Latest Odisha News

BREAKING NEWS

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି; ସଂଧ୍ୟା ୬ରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ, ଏହି ନୀତି ସମ୍ପାଦନ ବେଳେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଥାଏ । ବନକଲାଗି ନୀତିରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ । ପରମ୍ପରା ଅନୁଯାୟୀ ଦୁଇପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ଆରମ୍ଭ କରାଯିବାର ପରମ୍ପରା ରହିଛି । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ଶୃଙ୍ଗାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ଶ୍ରୀମନ୍ଦିରର ସମସ୍ତ ଚାରି ଦ୍ବାର ସମ୍ପୂର୍ଣ୍ଣ ବନ୍ଦ ରହେ ।

ଶ୍ରୀବିଗ୍ରହମାନଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ‘ବନକଲାଗି ନୀତି’ କୁହାଯାଏ । ଏହି ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ‘ଦତ୍ତମହାପାତ୍ର’ କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହଙ୍କ ମୁଖ ଶୃଙ୍ଗାର କରିବା ।

ମହାପ୍ରଭୁଙ୍କ ଲାଗି ଉଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତି ପାଇଁ ଭିତର ବେଢାର ଉତ୍ତର ପାର୍ଶ୍ବରେ ଏକ ବିଶେଷ କୋଠରୀ ମଧ୍ୟ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ ।

Comments are closed.