ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଜଗନ୍ନାଥ । ରଥଯାତ୍ରା ପରେ ଆଡପମଣ୍ଡପକୁ ବିଜେ କରିଛନ୍ତି କାଳିଆ ଠାକୁର । ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀମାଙ୍କ ହାତରୁ ମହାପ୍ରଭୁ ପୋଡପିଠା ଖାଇବେ । ଏହି ପରମ୍ପରା କାହୁଁ କେଉଁ ଯୁଗରୁ ଚାଲି ଆସୁଛି । ସେହି ପ୍ରଥା ଅନୁସାରେ ମାଉସୀ ମା’ ମନ୍ଦିରରେ ପୋଡପିଠା ତିଆରି ଶେଷହୋଇଛି ।
ମାଉସୀ ମା’ଙ୍କ ପୂଜକ ବିଶ୍ୱନାଥ ମିଶ୍ର ଏହି ପୋଡପିଠା ପ୍ରସ୍ତୁତ କରିଛନ୍ତି । ତେବେ ପୋଡ ପିଠା ପ୍ରସ୍ତୁତି ପାଇଁ ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଆ ଆଦି ମିଶାଇ ଦିଆଯାଏ । ଏହି ସବୁ ଜିନିଷକୁ ଭଲଭାବରେ ଚକଟା ଯାଇ ପୋଡପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଇଥାଏ । ପ୍ରାୟ ୮ ଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା କରାଯାଏ । ପିଠା ଥଣ୍ଡା ହେବା ପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ । ଏହାପରେ ତିନି ଠାକୁରଙ୍କୁ ତିନୋଟି କୁଡୁଆରେ ସମର୍ପଣ କରାଯାଇଥାଏ ।
ଏହି ପିଠାର ନାମ ପୋଡ ପିଠା ଥିଲେ ମଧ୍ୟ ପିଠାକୁ ପୋଡାଯାଏ ନାହିଁ । ପିଠାଟିକୁ ଭଲଭାବରେ ବାମ୍ଫରେ ସିଝାଯାଇ ଘିଅରେ ଛଣାଯାଇଥାଏ । ପ୍ରଭୁଙ୍କ ଏହି ପୋଡପିଠା ପରମ୍ପରା କାହିଁ କେଉଁ ଆଦିମ କାଳରୁ ରହିଛି । ଆଉ ଏହି ନୀତିକାନ୍ତି ଅତି ସୁନ୍ଦରଭାବରେ କରାଯାଇଥାଏ । ମାଉସୀ ମା’ ଘରେ ପୋଡପିଠା ଖାଇବା ପାଇଁ ପ୍ରଭୁ ଯାଇଥାନ୍ତି ବୋଲି ଅନେକ ପଣ୍ଡିତ ମତ ଦିଅନ୍ତି ।
Comments are closed.