Latest Odisha News

BREAKING NEWS

‘ଓଃ ହନି!…ତୁ ବଞ୍ଚିଛୁ…’ କହି ଖୁସିରେ ଆତ୍ମହରା ବ୍ୟକ୍ତି: ଭିଡିଓ ଆପଣଙ୍କୁ ବି କନ୍ଦାଇ ଦେବ

ନୂଆଦିଲ୍ଲୀ: ଆଖିରେ ଲୁହ ଛଳ ଛଳ, ମୁହଁରେ ଅସୁମାରୀ ଖୁସି, ଆଉ ପାଟିରେ ଖାଲି କେଇଟି ପଦ…ହେ ଭଗବାନ୍!…ତୁ ବଞ୍ଚିଛୁ… ଓଃ ହନି.. ଧନ୍ୟବାଦ୍ ଜିସସ୍…ଧନ୍ୟବାଦ୍ ଭଗବାନ୍..ଧନ୍ୟବାଦ୍… ।  ଯାହାର ଭିଡିଓ ଏବେ ସୋସିଆଲ ମିଡିଆର ପ୍ରତିଟି ୟୁଜର୍ସଙ୍କ ହୃଦୟ ଛୁଇଁଛି । ଯିଏ ବି ଦେଖୁଛୁ, ଭଗବାନଙ୍କୁ ଧନ୍ୟବାଦ୍ ଦେଉଛି ।

ବାସ୍ତବରେ ଏବେ ଲସ୍ ଆଞ୍ଜେଲସରେ ଭୟାବହ ଅଗ୍ନି ତାଣ୍ଡବ ରଚିଥିବା ବେଳେ କାଇଁପାଖାପାଖି ୧୬ଟି ପରିବାର ତାଙ୍କର ପ୍ରିୟ ଜନଙ୍କୁ ହରାଇସାରିଲେଣି । ୭୦ ହଜାରରୁ ଅଧିକ ଲୋକ ନିଜ ଘରକୁ ଆଖି ଆଗରେ ହୁତୁହୁତୁ ହୋଇ ଜଳି ପାଉଁଶ ହେବାର ଦେଖି ସାରିଲେଣି । ହେଲେ କିଛି ବି ସୁଫଳ ମିଳିପାରିନାହିଁ । କାଳର କରାଳ ରୂପ ଧରି ସେ ନିଆଁ ଯେମିତି ଆଁ କରି ମାଡି ଚାଲିଛି । ଗୋଟେ ପରେ ଗୋଟେ ଆମେରିକାର ଏରିଆକୁ ନିଜ ଗର୍ଭରେ ମିଶାଇ ଦେଉଛି । ଆଉ ଏହାରି ଭିତରେ ଲସ୍ ଆଞ୍ଜେଲସର ଜଣେ ବ୍ୟକ୍ତି କାସେ କଲଭିନଙ୍କ ହୃଦୟସ୍ପର୍ଶୀ ନାଚ ଏବେ ସମସ୍ତଙ୍କ ମନଛୁଇଁଛି ।

ତେବେ କାସେ କଲଭିନଙ୍କ ଘର ମଧ୍ୟ ଏହି ଭୟାବହ ଅଗ୍ନିକାଣ୍ଡରେ ଜଳି ପାଉଁଶ ହୋଇଯାଇଛି । ଯେତେବେଳେ ତାଙ୍କ ଘର ଥିବା ଏରିଆରେ ହାଇଆଲର୍ଟ ଜାରି କରାଯାଇଥିଲା, ସେତେବେଳେ ଘର ଠାରୁ ଦୂରରେ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ କଲଭିନ୍ । ଆଉ ଖବର ପାଇବା ମାତ୍ରେ ଘରେ ରହିଥିବା ତାଙ୍କର ଦୁଇ କୁକୁର ‘ଟିକାଟିକାଟିକା ଏବଂ ଓରିଓ’ଙ୍କୁ ଫେରାଇ ଆଣିବା ପାଇଁ ଧାଇଁଥିଲେ । ହେଲେ ଟ୍ରାଫିକ ସମସ୍ୟା ଯୋଗୁଁ ସେ ପହଞ୍ଚିଲା ବେଳକୁ ସବୁକିଛି ଛାରଖାର ହୋଇଯାଇଥିଲା । କିନ୍ତୁ ଭାଗ୍ୟବଶତଃ ସେଠିକା ଜଣେ ଫାୟାରମ୍ୟାନ ଘର ଜଳୁଥିବା ସମୟରେ ଟିକାଟିକାଟିକାକୁ ଦେଖି ତାକୁ ଉଦ୍ଧାର କରିଥିଲେ । ଆଉ ପରେ କଲଭିନଙ୍କୁ ହସ୍ତାନ୍ତର କରିଥିଲେ ।

ହେଲେ ଓରିଓର ପତ୍ତା ନଥିଲା । ଯାହାକୁ ନେଇ କୋଲଭିନ୍ ଗତ ୭ ତାରିଖରୁ ଓରିଓକୁ ଖୋଜିବା ଆରମ୍ଭ କରିଦେଇଥିଲେ । ହେଲେ ପରେ ରବିବାର ତାଙ୍କ ପଡୋଶୀ ଓରିଓକୁ ଦେଖି ତାର ଭିଡିଓ ଜାରି କରିଥିଲେ । ଜଣେ ପଡ଼ୋଶୀଙ୍କ ଘରର ଭଗ୍ନାବଶେଷ ମଧ୍ୟରେ ଶୋଇଥିବା ଅବସ୍ଥାରେ ଓରିଓକୁ ପାଇଥିଲେ । ଏହା ପରେ କଲଭିନକୁ ଖବର ଦେଇଥିଲେ । ଆଉ କଲଭିନ ଓରିଓକୁ ଜୀବତ ଆଖି ସାମ୍ନାରେ ଦେଖି ଆତ୍ମହରା ହୋଇପଡିଥିଲେ । ଓରିଓକୁ କାନ୍ଧରେ ଧରି କିଛି ସମୟ ପର୍ଯ୍ୟନ୍ତ ପାଗଳ ଭଳି ନାଚିଥିଲେ କଲଭିନ୍ । ଯାହାର ହୃଦୟସ୍ପର୍ଶୀ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.