ଭୁବନେଶ୍ବର: ଏବେ ରାଜ୍ୟରେ ମିଶ୍ରିତ ପାଗ ଅନୁଭୂତ ହେଉଛି । ସକାଳେ ଟାଣ ଖରା ସାଙ୍ଗକୁ ଅପରାହ୍ଣ ହେଲେ, ଅନ୍ଧାର କରି ମାଡି ଆସୁଛି କାଳବୈଶାଖୀ ବର୍ଷା । ହେଲେ ଏବେ ତାତିରୁ ସଂପୂର୍ଣ୍ଣ ଆଶ୍ବସ୍ତି ଦେବ ଲଘୁଚାପ ବର୍ଷା । ଆସନ୍ତା ମେ ୨୭ ତାରିଖରେ ପାଖାପାଖି ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆଇଏମଡି ସୂଚନା ଅନୁଯାୟୀ, ମେ ୨୭ ପାଖାପାଖି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସ୍ୟଷ୍ଟି ହେବା ପାଇଁ ବଙ୍ଗୋପସାଗରର ପରିସ୍ଥିତି ଅନୁକୂଳ ହେଉଛି । ବର୍ତ୍ତମାନ, ତୀବ୍ରତା ଏବଂ ଗତି ସମ୍ପର୍କରେ ମଡେଲଗୁଡ଼ିକ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି । ପରବର୍ତ୍ତୀ ୨ ଦିନ ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ଆଜି ଆରବସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ । ଯାହା କ୍ରମଶଃ ଘନୀଭୂତ ହୋଇ ୩୬ ଘଣ୍ଟାରେ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ୨ଟି ଲଘୁଚାପର ପ୍ରଭାବ କ’ଣ ରହିବ, ସେନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିନାହିଁ। ତେବେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେପଟେ ରାଜ୍ୟରେ ଏବେ କିଛି କିଛି ସ୍ଥାନରେ କୋହଲା ପାଗ ରହିଥିବା ବେଳେ, ଆଉ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଛି । କାଳବୈଶାଖୀ ବର୍ଷା ତାତିରୁ ଟିକିଏ ଆଶ୍ବସ୍ତି ଦେଇଛି । ସେହିପରି ଆସନ୍ତା ଦୁଇଦିନ ମଧ୍ୟରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାକୁ ମଧ୍ୟ ସଅଳ ମୌସୁମୀ ଆସିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
Comments are closed.