ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡିର ଅଳ୍ପ କିଛି ସମୟରେ ତାଙ୍କ ମସ୍ତକରେ ଟାହିଆ ସମ୍ପୂର୍ଣ୍ଣ ଭାବେ ଖୋଲିଯାଇଥିଲା । ବିନା ଟାହିଆରେ ମହାପ୍ରଭୁ ପହଣ୍ଡି କରି ରଥାଋଢ ହୋଇଥିଲେ । ଯାହା ସମଗ୍ର ଓଡ଼ିଆ ଜାତିର ଭାବାବେଗକୁ ଗଭୀର ଆଘାତ ଦେଇଛି । ତେବେ ଟାହିଆ କେବଳ ଏକ ଅଳଙ୍କାର ନୁହଁ ଏହା ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା ପରମ୍ପରାର ଏକ ଅନନ୍ୟ ନିଦର୍ଶନ । ଏହା ଶତାବ୍ଦୀ ପୁରୁଣା ପରମ୍ପରା, ସେବାପଦ୍ଧତି, ଆସ୍ଥା ଓ ଓଡ଼ିଆ ଅସ୍ମିତାର ଏକ ଅମୂଲ୍ୟ ପ୍ରତୀକ ।
ଜଗନ୍ନାଥ ପହଣ୍ଡିରେ ଆସିଲା ବେଳେ ୭ ପାହାଚରେ ଟାହିଆ ଲାଗି ହୋଇଥିଲା । ୨୨ ପାହାଚ ଅତିକ୍ରମ କରି ସିଂହଦ୍ୱାର କୁମୁଟରେ ପହଞ୍ଚିଲା ବେଳକୁ କିନ୍ତୁ ଟାହିଆ ନ ଥିଲା । ଟାହିଆ କେଉଁ ପରିସ୍ଥିତିରେ ଖସି ପଡ଼ିଲା ଏହା ପ୍ରାକୃତିକ ନା ମନୁଷ୍ୟକୃତ ତାହା ଜଣାପଡ଼ି ନ ଥିଲା । ଏହାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି । ଏହି ଘଟଣା କେବଳ ଏକ ସାଧାରଣ ତ୍ରୁଟି ନୁହେଁ ବୋଲି ଅନେକ ଭକ୍ତ ମତ ପ୍ରକାଶ କରିଛନ୍ତି; ବରଂ ମହାପ୍ରଭୁଙ୍କ ନୀତି, ପରମ୍ପରା ଓ ସେବାପଦ୍ଧତି ପ୍ରତି ଗୁରୁତର ଅବହେଳାର ପ୍ରଶ୍ନ ଉଠିଛି ।
କାରଣ ପହଣ୍ଡି ସମୟରେ ମହାପ୍ରଭୁଙ୍କ ମସ୍ତକରେ ଟାହିଆ ଅତି ସୁନ୍ଦର ଭାବେ ଶୋଭାପାଏ । ଯାହାକୁ ଦେଖି ଭକ୍ତଟିଏ ଭାବ ବିହ୍ବଳ ହୋଇପଡେ । ହେଲେ ଆଜି ବିନା ଟାହିଆରେ କାଳିଆ ସାଆନ୍ତଙ୍କ ପହଣ୍ଡିକୁ ଆସିବା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି ।
ତେବେ ଏହି ଘଟଣା ପଛରେ କାହାର ଅବହେଳା ରହିଛି, ଟାହିଆ ବାନ୍ଧିବା ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇଥିଲା କି, ନା ସେବାରେ କୌଣସି ଅସାବଧାନତା ଘଟିଥିଲା ଏହାର ତୁରନ୍ତ ଉଚ୍ଚସ୍ତରୀୟ, ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଭକ୍ତମାନେ ଦାବି କରିଛନ୍ତି ।