Latest Odisha News

BREAKING NEWS

ପହଣ୍ଡି କରି ରଥାରୂଢ ଚତୁର୍ଦ୍ଧାମୂରତି: ୪ଟାରେ ଆରମ୍ଭ ହେବ ରଣଟଣା….

ପୁରୀ: ଟାହିଆ ହଲେଇ ହଲେଇ ଝୁଲି ଝୁଲି, ବଡଦାଣ୍ଡରେ ଭକ୍ତଙ୍କୁ ବାଇଆ କରି ଶେଷରେ ଚତୁର୍ଦ୍ଧମୂରତି ରଥେ ବିଜେ କରିଛନ୍ତି । ତାଳଧ୍ବଜରେ ବିଜେ ବଡ ଠାକୁର ବଳଭଦ୍ର, ନନ୍ଦିଘୋଷରେ ବିଜେ ମହାପ୍ରଭୁ କାଳିଆ ସାଆନ୍ତ, ଆଉ ମଝିରେ ଦେବଦଳନରେ ରଥରେ ବିଜେ କରିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରାଙ୍କ ସହ ଠାକୁର ଶ୍ରୀସୁଦର୍ଶନ । ପ୍ରଥମେ ପ୍ରଭୁ ସୁଦର୍ଶନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଛନ୍ତି। ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା, ଯାହା ନିର୍ଦ୍ଦାରିତ ସମୟରେ ପୂରଣ ହୋଇଛି। ବର୍ତ୍ତମାନ ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ବାହାରିବା ପାଇଁ ନୀତିକାନ୍ତି ଆରମ୍ଭ ହୋଇଯାଇଛି ।

ସେପଟେ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶୁକ୍ରବାର ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇଛି। ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯିବ। ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯାଇଛି। ଏହାପରେ ପ୍ରାୟ ୯.୩୦ ପରେ ଶ୍ରୀଜିଉମାନଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ପ୍ରଥମେ ଗୋଟି ପହଣ୍ଡି ଆଉ ପରେ ଧାଡି ପହଣ୍ଡି କରି ରତ୍ନବେଦୀ ଛାଡି ରଥାରୂଢ ହୋଇଥିଲେ ଚାରି ଠାକୁର । ଏହାପରେ ପ୍ରାୟ ୨.୩୦ ବେଳକୁ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ପରେ ଅପରାହ୍ଣ ୪ଟା ବେଳକୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ ।

ଅନ୍ୟପଟେ ଶ୍ରୀକ୍ଷେତ୍ର ଏବେ ଜନସମୁଦ୍ର ପାଲଟିଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଉଛୁଳି ପହିଛି ବଡଦାଣ୍ଡ । ୧୨ ମାସର ଅପେକ୍ଷା ପରେ ପୁଣି ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନ । କିଲୋମିଟର କିଲୋମିଟର ଲମ୍ବିଛି ଭକ୍ତଙ୍କ ଭିଡ । ଜଗାକୁ ଦେଖି ସମସ୍ତେ ବିଭୋର । ହୁଳୁହୁଳି, ଶଙ୍ଖ, ଘଣ୍ଟା, ଘଣ୍ଟ, ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର ।

ଅନ୍ୟପକ୍ଷରେ ଭିଡ ପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ପାଇଁ ଶ୍ରୀମନ୍ଦିରରେ ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି । ସୁରକ୍ଷା ବଳୟ ଏବଂ ଡ୍ରୋନ୍ ସାହାର୍ଯ୍ୟରେ ଛାଉଣୀ ହୋଇଛି ପୂରା ଶ୍ରୀକ୍ଷେତ୍ର । ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କିଭଳି ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନା କରାଯିବା ସେନେଇ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବେ ପ୍ରଶାସନ ।

ଏନେଇ ପୋଲିସ୍ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କକ ସୂଚନା ଅନୁଯାୟୀ, ଚଳିତବର୍ଷ ପୋଲିସ୍ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ଟ୍ରାଫିକ୍‌ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ୍‌ ଆଣ୍ଡ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍‌ କରାଯାଇଛି। ଏହି ଇଣ୍ଟିଗ୍ରେଟେଡ୍‌ କଣ୍ଟ୍ରୋଲ ରୁମ୍‌ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରା ଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍‌ ଜାମ୍‌  ସମସ୍ୟା‌ର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ। ସେହିପରି ଆଣ୍ଟି ଡ୍ରୋନ୍‌ ସିଷ୍ଟମ୍‌, ବହୁ ସଂଖ୍ୟାରେ ଆଣ୍ଟି ସାବୋଟାଜ୍‌ ଟିମ୍‌, ଡଗ୍‌ ସ୍କ୍ବାଡ୍‌ ମୁତୟନ ରହିଛି।

ସେହିପରି ଚଳିତବର୍ଷ ୨୧ ଆଇପିଏସ୍‌, ୧୨ଶହ ଅଫିସରଙ୍କ ସହିତ ୨୦୫ ପ୍ଲାଟୁନ୍‌ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି। ଜଳପଥ ତଟ ସୁରକ୍ଷା ପାଇଁ ମେରାଇନ୍‌ ପୁଲିସ ଟିମ୍‌, କୋଷ୍ଟଗାର୍ଡ, ନୌବାହିନୀ (ନାଭାଲ୍‌)ର ପାଟ୍ରୋଲିଂ ରହିବ। କୋଷ୍ଟଗାର୍ଡର ଆଉ ଏକ ଟିମ୍‌ ଆକାଶମାର୍ଗରୁ ସମୁଦ୍ରକୂଳକୁ ତୀକ୍ଷ୍ଣ ନଜର ରଖିବେ। ଟ୍ରାଫିକ୍‌ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ପାଇଁ ଏକ ନୂଆ ଆପ୍‌ ଖୋଲାଯିବ। ଏହି ଆପ୍‌ ମାଧ୍ୟମରେ ଲୋକମାନେ ଯା’ଆସ କରିବାକୁ ଅନୁରୋଧ କରାଯାଇଛି।

ଏଥିସହିତ  ରାଜ୍ୟ ପୋଲିସ୍ ପକ୍ଷରୁ ରଥଯାତ୍ରା ନେଇ ଡିଜିଟାଲ ଟ୍ରାଫିକ୍ ମ୍ୟାପ୍ ବି ଜାରି କରାଯାଇଛି । ଯେଉଁଥିରେ ରଥଯାତ୍ରା ୨୦୨୫ ବିଷୟରେ ପ୍ରାମାଣିକ ସୂଚନା ଓଡିଶାବାସୀ ପାଇପାରିବେ । ଯେଉଁଥିରେ ଏକ କ୍ୟୁଆର କୋର୍ଡ ଜାରି କରାଯାଇଛି । ଯାହାକୁ ସ୍କାନ୍ କରି କିମ୍ବା ହ୍ବାଟ୍ସଆପ୍ ସହ କନେକ୍ଟ କରି ରଥଯାତ୍ରା ଟ୍ରାଫିକ୍ ଅପଡେଟ୍ ପାଇପାରିବେ ।

Comments are closed.