ଦା କୁହନ୍ତି, ‘ଲକ୍ ଡାଉନ ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହୋଇଛି । କିନ୍ତୁ ସରକାର ଯେତେବେଳେ ଏହାକୁ ପାଳନ କରିବାକୁ କହୁଛନ୍ତି ସେତେବେଳେ ଆମେ ପାଳନ କରିବାର ଆବଶ୍ୟକତା ରହିଛି । ଏହାକୁ ମୁଁ ପାଳନ କରିବା ଦ୍ୱାରା ମୋ ପରିବାର ଆଜି ସୁରକ୍ଷିତ ଅଛି । ’
ଲକଡାଉନ ପରବର୍ତ୍ତୀ ଅବସ୍ଥାକୁ ନେଇ ପ୍ରୀତିଛନ୍ଦାଙ୍କ ଚିନ୍ତା ବଢିଯାଇଛି । ତାଙ୍କ ମତରେ ଆଗକୁ ଆମକୁ ଏକ ବଡ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ । ତେଣୁ ଆମେ ଏହାକୁ ଧୈର୍ଯ୍ୟର ସହ ମୁକାବିଲା କରିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।
Comments are closed.