Latest Odisha News

BREAKING NEWS

କଟକ, ଢେଙ୍କାନାଳ ଓ କେନ୍ଦୁଝର ଆସନରେ ବିଜେଡ଼ି ଲୋକସଭା ପ୍ରାର୍ଥୀ କିଏ ?

ଭୁବନେଶ୍ୱର: ବିଜେଡ଼ି ବୁଧବାର ଦିନ ୯ ଜଣ ଲୋକସଭା ପ୍ରାର୍ଥୀଙ୍କର ନାମ ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏବେ ସୁଦ୍ଧା ଦଳ ପକ୍ଷରୁ ଲୋକସଭା ନିମନ୍ତେ ସମୁଦାୟ ୧୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ବାକି ରହିଲା ଢେଙ୍କାନାଳ, କଟକ ଓ କେନ୍ଦୁଝର ଆସନ । ଏହି ତିନୋଟି ଆସନରୁ ବିଜେଡ଼ି କାହାକୁ ପ୍ରାର୍ଥୀ କରିବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।

କଟକ ଲୋକସଭା ଆସନରେ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ ଦଳ ଏଥର ଟିକଟ ନ’ଦେଇପାରେ । ତାଙ୍କ ସ୍ଥାନରେ ନୂଆ ମୁହଁ ଖୋଜୁଛି ଦଳ । ଚର୍ଚ୍ଚା ଅନୁଯାୟୀ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ କଟକ ଆସନରେ ପ୍ରାର୍ଥୀ କରିପାରେ । ସୌମ୍ୟବାବୁ ବିଜେଡ଼ିରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଦଳ ‘ଆମ ଓଡ଼ିଶା’ ଏବେବି ବିଜେଡ଼ିରେ ବିଲୀନ ହୋଇନାହିଁ । କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠଗଡ଼, ବେଗୁନିଆ, ଖଣ୍ଡପଡ଼ା ଓ ବାଙ୍କିରେ ସମାନ୍ତରାଳ ଭାବେ ସଂଗଠନ ଚଳାଇଛି ‘ଆମ ଓଡ଼ିଶା’ । କଟକ ଲୋକସଭା ଆସନ ଅଧୀନରେ ଖଣ୍ଡପଡ଼ା, ଆଠଗଡ଼ ଏବଂ ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ତେଣୁ ସୌମ୍ୟବାବୁ ଗଠନ କରିଥିବା ଦଳର ସଂଗଠନ ଏହିସବୁ ଅଞ୍ଚଳରେ ରହିଥିବାରୁ ଦଳ ତାଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ସେହିପରି, ଢେଙ୍କାନାଳ ଲୋକସଭା ଆସନରେ ୪ଥର ସାଂସଦ ରହିଥିବା ତଥାଗତ ଶତପଥୀ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ତେଣୁ ଦଳ ସେଠାରେ କାହାକୁ ପ୍ରାର୍ଥୀ କରିବ ତାହା ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ । ସୂଚନା ଅନୁଯାୟୀ ଢେଙ୍କାନାଳର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା କାମାକ୍ଷା ପ୍ରସାଦ ସିଂହଦେଓଙ୍କ ବଡ଼ ବୋହୂ ନୀନାଲ କୁମାରୀ ସିଂହଦେଓଙ୍କୁ ବିଜେଡ଼ି ଢେଙ୍କାନାଳରୁ ପ୍ରାର୍ଥୀ ଭାବେ ଘୋଷଣା କରିପାରେ । ତେବେ ଢେଙ୍କାନାଳ ଲୋକସଭା ଆସନରୁ ବିଜେଡ଼ି ନେତା ସୁଧୀର ସାମଲ କିମ୍ବା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ କିମ୍ବା ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ଏପଟେ ମୁଖ୍ୟମନ୍ତ୍ରୀ ବୁଧବାର ଘୋଷଣା କରିଥିବା ପ୍ରାର୍ଥୀ ତାଲିକା ଅନୁଯାୟୀ ଢେଙ୍କାନାଳ ବିଧାନସଭା ଆସନରୁ ସୁଧୀର ସାମଲ ଏବଂ କାମାକ୍ଷାନଗର ବିଧାନସଭା ଆସନରୁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି । ସେପଟେ ସମ୍ବଲପୁର ଲୋକସଭା ଆସନରେ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଟିକଟ କଟିଛି ଏବଂ ପୂର୍ବତନ ପୂର୍ତ୍ତ ସଚିବ ତଥା ପ୍ରଶାସକ ନଳିନୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି । ତେଣୁ ଢେଙ୍କାନାଳ ଆସନରେ ନଗେନ୍ଦ୍ର ପ୍ରଧାନଙ୍କୁ ଥଇଥାନ କରାଯିବ ନା ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନୁଯାୟୀ ମହିଳାଙ୍କ ୩୩ ପ୍ରତିଶତ ଆରକ୍ଷଣ ଭିତ୍ତିରେ କାମାକ୍ଷା ପ୍ରସାଦଙ୍କ ବୋହୂଙ୍କୁ ବିଜେଡ଼ି ଟିକଟ ଦେବ ତାହା ଉପରେ ରହିଛି ନଜର ।

ଅନ୍ୟପକ୍ଷରେ, କେନ୍ଦୁଝର ଲୋକସଭା ଆସନ ପ୍ରାର୍ଥୀତ୍ୱ ମଧ୍ୟ ଘୋଷଣା କରାଯାଇନାହିଁ । ଏଠାରୁ ପ୍ରତିନିଧିତ୍ୱ କରୁଥିବା ମହିଳା ସାଂସଦ ଶକୁନ୍ତଳା ଲାଗୁରୀଙ୍କୁ ରିପିଟ୍ କରାଯିବ ନା ଦଳ ନୂଆ ମୁହଁ ଦେବ ତାହା ଚର୍ଚ୍ଚାରେ ରହିଛି ।

ବିଜେଡ଼ି ପକ୍ଷରୁ ଘୋଷଣା କରାଯାଇଥିବା ୧୮ଟି ଲୋକସଭା ଆସନରୁ ୧୫ଟି ଆସନରେ ନୂଆ ମୁହଁ ଦେଖିବାକୁ ମିଳିଛି । ତେବେ ବାକି ରହିଥିବା କଟକ, ଢେଙ୍କାନାଳ ଏବଂ କେନ୍ଦୁଝର ଆସନରେ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave A Reply

Your email address will not be published.