Latest Odisha News

ବହୁ ପ୍ରତୀକ୍ଷାର ହେବ ଅନ୍ତ, ଖୋଲିବ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର

ପୁରୀ: ବହୁ ପ୍ରତୀକ୍ଷାର ହେବ ଅନ୍ତ । ଶେଷରେ ଆଜି ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ବିଶ୍ବ ଦେଖିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ହୀରା, ଲୀଳା, ମୋତି, ମାଣିକ ଆଦି ଖଞ୍ଜିତ ଦୁର୍ଲଭ ଅଳଙ୍କାର ।ଦୀର୍ଘ ୪୬ ବର୍ଷ ଧରି ଲାଗି ରହୁଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିବ । ଆଜି ଦିନ ଗୋଟାଏ ପରେ ଖୋଲାଯିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏଥିପାଇଁ ଚୂଡ଼ାନ୍ତ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଗତକାଲି ବିଳମ୍ବିତ ରାତିରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସହ କମିଟିର ଅନ୍ୟ ସଦସ୍ୟମାନେ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ରତ୍ନଭଣ୍ଡାର ଖୋଲାଯିବା ପରେ ସବୁ ରତ୍ନଭଣ୍ଡାର ଭିତରକୁ ଯିବାଠୁ ଗଣତି ପର୍ଯ୍ୟନ୍ତ ସବୁ କାର୍ଯ୍ୟ ସତର୍କତାର ସହ କରାଯିବ । ଅତି ନିଖୁଣ ଭାବେ ଅଳଙ୍କାରର ଗଣତି କରାଯିବ । ଗଣତି ମଣତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବ । ଗଣତି କାର୍ଯ୍ୟରେ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ପ୍ରତିନିଧି ରହିବେ । ପ୍ରକ୍ରିୟାର ସୁପରିଚାଳନା ପାଇଁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ସଂଖ୍ୟା, ଗୁଣାତ୍ମକ ମାନ, ଓଜନ ଓ ଫଟୋଚିତ୍ର ସମ୍ବଳିତ ଡିଜିଟାଲ କାଟାଲଗ୍‌ ମଧ୍ୟ ପ୍ରସ୍ତୁତ କରାଯିବ, ଯାହାକି ଭବିଷ୍ୟତ ପାଇଁ ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ଉପଯୋଗ କରିହେବ । ଏହି ସମସ୍ତ ପ୍ରକ୍ରିୟାରେ ଧାର୍ମିକ ଭାବାବେଗ, ସ୍ବଚ୍ଛତା ଓ ପାରଦର୍ଶିତାକୁ ଗୁରୁତ୍ୱ ଦିଆଯିବ।

ତାଲା ଖୋଲି ଭିତରେ ପ୍ରବେଶ ପରେ ପ୍ରଥମେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରାଯିବ। କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି। ରତ୍ନଭଣ୍ଡାର ଚାବି ଖୋଲିବାଠାରୁ ମରାମତି ଏବଂ ଗଣତିମଣତି ସମସ୍ତ କାର୍ଯ୍ୟର ଭିଡିଓ ରେକର୍ଡିଂ କରାଯିବ। ରତ୍ନଭଣ୍ଡାର ଖୋଲିବା ପାଇଁ ମନୋନୀତ ଅଧିକାରୀ ଏବଂ ବ୍ୟକ୍ତିମାନେ ନୂତନ ଧୋତି, ଗାମୁଛା କିମ୍ବା ପାଟମଠା ପରିଧାନ କରିବେ। ରତ୍ନଭଣ୍ଡାର ଗଣତିମଣତି ଏବଂ ମରାମତି ଶେଷ ହେବା ପର୍ଯ୍ୟନ୍ତ ସେମାନେ ହବିଷବ୍ରତ ପାଳନ କରିବେ। ଏଥିସହ ରତ୍ନଭଣ୍ଡାର ଖୋଲିବା ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ବି ଅସୁବିଧା ହେବ ନାହିଁ । ତା ସହିତ ମହାପ୍ରଭୁଙ୍କର ନୀତିକାନ୍ତିରେ ମଧ୍ୟ କୌଣସି ଅସୁବିଧା ହେବନି। ଭକ୍ତମାନେ ପୂର୍ବଭଳି ମହାପ୍ରଭୁଙ୍କ ଦର୍ଶନ କରିବେ।

କହିରଖୁଛୁ ଯେ, ଆଜକୁ ପ୍ରାୟ ୪୬ ବର୍ଷ ପୂର୍ବେ ଅର୍ଥାତ୍ ୧୯୮୭ ଜୁଲାଇ ଶେଷଥର ପାଇଁ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ସେହି ସମୟରେ ୭୨ ଦିନ ଲାଗିଥିଲା ସମ୍ତ କାର୍ଯ୍ୟ ଶେଷ କରିବାକୁ ।

 

 

Comments are closed.