Latest Odisha News

ଲକ୍‌ଡାଉନ ହିରୋ: ମୁମ୍ବାଇର ଅଟିଷ୍ଟିକ୍ ଶିଶୁ ପାଇଁଁ ଜରୁରୀ ଓଟ କ୍ଷୀର ରାଜସ୍ଥାନରୁ ପହଞ୍ଚିଲା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ଗାଡି ମଟର ଚଳାଚଳ ଉପରେ କଟକଣା ଲାଗିଛି । ଦୋକାନମାନଙ୍କରେ ଗ୍ରୋସରି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ତ ମିଳୁଛି କିନ୍ତୁ ମୁମ୍ବାଇର ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର କ୍ୟାମ୍ପସରେ ରହୁଥିବା ଜଣେ ମାଆକୁ ଖାଦ୍ୟ ଆଲର୍ଜି ରହିଥିବା ତାଙ୍କ ସାଢେ ତିନି ବର୍ଷର ଅଟିଷ୍ଟିକ୍ ଶିଶୁ ପାଇଁ ଆବଶ୍ୟକ ହେଉଥିବା ଓଟକ୍ଷୀର ମିଳିପାରି ନ ଥିଲା ।

ଖାଦ୍ୟ ଆଲର୍ଜି ରହିଥିବା ପିଲାଟି ଓଟକ୍ଷୀର ଓ ଏକ ନିଦ୍ଦିଷ୍ଟ ପ୍ରକାରର ଡାଲି ବ୍ୟତୀତ ଅନ୍ୟ କିଛି ଖାଉ ନ ଥିବାରୁ ମାଆ ନେହା କୁମାରୀ ବ୍ୟସ୍ତ ହୋଇପଡିଥିଲେ । ମୁମ୍ବାଇରେ ଯେତେ ଓଟକ୍ଷୀର ବିତରକ ଥିଲେ ସମସ୍ତଙ୍କ ସହ ଯୋଗାଯୋଗ ବି କରିଥିଲେ । କିନ୍ତୁ କିଛି ଲାଭ ମିଳିଲା ନାହିଁ । ଏ ନେଇ ସେ ଗତ ୪ତାରିଖରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟମାନଙ୍କୁ ସୋସିଆଲ ମିଡିଆ ଓ ଫୋନରେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଥିଲେ ।

ସୋସିଆଲ ମିଡିଆରେ ତାଙ୍କର ଏହି ନିବେଦନକୁ ଇସାନ ବଜାଜ ନାମକ ଜଣେ ବ୍ୟକ୍ତି ଓଡିଶା କ୍ୟାଡର ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ଟ୍ୟାଗ୍ କରି ରାଜସ୍ଥାନରୁ ଏହା ଯୋଗାଡିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ।

ଏହା ପରେ ଆକ୍ସନକୁ ଆସିଥିଲେ ଅରୁଣ ବୋଥ୍ରା । ବ୍ୟକ୍ତିଗତ ଭାବେ ଯଥା ସମ୍ଭବ ଉଦ୍ୟମ ଆରମ୍ଭ କରିଥିଲେ ସେ । ଟ୍ୱିଟରରେ ସେ ଏଥି ନେଇ ସୂଚନା ଦେବା ପରେ ରାଜସ୍ଥାନ ସାଦ୍ରି ନିକଟର କିଛି ବ୍ୟକ୍ତି ଓଟକ୍ଷୀର ଉପଲବ୍ଧ ଥିବା କହିଥିବା ବେଳେ ଲକ୍ ଡାଉନ ବେଳେ ଏହାକୁ ପଠାଇବା କଷ୍ଟକର ବ୍ୟାପାର ବୋଲି କହିଥିଲେ ।

ନିଜ ପକ୍ଷରୁ ରେଳବାଇ ଅଧିକାରୀଙ୍କ ସହଯୋଗ ଲୋଡିଥିଲେ ଅରୁଣ ବୋଥ୍ରା । ଶେଷରେ ଉତ୍ତର ପଶ୍ଚିମ ରେଳବାଇର ସିପିଟିଏମ୍ ତରୁଣ ଜୈନଙ୍କ ସହାୟତାରେ ଏକ ଅଣସ୍ଥିରୀକୃତ ସ୍ଥାନରେ ଟ୍ରେନ ରଖି ଏହି ୨୦ ଲିଟର ଓଟ କ୍ଷୀର କଣ୍ଟେନରକୁ ଟ୍ରେନରେ ମୁମ୍ବାଇ ଅଣାଯାଇଥିଲା । ୧୦ ତାରିଖ ରାତିରେ ଏହି ୨୦ ଲିଟର ଓଟକ୍ଷୀର ନେହାଙ୍କ ପାଖରେ ପହଞ୍ଚିଛି । ଓଟକ୍ଷୀରକୁ ସେ ନିଜ ଛୁଆ ପାଇଁ ରଖିବା ସହିତ ଓଟକ୍ଷୀର ଦରକାର କରୁଥିବା ଅନ୍ୟ ଏକ ପରିବାରକୁ ଦେଇଛନ୍ତି ।

 

ତେବେ ରାଜସ୍ଥାନରୁ ଓଟକ୍ଷୀର ପହଞ୍ଚିବା ମଧ୍ୟରେ ଅରୁଣ ବୋଥ୍ରା ବ୍ୟକ୍ତିଗତ ଭାବେ ଆଦ୍ୱିକ ଫୁଡସ୍ ସଙ୍ଗେ ଯୋଗାଯୋଗ କରିବା ପରେ ଏହି ପରିବାର ପାଖରେ ଓଟକ୍ଷୀର ପାଉଡର ପହଞ୍ଚିଥିଲା ।

ଲକ୍ ଡାଉନ ଭଳି ସଙ୍କଟ ସମୟରେ ମଧ୍ୟ ଦୃଢ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ସମ୍ଭବ ହୋଇପାରିବ ଏହାକୁ ପ୍ରମାଣିତ କରିଛନ୍ତି ଆଇପିଏସ୍ ଅଫିସର ଅରୁଣ ବୋଥ୍ରା, ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ଏବଂ ରାଜସ୍ଥାନରେ ଓଟକ୍ଷୀର ଯୋଗାଡ କରି ପଠାଇଥିବା ବ୍ୟକ୍ତି ବିଶେଷ ।

ଏଥି ନେଇ ଟ୍ୱିଟରରେ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟୁଛି । ଏଯାଏଁ ସାଢେ ଚାରି ଲକ୍ଷରୁ ଅଧିକ ଲୋକ ଏହି ଟ୍ୱିଟ୍‌କୁ ଲାଇକ କରିଥିବା ବେଳେ ଲକ୍ଷେ ପନ୍ଦର ହଜାରରୁ ଅଧିକ ଲୋକ ରିଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.