ଜରଜିଆ: ଆଉ ମାସକ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ସେମାନେ ପରସ୍ପରକୁ ଜାଣିଥିଲେ, ଭଲ ପାଉଥିଲେ ଓ ପରିବାରର ସ୍ୱୀକୃତି ମଧ୍ୟ ଥିଲା । କିନ୍ତୁ ବିଧିର ବିଧାନ ବଡ଼ ନିଷ୍ଠୁର । ଧାର୍ଯ୍ୟ ହୋଇଥିବା ବାହାଘର ତାରିଖର ମାସକ ପୂର୍ବରୁ ଘଟିଗଲା ଅଘଟଣ । ଅସାବଧାନତା ଯୋଗୁ ପ୍ରେମିକଙ୍କ ହାତରେ ରାସାୟନିକ ପଦାର୍ଥ ପଡ଼ିଯିବାରୁ ଦୁଇ ହାତର ୯ଟି ଆଙ୍ଗୁଠିକୁ କାଟିବାକୁ ପଡ଼ିଲା । ତେବେ ନିଜ ପ୍ରେମକୁ ପ୍ରମାଣିତ କରିବାକୁ ଧାର୍ଯ୍ୟ ଦିନରେ ହସପିଟାଲରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ପ୍ରେମୀ ଯୁଗଳ ।
ଜରଜିଆର ବାସିନ୍ଦା ପ୍ରେଷ୍ଟୋନ କୋବ୍ । ସେ ତନିଶା ନାମକ ଜଣେ ଯୁବତୀଙ୍କୁ ବହୁତ ଭଲ ପାଉଥିଲେ । ଶେଷରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଉଭୟଙ୍କ ଘର ଲୋକ ବି ବିବାହ ନେଇ ଖୁସିରେ ରାଜି ହୋଇଗଲେ । ଏହାକୁ ନେଇ ପ୍ରେଷ୍ଟୋନ ଓ ତନିଶା ବହୁତ ଖୁସି ହେଲେ । ବିବାହ ତାରିଖ ବି ଠିକ୍ ହୋଇଗଲା । ଦୁହେଁ ବିବାହ ନେଇପ୍ରସ୍ତୁତି ଜୋରସୋରରେ ଚଳାଇଲେ ।
ବିବାହର ଠିକ୍ ମାସେ ପୂର୍ବରୁ ଦିନେ ପ୍ରେଷ୍ଟୋନ କାମ କରିବା ସମୟରେ ରାସାୟନିକ ପଦାର୍ଥ ତାଙ୍କ ଉପରେ ପଡ଼ିଗଲା । ଫଳରେ ତାଙ୍କ ଶରୀର ୩୨ ପ୍ରତିଶତ ପୋଡ଼ିଗଲା । ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଗଲା । ହେଲେ ତାଙ୍କର ଦୁଇ ହାତ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେଣୁ ଡ଼ାକ୍ତରଙ୍କୁ ବାଧ୍ୟ ହୋଇ ଦୁଇ ହାତର ୯ଟି ଆଙ୍ଗୁଠିକୁ କାଟିବାକୁ ପଡ଼ିଲା । ନିଜର ଏପରି ଅବସ୍ଥା ଦେଖି ପ୍ରେଷ୍ଟୋନ ତନିଶାଙ୍କୁ ବିବାହ କରିବେ ନାହିଁ କହିଲେ । ଏହା ଶୁଣିବା ପରେ ପ୍ରେମିକା ତନିଶା ପୁରା ଭାଙ୍ଗି ପଡ଼ିଲେ । ତାଙ୍କର ଏକା ଜିଦ୍ ସେ ବିବାହ କରିବେ ତ ପ୍ରେଷ୍ଟୋନଙ୍କୁ ହିଁ କରିବେ । ଶେଷରେ ପ୍ରେଷ୍ଟୋନଙ୍କୁ ବି ତାଙ୍କ ଜିଦ୍ ପାଖରେ ମୁଣ୍ଡ ନୁଆଁଇବାକୁ ପଡ଼ିଲା ।
ପ୍ରେଷ୍ଟୋନଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିବା ପରେ ଦୁହେଁ ଧାର୍ଯ୍ୟ ହୋଇଥିବା ଦିନ ହସପିଟାଲରେ ବିବାହ କରିଥିଲେ । ଏହା ଜାଣିବା ପରେ ହସପିଟାଲର ଡ଼ାକ୍ତର ଓ ରୋଗୀଙ୍କ ସମ୍ପର୍କୀୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
Comments are closed.