ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଯା ନୁହେଁ ନିଜ ଅନୁଭୂତି
ତାହା ହିଁ ଲେଖୁଥିଲେ ନିତି
ହୁଏନି ଭାଷାର ଉନ୍ନତି
ଜାଗେନି ମନେ ଭାଷା-ପ୍ରୀତି
ପଠିତ କଥା ଲେଖି ପୁଣି
ପୃଷ୍ଠାରେ ଦେଲେ ସୁଦ୍ଧା ବୁଣି
ଭାଷାର ବିକାଶ, ବର୍ଧନ
ସ୍ଥଗିତ ରହେ ବହୁ ଦିନ
ଯାଂତ୍ରିକ ଲେଖା ଉତ୍ପାଦନ
କରିଚାଲିଲେ ପ୍ରତି ଦିନ
ହାତକୁ ଆସିଲେ ହେଁ ଧନ
ହୁଏନି ଭାଷା ଉନ୍ନୟନ
ପୁନର୍ଲିଖନ କରି କରି
ସବୁ ସମୟ ଦେଲେ ସାରି
ସର୍ଜନଶୀଳ ହେବା ପାଇଁ
କେବେ ବି ବେଳ ମିଳେନାହିଁ
କରି ପୁରାଣ ଅଧ୍ୟୟନ
କରିଲେ ପୁନଶ୍ଚ ଲିଖନ
ସାମାନ୍ୟ ଅଦଳ ବଦଳ
ଭାଷାକୁ କରେନି ସବଳ
ଲୋକଭାଷାକୁ ଶୁଣି ଶୁଣି
ଲୋକସ୍ବଭାବ ବୁଝି, ଜାଣି
ଲେଖିଲେ ତାଂକର କାହାଣୀ
ସତ୍ୟ-ସଂପୃକ୍ତ ହୁଏ ବାଣୀ
ଲେଖାଟେ ହେଲେ ଅବାସ୍ତବ
ପାଠକ ଉପରେ ପ୍ରଭାବ
କେବେ ପକାଇ ପାରେନାହିଁ
ଏପରି ଲେଖିବା କିପାଇଁ ?
ପଢ଼ିବା ପରେ ଭାବାଂତର
ଯଦି ହୁଏନି ପାଠକର
ପଢ଼ିବା ଯୋଗୁଁ କାଳକ୍ଷୟ
ଅଯଥା ଘଟଇ ନିଶ୍ଚୟ
ଏହି ସବୁ ବିଷୟ ହେଜି
ଲେଖିବା ପାଇଁ ହେଲେ ରାଜି
ଲେଖକେ ହେବେ ସତ୍ୟାଶ୍ରିତ
ଭାଷା ବି ହେବ ଉପକୃତ
Comments are closed.