Latest Odisha News

BREAKING NEWS

ପଡିଲା ହାତଗଣ୍ଠୀ, ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ନବ ବିବାହିତ ଦେବଦମ୍ପତି

ସମ୍ବଲପୁର: ମହା ଆଡମ୍ବରରେ ଶେଷ ହେଲା ମହାଦେବଙ୍କ ବାହାଘର । ଥାଟ ପଟୁଆରରେ ଜଗତ ଜନନୀଙ୍କ ଘରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ହୋଇଥିଲା ବିବାହ ଉତ୍ସବ । ଜଗତଜନନୀ ମାତା ପାର୍ବତୀଙ୍କ ହାତ ଧରିଥିଲେ ବାବା ଭୋଳାନାଥ । ଗତକାଲି ମଧ୍ୟରାତିରେ ବିରାଟ ପଟୁଆରରେ ବରଯାତ୍ରୀ ନେଇ ଯାଇଥିଲେ ମହାଦେବ । ବାଜାବାଣର ରୋଷଣୀ ସହିତ ଭଳିକିଭଳି ପାରମ୍ପରିକ ନୃତ୍ୟୁରେ ଦୁଲୁକୁଥିଲା ସମ୍ବଲପୁର ସହର ।

ଗତକାଲି ବିଳମ୍ବିତ ରାତିରେ ମହାଦେବ ବରଯାତ୍ରୀମାନଙ୍କୁ ସାଙ୍ଗରେ ଧରି ବିବାହ ଶୋଭାଯାତ୍ରାରେ ବାହାରିଥିଲେ। ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ ହୋଇ ବିମାନରେ ଆସୀନ ହୋଇଥିଲେ ମହାଦେବ । ପରେ ମହା ଆଳତି ଓ ବନ୍ଦାପନା ହୋଇଥିଲା। ବାଜା, ବାଣ ଓ ରୋଷଣୀ ସହ ନାଚଗୀତରେ ଶୋଭାଯାତ୍ରା କନ୍ୟାଘର ଅଭିମୁଖେ ଯାଇଥିଲା। ଖୁବ ଜାକଜମକରେ ବିବାହ ଶୋଭାଯାତ୍ରା ଗୋଟିଏ ପରେ ଗୋଟିଏ ପଡା ଅତିକ୍ରମ କରି କନ୍ୟା ଘରେ ପହଞ୍ଚିଥିଲା। ବାଟବରଣୀ ପରେ ବୈଦିକ ରୀତିନୀତିରେ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ନନ୍ଦପଡାର ବାବା ବାଲୁଙ୍କେଶ୍ବର ଝାଡୁଆପଡାର ବାବା ଲୋକନାଥ ଓ ମୁଦିପଡାର ବାବା ଯାଗେଶ୍ବରଙ୍କ ହାତଗଣ୍ଠି ପଡିସାରିଛି । ଆଜି କନ୍ୟା ପିତାମାତା ଦେବ ଦମ୍ପତିଙ୍କୁ ବିଦାୟ ଦେବାକୁ ଥିବାବେଳେ ବିଳମ୍ବିତ ରାତିରେ ମନ୍ଦିରରୁ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବ । ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିବ ଓ ସନ୍ଧ୍ୟାରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ହେବ ।

ସେପଟେ ଭୁବନେଶ୍ବରରେ ବାବା ଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ ହୋଇଛି । ବିଳମ୍ବିତ ରାତିରେ ବରଯାତ୍ରୀଙ୍କୁ ନେଇ ବିରାଟ ପଟୁଆରେ କେଦାରଗୌରୀ ମନ୍ଦିରରେ ପହଞ୍ଚିଥିଲେ ପ୍ରଭୁ ଲିଙ୍ଗରାଜ। କନିଆଁ ଘରକୁ ଯିବା ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କୁ ନୂଆ ବସ୍ତ୍ର ଓ ଅଳଙ୍କାର ସୁଗନ୍ଧଯୁକ୍ତ ଫୁଲ‌ର ମାଳରେ ସଜେଇ ଦେଇଥିଲେ ସେବାୟତ। ବଡ଼ସିଂହାର ସରୁ ସରୁ ବିମାନରେ ସିଂହଦ୍ବାର ଦେଇ ବାହାରିଥିଲେ ପ୍ରଭୁ ଲିଙ୍ଗରାଜ। ପଛେ ପଛେ ବରଯାତ୍ରୀ ଭାବେ ବାହାରିଥିଲେ ପ୍ରଭୁ ବାସୁଦେବ। ସେଠାରେ ମହାଆଡ଼ମ୍ବରରେ ଦେବ ଦମ୍ପତ୍ତିଙ୍କ ବିବାହ ବିଧିବୁତାବକ ସମ୍ପନ୍ନ ହୋଇଥିଲା। ରାତି ଗୋଟାଏ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା । କେବଳ ପାରମ୍ପରିକ ବାଜା ରୋଷଣୀ ସହିତ ବିବାହ ପାଇଁ ଯାଇଥିଲେ ପ୍ରଭୁ  ।

ତେବେ ପ୍ରଭୁ କପିଳେଶ୍ବର ଶ୍ରୀ ଲିଙ୍ଗରାଜଙ୍କ ବରଯାତ୍ରୀ ହୋଇ ଯିବାର ପରମ୍ପରା ଥିଲେ ମଧ୍ୟ ଖୁଣ୍ଟିଆ ଓ ମଲିଆଙ୍କ ବିବାଦ ଯୋଗୁଁ କିଛି ବର୍ଷ ହେବ ପ୍ରଭୁ କପିଳେଶ୍ବର ସାମିଲ ହେଉନାହାନ୍ତି।

Leave A Reply

Your email address will not be published.