Latest Odisha News

ଗୀତିକାର ସୁବ୍ରତ ସ୍ୱାଇଁଙ୍କ ପୁସ୍ତକ ‘କେବେ ଶହେ କେବେ ଶୂନ’ ଉନ୍ମୋଚିତ

ଭୁବନେଶ୍ୱର: ଭଲ ଗୀତ ଖରାପ ଗୀତ ବୋଲି କିଛି ନ ଥାଏ। ମଣିଷ ମନକୁ ଛୁଇଁଥିବା ପ୍ରତ୍ୟେକ ଗୀତ ଗ୍ରହଣୀୟ। ମଣିଷ ଯେତେ ଦୁଃଖ ବା ଖୁସିରେ ଥାଉ, ଏମିତି ଜଣେ ନ ଥିବ ଯେ ଗୀତ ଶୁଣିବାକୁ ବା ଏକାନ୍ତରେ ଗୁଣୁଗୁଣେଇବାକୁ ଭଲ ପାଉ ନ ଥିବ। ଗୀତିକାର ସୁବ୍ରକ ସ୍ୱାଇଇଁ ଶ୍ରୋତା ମହଲରେ ଯେମିତି ପ୍ରସିଦ୍ଧି ପାଇଛନ୍ତି ତାଙ୍କର ନିର୍ବାଚିତ ଗୀତିଗୁଚ୍ଛକୁ ଅନୁରୂପ ପାଠକୀୟ ସ୍ୱୀକୃତି ମିଳିବ ବୋଲି କହିଛନ୍ତି ସମ୍ବାଦର ସଂପାଦକ ତଥା ବରିଷ୍ଠ ରାଜନୀତିଜ୍ଞ ସୌମ୍ୟରଂଜନ ପଟ୍ଟନାୟକ।

ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ପ୍ରସିଦ୍ଧ ଗୀତିକାର ସୁବ୍ରତ ସ୍ୱାଇଁଙ୍କ ପ୍ରଥମ ଗୀତ ସଂକଳନ “କେବେ ଶହେ କେବେ ଶୂନ” ସମ୍ବାଦ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମଣିଷ ଜୀବନରେ ସୂଚନା ଓ ଖବର ଭଳି ଗୀତର ମଧ୍ୟ ଆବଶ୍ୟକତା ରହିଛି। ସମ୍ଭାବନାର କୌଣସି ସୀମା ନାହିଁ ଓ ସୁବ୍ରତ ସବୁ ସମ୍ଭାବନାର ଶିଖରକୁ ଯାଆନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ସୁବ୍ରତଙ୍କ ଗୀତରେ ଥିବା ସ୍ୱତନ୍ତ୍ର୍‌ତା ଓ ମାଧୁର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ବିଶିଷ୍ଟ କଥାଶିଳ୍ପୀ ଗୌରହରି ଦାସ କହିଥିଲେ ଯେ ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ସାରଦା ପ୍ରସନ୍ନ ନାୟକଙ୍କ ପର୍ଯ୍ୟନ୍ତ ଲେଖାଯାଇଥିବା ଗୀତର ସମୟ ସୁବର୍ଣ୍ଣ ଯୁଗ ଥିଲା। ତେବେ ସବୁ ଲୋକପ୍ରିୟ ଗୀତ କ୍ଲାସିକ୍ ହୋଇ ନ ପାରେ। ଲୋକପ୍ରିୟ ହେବା ସହ କ୍ଲାସିକ୍ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ଗୀତ କମ ଅଛି। ବିଶିଷ୍ଟ ଲେଖକ ତଥା ଗବେଷକ ଅସିତ ମହାନ୍ତି ସୁବ୍ରତଙ୍କ ସଫଳତା ଓ କୃତିର ପ୍ରଶଂସା କରିଥିବା ବେଳେ ନିଜକୁ ଶୂନରେ ଅଛ ବୋଲି ମନେକରି ଶହେରେ ପହଞ୍ଚିବାର ଚେଷ୍ଟା କର ବୋଲି ପରାମର୍ଶ ଦେଇଥିଲେ।

ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ସଭା ପରିଚାଳନା କରିଥିଲେ। ଉତ୍ସବ ଶେଷରେ ସମସ୍ତଙ୍କୁ ‘କଥା’ର ସହ ସଂପାଦକ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.