Latest Odisha News

ଗ୍ରାହକଙ୍କୁ ଆଶ୍ୱସ୍ତି, କମିଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ: ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି। ଅଗଷ୍ଟ ଆରମ୍ଭରୁ ଖସିଲା ଏଲପିଜି ସିଲିଣ୍ଡର ଦାମ୍। କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ପାଇଛି। ଏହି ପରିବର୍ତ୍ତନ ଯୋଗୁଁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୬୮୦ ଟଙ୍କାକୁ କମିଛି। ଏହାପୂର୍ବରୁ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ଜୁଲାଇ ୪ ରେ ୧୭୮୦ ଟଙ୍କା ଥିଲା।

୧୯ କେଜି କମର୍ସିଆଲ ସିଲିଣ୍ଡର ଦାମ୍‌ ୯୯.୭୫ ଟଙ୍କା କମିଛି। ମୁମ୍ବାଇରେ ଏହି ସିଲିଣ୍ଡର ବର୍ତ୍ତମାନ ୧୬୪୦.୫୦ ଟଙ୍କାରେ ବିକ୍ରି ହେବ, ଯାହା ଜୁଲାଇ ୪ ରେ ୧୭୩୩.୫୦ ଟଙ୍କାକୁ ବୃଦ୍ଧି ପାଇଥିଲା। ସେହିପରି କୋଲକତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୮୯୫.୫୦ ରୁ ଖସି ୧୮୦୨.୫୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୧୯୪୫.୦୦ରୁ ଖସି ୧୮୫୨.୫୦ ଟଙ୍କାରେ ପହଞ୍ଚିଛି। ମାର୍ଚ୍ଚରୁ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ହ୍ରାସ ହୋଇନାହିଁ।

ମାର୍ଚ୍ଚରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଦେଶର ରାଜଧାନୀରେ ଘରୋଇ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ୧୧୦୩ ଟଙ୍କା ରହିଛି। ମୁମ୍ବାଇରେ ୧୧୦୨.୫୦, କୋଲକାତାରେ ୧୧୨୯ ଟଙ୍କା ଏବଂ ଚେନ୍ନାଇରେ ଘରୋଇ ସିଲିଣ୍ଡର ପିଛା ୧୧୧୮.୫୦ ଟଙ୍କାରେ ବିକ୍ରି ହେଉଛି।
କେବଳ ଘରୋଇ ଗ୍ୟାସର ମୂଲ୍ୟ ନୁହେଁ ବରଂ କିଛି ମାସ ଧରି ସିଏନଜି ଏବଂ ପିଏନଜି ମୂଲ୍ୟରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ବ୍ୟତୀତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଦୀର୍ଘ ସମୟ ଧରି ପରିବର୍ତ୍ତନ ହୋଇନାହିଁ। ଦେଶର ରାଜଧାନୀ ସମେତ ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର ରହିଛି।

Comments are closed.