ସୋର: ବାଲେଶ୍ୱରରେ ଥିବା କୁଷ୍ଠରୋଗୀ ଆଶ୍ରୟସ୍ଥଳୀରେ ଏକ ବିରଳ ଓ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଆଶ୍ରୟସ୍ଥଳୀରେ ଦୁଇ ଜଣ ଅନ୍ତେବାସୀ ଦାସ ମାରାଣ୍ଡି (୬୩) ଓ ପଦ୍ମାବତୀ ଦାସ (୬୫) ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଲୋକଙ୍କ ଦ୍ୱାରା ହତାଦାର ହୋଇଥିବା ଏହି ଦୁଇ ବ୍ୟକ୍ତି ଏବେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇ ବାକି ଜୀବନ ଏକାଠି ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ବିବାହ ସେଲ୍ଟର ହୋମ୍ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା।
ଦାସ ମାରାଣ୍ଡି ଅବିବାହିତ ଥିବା ବେଳେ ପଦ୍ମାବତୀ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ହେଲେ କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କ ଜୀବନ ବଦଳି ଯାଇଥିଲା। ପରିବାର ଲୋକେ ତାଙ୍କୁ ହତାଦାର କରିଥିବାରୁ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ସେ ଆଶ୍ରୟ ଗୃହକୁ ଆସିଥିଲେ। କହିରଖୁଛି ପଦ୍ମାବତୀଙ୍କ ସ୍ବାମୀଙ୍କର ପରଲୋକ ହୋଇସାରିଛି। ଦାସ ମାରାଣ୍ଡି ବାଲେଶ୍ୱର ସଦର ବ୍ଲକ ସାର୍ଥା ଅଞ୍ଚଳର ହୋଇଥିବା ବେଳେ ଔପଦା ବ୍ଲକ ଯୋଡ଼ା ଗଡ଼ିଆ ଗାଁର ପଦ୍ମାବତୀ ଅଟନ୍ତି।
ମାସ ମାସ ଧରି ଚିକିତ୍ସିତ ହେବା ପରେ ଦୁହେଁ ସୁସ୍ଥ ହୋଇଯାଇଥିଲେ। ଚିକିତ୍ସା ସମୟରେ ଦୁଇ ଆତ୍ମା ପରସ୍ପରକୁ ଭଲ ପାଇ ବସିଥିଲେ ଏବଂ ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବିବାହର ଆୟୋଜନ କରାଯାଇଥିଲା।
ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦେବ, କୁଷ୍ଠ ରୋଗୀ ଆଶ୍ରୟ ଗୃହର ଚିକିତ୍ସାଧିକାରୀ ଡାକ୍ତର ସୁମିତ୍ରା ଦେ ଓ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ (ଏଡିଏମଓ) ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଡାକ୍ତର ସୁମିତ୍ରା ଦେ କହିଛନ୍ତି ଯେ, ପ୍ରଥମେ ଦାସ ମାରାଣ୍ଡି ବିବାହ ପ୍ରସ୍ତାବ ଦେଇଥିଲେ ଯାହାକୁ ପୂର୍ବରୁ ପଦ୍ମାବତୀ ମନା କରିଦେଇଥିଲେ। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ହସ୍ତକ୍ଷେପ ପରେ ପଦ୍ମାବତୀ ଶେଷରେ ରାଜି ହୋଇଥିଲେ।
ଏଡିଏମଓ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି, ଏଭଳି ବିବାହ ପାଇଁ ଆମେ ସମସ୍ତେ ଖୁସି, ଯାହା କ୍ୱଚିତ୍ ଦେଖିବାକୁ ମିଳେ। ଉଭୟଙ୍କ ପରିବାର ସେମାନଙ୍କୁ ଦୂରେଇ ଦେଇଥିବାରୁ ସେମାନେ ଜୀବନର ବାକି ସମୟ ବିତାଇବେ ବୋଲି ଶପଥ ନେଇଛନ୍ତି। ଏବେ ସେମାନେ ଏହି ଦୂରାରୋଗରୁ ମୁକ୍ତ ହୋଇସାରିଛନ୍ତୁ ସୁସ୍ଥ ଅଛନ୍ତି।
ଭଲପାଇବା ଓ ସହନଶୀଳତାର ଏହି କାହାଣୀ ମନେ ପକାଇ ଦେଉଛି ଯେ, ଅନ୍ଧାର ସମୟରେ ମଧ୍ୟ ସବୁବେଳେ ଆଶା ବାନ୍ଧି ରହିଥାଏ। ଦାସ ମାରାଣ୍ଡି ଓ ପଦ୍ମାବତୀ ଆମକୁ ଦେଖାଇ ଦେଇଛନ୍ତି ଯେ ପ୍ରକୃତ ପ୍ରେମର କୌଣସି ସୀମା ନାହିଁ।
Comments are closed.