Latest Odisha News

BREAKING NEWS

ଆଡ଼ପମଣ୍ଡପ ବିଜେ କଲେ ମହାବାହୁ; ଆଡ଼ପ ଦର୍ଶନ କଲେ ଭକ୍ତ, ଆଜିଠୁ ମିଳିବ ଆଡପ ଅବଢ଼ା

ପୁରୀ:  ଶ୍ରୀଗୁଣ୍ଡିଚା ଯାତ୍ରାର ତୃତୀୟ ଦିନରେ ଆଡ଼ପମଣ୍ଡପ ବିଜେ କରିଛନ୍ତି ଶ୍ରୀଜୀଉ। ବୁଧବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦର୍ଶନ ଦେବାପରେ ଗୁରୁବାର ସନ୍ଧ୍ୟାରେ ରଥାରୁଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ଜନ୍ମବେଦିରେ ବିରାଜମାନ ହୋଇଛନ୍ତି। ବର୍ଷାବିଧୌତ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ହୋଇଥିଲା ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ।ନର୍ତ୍ତକୀଙ୍କ ନୃତ୍ୟ ସାଙ୍ଗକୁ ଝୁମିଥିଲା ପରିବେଶ। ଜୟ ଜଗନ୍ନାଥ ଧ୍ୱନୀର ପ୍ରକମ୍ପନ ଭିତରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଥିବାବେଳେ ଆସନ୍ତାକାଲି ଠାରୁ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବେ ଶ୍ରଦ୍ଧାଳୁ ।

ତିନି ଦିନର ପଥକ୍ଳେଶ ପରେ ଘିଅପଖାଳ ଖାଇ ବଡ଼ସିଂହାର ବେଶପରେ ବିଶ୍ରାମ ନେଇଛନ୍ତି ମଣିମା।ଆସନ୍ତାକାଲି ମହାପ୍ରଭୁଙ୍କ ହେବ ବନକଲାଗି ନୀତି। ଶ୍ରୀମୁଖଶୃଙ୍ଗାର ପରେ ଝଟକିବ କଳାଶ୍ରୀମୁଖ। ଭକ୍ତଙ୍କୁ ଦର୍ଶନ ଦେବେ ବିଶ୍ୱନିଅନ୍ତା, ଜଗତଠାକୁର । ପରଦିନ ଅର୍ଥାତ ଆସନ୍ତା ୨୪ ତାରିଖରେ ଭକ୍ତ ପାଇବେ ଆଡ଼ପ ଅଭଡ଼ା। ଶୁକ୍ରବାରଠାରୁ ଭକ୍ତମାନେ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇବେ। ରଥ ବିଳମ୍ବରେ ପହଞ୍ଚିବାରୁ ଚଳିତ ଥର ୫ ଦିନ ଆଡ଼ପ ଅବଢ଼ା ମିଳିବ। ଏନେଇ ଦଇତାପତି ନିଯୋଗ ଓ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି। ବିଶ୍ୱାସ ରହିଛି ଯେ ଥରେ ଆଡ଼ପ ମଣ୍ଡପ ଦର୍ଶନ, ଦଶବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ।

ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ମହାପ୍ରଭୁଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାର ତୃତୀୟ ଦିନରେ ସରିଛି ଆଡ଼ପ ମଣ୍ଡପ ବିଜେ ନୀତି। ଆଉ ପାଞ୍ଚଦିନ ଆଡ଼ପ ମଣ୍ଡପରେ ଦର୍ଶନ ଦେବାପରେ ଆସନ୍ତା ଦଶମୀ ତିଥିରେ ବାହୁଡିବେ କାଳିଆ ସାଆନ୍ତ।

Comments are closed.