Latest Odisha News

BREAKING NEWS

କଟକ ଦେଖିବ ସନ୍ତୃପ୍ତ ବନାମ ଭର୍ତ୍ତୃହରି ଲଢ଼େଇ !

କଟକ: ୨୬ ବର୍ଷରେ ବିଜେଡି ବଦଳାଇଲା କଟକ ସାଂସଦ ପ୍ରାର୍ଥୀ । କଟକ ଲୋକସଭା ଦେଖିପାରେ ଭେଟେରାନ୍ ବନାମ ନବାଗତ ଲଢେଇ । ସନ୍ତୃପ୍ତ ମିଶ୍ର ବନାମ ଭର୍ତ୍ତୃହରି ମହତାବ ମୁକାବିଲା ହୋଇପାରେ । ରାଜ୍ୟ ରାଜନୀତିରେ ଏହି ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେଡି ସାଂସଦ ପ୍ରାର୍ଥୀ ଘୋଷଣା କରିବା । ବିଜେଡି ନବାଗତ ସନ୍ତୃପ୍ତ ମିଶ୍ରଙ୍କୁ ମୈଦାନକୁ ଓହ୍ଲାଇଛି ।

ନିର୍ବାଚନ ରାଜନୀତିରେ ନୂଆ ମୁହଁ । ସନ୍ତୃପ୍ତଙ୍କୁ ଟିକେଟ ଦେଇ ୨୬ ବର୍ଷରେ କଟକ ସାଂସଦ ପ୍ରାର୍ଥୀ ବଦଳାଇଛି ବିଜେଡି । ଭର୍ତ୍ତୃହରି ମହତାବ ଏଠାରୁ ଲଗାତାର ଜିତି ଆସୁଥିଲେ । ୧୯୯୮ ମସିହାରୁ କଟକରୁ ସାଂସଦ ରହି ଆସିଛନ୍ତି । ଏଥର ଭର୍ତ୍ତୃହରିଙ୍କୁ ବିଜେଡି ପ୍ରାର୍ଥୀ କରୁ ନଥିବା ବହୁ ପୂର୍ବରୁ ସ୍ପଷ୍ଟ ହୋଇ ସାରିଥିଲା ।

ସେହିପରି ଗତ ୨-୩ ବର୍ଷ ହେବ ବିଜେଡିର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଲୋଡୁ ନଥିଲା ଦଳ । କୋଣଠେସା ହୋଇ ରହିଥିଲେ ଭର୍ତ୍ତୃହରି । ସେ ବି ଜାଣି ସାରିଥିଲେ ତାଙ୍କର ବିଜେଡି ଟିକେଟ୍ କାଟିବା ନିଶ୍ଚିତ । ସେଥିପାଇଁ ପ୍ରାର୍ଥୀ ଘୋଷଣା ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।

ଗତ ମାସରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଶଙ୍ଖ ଫୁଙ୍କିଥିଲେ ସନ୍ତୃପ୍ତ ମିଶ୍ର । କର୍ପୋରେଟ ଦୁନିଆରୁ ଆସି ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ବିଭାଗ ମୁଖ୍ୟ ଥିଲେ । ତିନି ଦଶନ୍ଧି ଧରି କର୍ପୋରେଟ୍ ଦୁନିଆ ସହ ଜଡିତ ଥିଲେ ସନ୍ତୃପ୍ତ । ହଠାତ୍ ବିଜେଡିରେ ଯୋଗଦାନ ପରେ ସେ ପୁରୀ କିମ୍ବା କଟକରୁ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

ପୁରୀ ମାଟିର ପୁଅ । କଟକରେ ପଢ଼ିଛନ୍ତି ଓ ବଢିଛନ୍ତି ସନ୍ତୃପ୍ତ । ତେଣୁ ଏହି ଦୁଇ ଲୋକସଭା ସିଟ୍ ପାଇଁ କଳ୍ପନାଜଳ୍ପନା ହେଉଥିଲେ । ଶେଷରେ ବିଜେଡି ତାଙ୍କୁ କଟକ ପାଇଁ ପ୍ରାର୍ଥୀ କରିଛି । ଅନ୍ୟପଟେ ବିଜେପି ଲୋକସଭା ପାଇଁ ୧୮ ଯୋଦ୍ଧା ଘୋଷଣା କରି ସାରିଛି । କେବଳ ବାକି ରହିଛି କଟକ, ଯାଜପୁର ଓ କନ୍ଧମାଳ । ଚର୍ଚ୍ଚା ହେଉଛି ବିଜେଡି ଛାଡିଥିବା ଭର୍ତ୍ତୃହରି ଖୁବଶୀଘ୍ର ବିଜେପିରେ ମିଶିବେ । ସେ ପଦ୍ମ ଧରିଲେ ତାଙ୍କୁ କଟକ ଟିକେଟ୍ ମିଳିପାରେ ।

କଟକରୁ ଲଗାତାର ୬ ଥର ଜିତିଛନ୍ତି । ୧୯୯୮ ମସିହାରେ ପ୍ରଥମଥର କଟକ ଲୋକସଭାରୁ ଜିତିଥିଲେ । ପରେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ସାଂସଦ ହୋଇଛନ୍ତି । ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱତଙ୍କ ଭର୍ତ୍ତୃହରିଙ୍କ ସମ୍ପର୍କ ଭଲ । ସାମ୍ବିଧାନିକ ଅଭିଜ୍ଞତା ରହିଛି ।

୨୦୧୭ ମସିହାରେ ସେ ଆଉଟ୍‌ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରୀ ଆୱାର୍ଡ ଗ୍ରହଣ କରିଥିଲେ । ସେହିପରି ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ପାଇଥିଲେ ସଂସଦ ରତ୍ନ ପୁରସ୍କାର । ବିଜେପିରେ ମିଶିଲେ ତାଙ୍କୁ ଦଳ ଦେଇପାରେ କଟକ ଟିକେଟ୍ । ଏମିତି ହେଲେ କଟକ ଲୋକସଭା ଦେଖିବ ଜଣେ ନବାଗତ ଓ ଭେଟେରାନଙ୍କ ମହା ମୁକାବିଲା ।

Leave A Reply

Your email address will not be published.