Latest Odisha News

BREAKING NEWS

Odisha Highcourt: ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ ‘ଜବରଦସ୍ତି’ କୁହାଯିବ ନାହିଁ: ହାଇକୋର୍ଟ

କଟକ: ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ “ଜବରଦସ୍ତି’ ବୋଲି କୁହାଯିବ ନାହିଁ । ଏହାକୁ ଆଧାର କରି ବଳାତ୍କାର କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ଅଭିଯୁକ୍ତ ମହେନ୍ଦ୍ର ପ୍ରଧାନକୁ ବଳାତ୍କାର ମାମଲାରେ ଦୋଷମୁକ୍ତ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ଆଦେଶ ଦେଇଛନ୍ତି ।

ସୂଚନା ମୁତାବକ, ୨୦୦୬ରେ ସୋନପୁର ଜିଲ୍ଲା ତରଭା ଥାନାରେ ଜଣେ ପୀଡ଼ିତା ଅଭିଯୋଗ କରିଥିଲେ ଯେ, ମହେନ୍ଦ୍ର ପ୍ରଧାନ ତାଙ୍କୁ ଛୁରି ଦେଖାଇ ଜୋର ଜବରଦସ୍ତି ବଳାତ୍କାର କରିଥିଲେ ଏବଂ ପରେ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିଥିଲେ । ପରେ ପୀଡ଼ିତା ଜଣକ ଗର୍ଭବତୀ ହୋଇଥିଲେ, ଏହା ଜାଣିବା ପରେ ଅଭିଯୁକ୍ତ ତାଙ୍କୁ ଗର୍ଭପାତ ପାଇଁ ଔଷଧ ଦେଇଥିଲେ। ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା ।

ଏହି ମାମଲାରେ ନିମ୍ନ ଅଦାଲତ ମହେନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଏହି ଆଦେଶକୁ ମହେନ୍ଦ୍ର ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି କହିଛନ୍ତି ଯେ, ପୀଡ଼ିତା ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଅଭିଯୁକ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହି ସମୟ ମଧ୍ୟରେ ସେ କାହାକୁ କିଛି ଜଣାଇ ନଥିଲେ । ଏତେ ଦିନ ଧରି ରହିଥିବା ସମ୍ପର୍କକୁ “ଜବରଦସ୍ତି’ କୁହାଯାଇ ପାରିବ ନାହିଁ ।

ତେବେ ଡାକ୍ତରୀ ପ୍ରମାଣ ଅନୁଯାୟୀ ଗର୍ଭପାତ ହୋଇଥିବା ସ୍ପଷ୍ଟ ହୋଇଛି । ଅଭିଯୁକ୍ତ ଔଷଧ ଦେଇଥିବା ପ୍ରମାଣିତ ହୋଇଛି । ଏହା ବ୍ୟତୀତ ସ୍କୁଲ ରେକର୍ଡ ଅନୁସାରେ ଘଟଣା ସମୟରେ ପୀଡ଼ିତା ନାବାଳିକା ନ ଥିଲେ ଏବଂ ତାଙ୍କୁ ପ୍ରାୟ ୧୯ ବର୍ଷ ହୋଇଥିଲା । ଅଦାଲତ ବଳାତ୍କାର ଅଭିଯୋଗକୁ ଖାରଜ କରି ମହେନ୍ଦ୍ରଙ୍କୁ ସେଥିରୁ ଖଲାସ କରିଛନ୍ତି ।

Comments are closed.