Latest Odisha News

ପ୍ରବଳ ବର୍ଷିବ, ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହେବ। ଏହା ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଏହାରି ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଫଳରେ ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଲଘୁଚାପ ନେଇ ୧୩ ଜିଲ୍ଲାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଚିଠିରେ ଲଘୁଚାପ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି କହିଛନ୍ତି ଏସଆରସି। ସେଥିପାଇଁ ଉତ୍ତର ଓଡ଼ିଶା ସହ ୧୩ ଜିଲ୍ଲାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଜିଲ୍ଲାସ୍ତରରେ ପ୍ରସ୍ତୁତ ରହିବା ସହ ସ୍ଥିତି ନେଇ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଆଜି ପାଇଁ ୨୨ଟି ଜିଲାକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

 

Comments are closed.