ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ଉତ୍ତର ଓଡ଼ିଶାର କେତେକ ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ବର୍ଷା ହୋଇପାରେ। ଏହି ଲଘୁଚାପ ଦ୍ବାରା ଓଡ଼ିଶାକୁ ଜୁନ୍ ୧୧ରୁ ୧୨ତାରିଖ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍ ବିଶ୍ବାସ ସୂଚନା ଦେଇଛନ୍ତି।
ଏହାର ପ୍ରଭାବରେ ଜୁନ ୧୦ ଓ ୧୧ ତାରିଖରେ ମାଲକାନଗିରି, ରାୟଗଡ଼ା, କୋରାପୁଟର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, କଟକ, ବାଲେଶ୍ବର, ଭଦ୍ରକ, ଖୋର୍ଧା, ଢେଙ୍କାନାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼ ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ବର୍ଷା ହେବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସମୟରେ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ଫେରି ଆସିବାକୁ ମଧ୍ୟ କୁହାଯାଇଛି।
ଦକ୍ଷିଣ ପୂର୍ବ ମୌସୁମୀ ଗୁରୁବାର ଓଡ଼ିଶାରେ ପ୍ରବେଶ କରିବ। ଯାହାର ପ୍ରଭାବରେ ବୁଧବାର ଅପରାହ୍ନ କିମ୍ବା ରାତିଠାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଶୁକ୍ରବାର ସୁଦ୍ଧା ଏହାର ପ୍ରଭାବ ସାରା ରାଜ୍ୟରେ ଦେଖାଯିବା ବୋଲି ସୂଚନା ମିଳିଛି ।
Comments are closed.