Latest Odisha News

ଆଠ ବର୍ଷ ପରେ ଘରକୁ ଫେରିଲା ପୁଅ, ଘଞ୍ଚ ଜଙ୍ଗଲରେ କାଟୁଥିଲେ ‘ବଣ ମଣିଷ’ ଜୀବନ

କେନ୍ଦୁଝର: ଏଥର ପାର୍ବଣ ପରିବାର ପାଇଁ ଆଣିଲା ଖୁସି ଖବର । ଦୀର୍ଘ ଆଠ ବର୍ଷ ପରେ ଘରକୁ ଫେରିଲା ପୁଅ । ଖୁସିରେ ଆତ୍ମହରା ବାପା-ମା’ । ଡିଏମ୍ଏଫ୍ ଆଶ୍ରୟ ଟିମର ସହାୟତାରେ ଦୀର୍ଘ ଆଠ ବର୍ଷ ଧରି ପରିବାରଠୁ ଅଲଗା ହୋଇଯାଇଥିବା ଜଣେ ଯୁବକ ନିଜ ଘରକୁ ଫେରିଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କଣ୍ଟିମିଲି ଗ୍ରାମପଞ୍ଚାୟତର ସ୍ଵର୍ଗତ ସପନ ନାଏକଙ୍କ ଏକମାତ୍ର ପୁଅ ରାମ(ଛଦ୍ମନାମ) ।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ମାନସିକ ରୋଗରେ ପୀଡ଼ିତ ଥିବା ରାମ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ସେ ମେଡ଼ିକାଲ ପରିସରରୁ ଅଚାନକ କେଉଁଆଡେ ଚାଲିଯାଇଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଏକମାତ୍ର ପୁଅ ଯେ ଆଉ କେବେ ଫେରିବ, ଏନେଇ ସମସ୍ତେ ଆଶା ଛାଡ଼ିଦେଇଥିଲେ। କିଛିଦିନ ତଳେ ବାଂଶପାଳ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଦୀର୍ଘ ଦୁଇ ବର୍ଷ ଧରି ସ୍ଥାନୀୟ ଜଙ୍ଗଲରେ ରହୁଥିବା ନେଇ ଖବର ପାଇଥିଲା ଡିଏମ୍ଏଫ୍ ଆଶ୍ରୟ ଟିମ୍ । ଖବରପାଇ ଗତ ଜୁନ୍ ୮ ତାରିଖରେ ଉକ୍ତ ସ୍ଥାନରେ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା ଆଶ୍ରୟ ଟିମ୍ । ଉଦ୍ଧାର ପରେ ଡିଏମ୍ଏଫ୍ ଆଶ୍ରୟର ସଦସ୍ୟ ମାନେ ତାଙ୍କୁ ପ୍ରଥମେ ନୟାକୋଟ ଥାନା ନେବା ସହ ସେଠାରେ ଆଶୁ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଡିଏମ୍ଏଫ୍ ଆଶ୍ରୟକୁ ନିଆଯାଇଥିଲା।

ସଠିକ୍ ଯତ୍ନ ଏବଂ ଚିକିତ୍ସା ଯୋଗୁଁ ସେ ଧିରେ ଧିରେ ସୁସ୍ଥ ହେବାସହ ନିଜ ପରିବାର ଏବଂ ଘର ଠିକଣା ମନେ ପକାଇ କହିଥିଲେ। ଏହାପରେ ଢେଙ୍କାନାଳ ବାଲିମି ଥାନା ସହ ସମ୍ପର୍କ କରି ତାଙ୍କର ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ ଡିଏମ୍ଏଫ୍ ଆଶ୍ରୟର ସଦସ୍ୟ। ଶେଷରେ ଖବର ପାଇ ଶୁକ୍ରବାର ଦିନ ରାମଙ୍କୁ ନେବାପାଇଁ ତାଙ୍କ ପରିବାର ଲୋକ ଆସି ପହଞ୍ଚିଥିଲେ। ମା’ ପୁଅକୁ ଚିହ୍ନିବା ପରେ ତାଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେମାନେ ରାମକୁ ‘ତାର୍ଜନ’ ବୋଲି ଡାକୁଥିଲେ। ଯିଏ ଯାହା ଦେଉଥିଲା ସେ ଖାଉଥିଲା। ଏପରିକି ବନ୍ୟ ଜୀବଜନ୍ତୁଙ୍କ ଗହଣରେ ଖରା ବର୍ଷାକୁ ଖାତିର ନକରି ସେ ସେହି ଘଞ୍ଚ ଜଙ୍ଗଲରେ ବାସ କରୁଥିଲା ଏବଂ ରାତିରେ ମଧ୍ୟ ଜଙ୍ଗଲରେ ଶୋଉଥିଲା।

Leave A Reply

Your email address will not be published.