ଭୁବନେଶ୍ବର: ଆଜି ଲଘୁଚାପ। ଦିନକ ପରେ ଅବପାତ। ଓଡ଼ିଶାକୁ ପୁଣି ବାତ୍ୟା ଭୟ ଦେଖାଦେଇଛି। ମାସ ଶେଷ ଆଡକୁ ବାତ୍ୟା ଓ ବର୍ଷା ହେବା ନେଇ ବିଭିନ୍ନ ପାଣିପାଗ ମଡେଲ ସୂଚନା ଦେବା ପରେ ବିଶେଷକରି ରାଜ୍ୟର ଚାଷୀକୂଳ ଛାନିଆ ହୋଇପଡିଛନ୍ତି। ସମ୍ଭାବ୍ୟ ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ ? ବିଭିନ୍ନ ପାଣିପାଗ ମଡେଲ ଆକଳନ ଅନୁଯାୟୀ, ୨୫-୨୬ ତାରିଖ ବେଳକୁ ସାଇକ୍ଲୋନ ସୃଷ୍ଟି ହେବ । ଏହା ତାମିଲନାଡୁ-ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ ବୋଲି ପୂର୍ବାନୁମାନ କରିଛି ସ୍କାଏମେଟ । ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ସେନ୍ୟାର।
ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟା ସୃଷ୍ଟି ପରେ ପୂର୍ବ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି । ଫଳରେ ନଭେମ୍ବର ୨୭ରୁ ୨୯ ତାରିଖ ମଧ୍ୟରେ ତାମିଲନାଡୁ, ଆନ୍ଧ୍ର ଓ ଓଡ଼ିଶା ଉପରେ ମାଡ଼ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅଧିକାଂଶ ମଡେଲରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ଉତ୍ତର ତାମିଲନାଡୁ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି କୁହାଯାଉଛି। ତେବେ ଅବପାତ କିମ୍ବା ଗଭୀର ଅବପାତ ପରେ ସଠିକ ଗତିପଥ ଜଣାପଡ଼ିବ । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ସାଇକ୍ଲୋନ ନେଇ ଏଯାଏ କିଛି ଆକଳନ କରିନାହିଁ । ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି ।
୨୪ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତର ସମ୍ଭାବନା ରହିଛି । ତେବେ ଏହା ଓଡ଼ିଶା ଉପକୂଳ ଠାରୁ ବହୁ ଦୂରରେ ଥିବାରୁ ରାଜ୍ୟରେ ଆଗାମୀ ୫ରୁ ୭ଦିନ ଯାଏ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Comments are closed.