Latest Odisha News

BREAKING NEWS

୧୦% ସାଧାରଣ ବର୍ଗ ସଂରକ୍ଷଣ ବିଲ୍: ଲୋକସଭାରେ ପାସ୍ ପରେ ଏବେ ରାଜ୍ୟସଭା ପାଳି

ନୂଆଦିଲ୍ଲୀ : ଆର୍ଥିକ ରୂପରେ ଅନଗ୍ରସର ସାଧାରଣ ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବିଲ ମଙ୍ଗଳବାର ଦିନ ଲୋକସଭାରେ ପାରିତ ହୋଇଥିଲା ।

ଆଜି ଏହି ବିଲ୍ କେନ୍ଦ୍ର ସରକାର ରାଜ୍ୟସଭାରେ ଉପସ୍ଥାପନା କରିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ଏହି ସଂରକ୍ଷଣ ବିଲକୁ ଲୋକସଭାରେ ଉପସ୍ଥାପନା କରାଯାଇଥିବା ବେଳେ ଗୃହରେ ଉପସ୍ଥିତ ୩୨୬ ସାଂସଦଙ୍କ ମଧ୍ୟରୁ ୩୨୩ ଜଣ ସପକ୍ଷରେ ମତଦାନ କରିଥିବା ମାତ୍ର ୩ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ ।

କଂଗ୍ରେସ ଆଦି ଅନ୍ୟ ଦଳମାନେ ମଧ୍ୟ ଏହି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷଣ ଉପରେ ଅଣାଯାଇଥିବା ବିଧେୟକଙ୍କୁ ବିରୋଧ କରି ନାହାନ୍ତି । କଂଗ୍ରେସ ବିଲକୁ ଚୟନ କମିଟି ନିକଟକୁ ପଠାଇବାକୁ ଦାବି କରିଛି ।

ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜାନୁଆରୀ ୭ ତାରିଖ ଦିନ କେନ୍ଦ୍ରର ମୋଦି ସରକାର ଆର୍ଥିକ ଭାବେ ଅନଗ୍ରସର ଉଚ୍ଚ ଜାତି ଲାଗି ବିଭିନ୍ନ ସରକାରୀ ଚାକିରି କ୍ଷେତ୍ରରେ ୧୦% ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିଲେ ।

ପରବର୍ତ୍ତୀ ସମୟରେ ଏହି ସଂରକ୍ଷଣ ବିଲ ପାଇଁ ସରକାର ଏକ ସାମ୍ବିଧାନିକ ପ୍ରସ୍ତାବ ଆଗତ କରିଥିଲେ।

ଅନ୍ୟପକ୍ଷରେ ଚାକିରି କ୍ଷେତ୍ରରେ ସାଧାରଣ ବର୍ଗର ପ୍ରାର୍ଥିମାନେ କୌଣସି ସୁବିଧା ହାସଲ କରିପାରୁନଥିଲେ । ଏହି ସଂରକ୍ଷଣ ଯୋଗୁଁ ପ୍ରଥମଥର ଲାଗି ଉଚ୍ଚବର୍ଗର ଆର୍ଥିକ ଅନଗ୍ରସର ବ୍ୟକ୍ତିବିଶେଷ ଏହି ସଂରକ୍ଷଣ ବ୍ୟବସ୍ଥାରୁ ଉପକୃତ ହୋଇପାରିବେ ।

ତେବେ ଏହି ୧୦ ପ୍ରତିଶତ ସଂରକ୍ଷଣର ସୁବିଧା ଆର୍ଥିକ ଅନଗ୍ରସର ଏକ ପରିମାପକ ଦ୍ୱାରା ନିର୍ଦ୍ଧାରିତ କରାଯିବ । ଏଥିଲାଗି ବ୍ୟକ୍ତିବିଶେଷଙ୍କ ସମ୍ପତ୍ତିର ମୂଲ୍ୟ ଧାର୍ଯ୍ୟ କରାଯାଇ ଯୋଗ୍ୟତା ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.