Latest Odisha News

ବିଭାଗୀୟ ପତ୍ରାଳାପରେ ବ୍ୟବହାର ହେବ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଲୋଗୋ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବ । ସମସ୍ତ ବିଭାଗୀୟ ପତ୍ରାଳାପରେ ଏହାକୁ ପ୍ରମୁଖ ଭାବେ ସ୍ଥାନିତ କରାଯିବ। ଏଥିପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଲୋଗୋର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’।

ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଛି ଓଡ଼ିଆ ଭାଷା। ଏହାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି।

ଏତଦବ୍ୟତୀତ ସମସ୍ତ ସରକାରୀ ଗାଡିରେ ଏହି ସମ୍ମିଳନୀ ଲୋଗୋକୁ ବ୍ୟବହାର ସହ ରାଜ୍ୟର ବିଭିନ୍ନ ପ୍ରମୁଖ ସ୍ଥାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟର କାନ୍ଥରେ ମଧ୍ୟ ଏହାକୁ ଚିତ୍ରଣ କରାଯିବ । ଏପରିକି ଜିଲ୍ଲା ସ୍ତରରେ ମଧ୍ୟ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ ।

ଏକ ସ୍ୱତନ୍ତ୍ର ଐତିହ୍ୟର ଶକ୍ତିଶାଳୀ ବାହକ ଭାବରେ ଭବିଷ୍ୟତ ତଥା ଯୁବପିଢ଼ିଙ୍କ ପାଖରେ ଓଡ଼ିଆ ଭାଷା କିଭଳି ଆହୁରି ଆଦୃତି ଲାଭ କରିବ ଏବଂ ଆଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ଆମ ଭାଷା କିପରି ଆଗକୁ ବଢ଼ିପାରିବ ଏହି ସମ୍ମିଳନୀ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବ । ଏ ସମ୍ପର୍କରେ ଭାଷାବିତ ଓ ବୁଦ୍ଧିଜୀବୀ ମାନେ ସମ୍ମିଳନୀର ବିଭିନ୍ନ ସୋପାନରେ ବିଚାର- ବିମର୍ଷ କରିବେ ।

Comments are closed.