Latest Odisha News

BREAKING NEWS

ଏହି ମୁସଲିମ ଦେଶରେ ପୁଜା ପାଆନ୍ତି ପାର୍ବତୀ ନନ୍ଦନ, ହିନ୍ଦୁ ଦେବତାଙ୍କ ନାମରେ ନାମିତ ଏଠାକାର ଏୟାରଲାଇନ୍ସ ନାଁ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ମୁସଲ୍‌ମାନ ବହୁଳ ରାଷ୍ଟ୍ର ହେଉଛି ଇଣ୍ଡୋନେସିଆ । ଯାହା ଆମ ଦେଶ ଭାରତର ପଡୋଶୀ ଦେଶ । ଏଠାରେ ସମୁଦାୟ ଜନସଂଖ୍ୟାର ପ୍ରାୟ ୮୭ ପ୍ରତିଶତ ମୁସଲମାନ ଏବଂ ସେମାନଙ୍କ ସଂଖ୍ୟା ପ୍ରାୟ ୨୩ କୋଟି ଅଟେ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଦେଶରେ ଅନେକ ମୁସଲିମ ରହୁଥିଲେ ମଧ୍ୟ ସେମାନଙ୍କ ଆରାଧ୍ୟ ହେଉଛନ୍ତି ହିନ୍ଦୁ ଭଗବାନ । ପାର୍ବତୀ ନନ୍ଦନ ଭଗବାନ ଶ୍ରୀ ଗଣେଶଙ୍କୁ ଏଠାରେ ପୂଜା କରିଥାଆନ୍ତି ଏହି ମୁସଲିମ ସମ୍ପ୍ରଦାୟର ଲୋକେ ।  ଏପରିକି ଏଠାର ଏୟାରଲାନ୍ସର ନାମ ମଧ୍ୟ ହିନ୍ଦୁ ଭଗବାନଙ୍କ ନାଁରେ ନାମିତ କରାଯାଇଛି । କେବଳ ସେତିକି ନୁହେଁ ଏହି ଦେଶରେ ପ୍ରଚଳିତ ନୋଟରେ ମଧ୍ୟ ପ୍ରଭୁ ଶ୍ରୀ ଗଣେଷଙ୍କ ଚିତ୍ର ରହିଛି ।

ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଏ । କୌଣସି ଦେବୀ, ଦେବତାଙ୍କୁ ପୂଜା କରିବା ପୂର୍ବରୁ ମଧ୍ୟ ଭଗବାନ ଗଣେଶଙ୍କୁ ପୂଜା କରାଯାଏ । ସେହିଭଳି ଇଣ୍ଡୋନେସିଆରେ ଭଗବାନ ଗଣେଶଙ୍କୁ କଳା, ବିଜ୍ଞାନ ଏବଂ ଶିକ୍ଷାର ପ୍ରତୀକ ଭାବରେ ବିବେଚନା କରାଯାଏ । ସେଠାରେ ଲୋକମାନେ ଭଗବାନ ଗଣେଶଙ୍କ ଉପରେ ବିଶ୍ୱାସ କରନ୍ତି। କେବଳ ଏତିକି ନୁହେଁ, ଆପଣ ଇଣ୍ଡୋନେସିଆର ଅନେକ ସ୍ଥାନରେ ଭଗବାନ ଗଣେଶଙ୍କ ପ୍ରତିମା ମଧ୍ୟ ଦେଖିବାକୁ ପାଇବେ  । ଇଣ୍ଡୋନେସିଆର ସରକାରୀ ବିମାନ କମ୍ପାନୀର ନାମ ପବିତ୍ର ଗରୁଡ ପକ୍ଷୀ ନାମରେ ନାମିତ ହୋଇଛି । ହିନ୍ଦୁ ଧର୍ମରେ ଗରୁଡ ଦେବତାଙ୍କୁ ମଧ୍ୟ ପୂଜା କରାଯାଏ । ଗରୁଡ ହେଉଛି ଭଗବାନ ବିଷ୍ଣୁଙ୍କ ବାହନ | ଗରୁଡ ହିନ୍ଦୁ ଧର୍ମ ସହିତ ବୌଦ୍ଧ ଧର୍ମରେ ମଧ୍ୟ ଏକ ମହତ୍ଵପୂର୍ଣ୍ଣ ପକ୍ଷୀ ଭାବରେ ବିବେଚନା କରାଯାଏ । ବୌଦ୍ଧ ଗ୍ରନ୍ଥ ଅନୁଯାୟୀ, ଗରୁଡଙ୍କୁ ସୁପର୍ଣ୍ଣ କୁହାଯାଏ |

ସେହିପରି ଇଣ୍ଡୋନେସିଆର ୨୦ ହଜାର ଟଙ୍କିଆ ନୋଟ୍ ଉପରେ ଭଗବାନ ଗଣେଶଙ୍କ ଚିତ୍ର ସହିତ ସେଠାକାର ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ଇଣ୍ଡୋନେସିଆ ସ୍ୱାଧୀନତା ଆନ୍ଦୋଳନର ନାୟକ ହଜର୍ ଦେବାନ୍ତ୍ରାଙ୍କ ଫଟୋ ରହିଛି । ଖାଲି ନୋଟ୍‌ରେ ନୁହେଁ ଇଣ୍ଡୋନେସିଆନ୍‌ ଆର୍ମିର ମାସ୍କଟ୍ ହେଉଛନ୍ତି ହିନ୍ଦୁ ଦେବତା ହନୁମାନ। ଏଠାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ମହାଭାରତ ଯୁଦ୍ଧ ବେଳର ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି। ଇଣ୍ଡୋନେସିଆର ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଏହି ଦେଶରେ ସମୁଦାୟ ୮୭.୦୨% ଲୋକ ମୁସଲମାନ ହୋଇଥିବା ବେଳେ ୧.୬୯% ଲୋକ ହିନ୍ଦୁ ଅଟନ୍ତି । ସେହିପରି ୭.୪୩% ଖ୍ରୀଷ୍ଟିଆନ, ୦.୦୭୩% ବୌଦ୍ଧ ଏବଂ ଅନ୍ୟ ଧର୍ମର ଲୋକମାନେ ବସବାସ କରନ୍ତି ।

Comments are closed.