Latest Odisha News

BREAKING NEWS

ମା’ କାଳରାତ୍ରି

ନବରାତ୍ରର ନବସ୍ୱରୂପର ସପ୍ତମ ରୂପ ‘ମା’ କାଳରାତ୍ରି ’

ନବରାତ୍ର ସପ୍ତମ ଦିବସରେ ମାଙ୍କୁ କାଳରାତ୍ରି ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କର ବିକଟାଳ ରୂପ। ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ
ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି। ମା’ଙ୍କ ଆରାଧନାରେ :-

ସପ୍ତମ ରୂପ ତୁମ କାଳରାତ୍ରିର ମା
ଦିବ୍ୟ ରୂପେ ଅବତରିବ
ଆସୁରିକ ଶକ୍ତି ବିନାଶ ପଥରେ
ଖଡ୍ଗ ହସ୍ତରେ ଧରିବ ।

ନବରାତ୍ରିରେ ମା’ଙ୍କ ଏହି ସ୍ୱରୂପକୁ ଆରାଧନା କଲେ ରିଦ୍ଧି ଓ ସିଦ୍ଧି ପ୍ରାପ୍ତ ହୋଇଥାଏ । କ୍ରୋଧର ବିନାଶ ପାଇଁ ମା’ଙ୍କ କାଳରାତ୍ରି ସ୍ୱରୂପର ଉପାସନା କରାଯାଏ । ସପ୍ତମୀ ତିଥିରେ ସାର୍ବଜନୀନ ଦୁର୍ଗାପୂଜା ସମୟରେ ମା’ଙ୍କ ନେତ୍ର ଉନ୍ମୀଳିତ ହୋଇଥାଏ ବା ଖୋଲିଥାଏ । କଲତାରୀଙ୍କ ସ୍ୱରୂପ ଭୟଙ୍କର ହୋଇଥିଲେ ମଧ୍ୟ ମା ସନ୍ତାନ ବତ୍ସଳା । ତାଙ୍କ ତ୍ରିନେତ୍ରରୁ ଅଗ୍ନି ସ୍ଫୁଲିଙ୍ଗ ନିର୍ଗତ ହେଉଥିଲେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରୁଣା ଓ ସ୍ନେହ ବର୍ଷା ହୋଇଥାଏ । ମା କାଳରାତ୍ରିଙ୍କର ଦିବସ ପୂଜା ରହିଛି । କିନ୍ତୁ ତାଙ୍କର ବିଶେଷ ପୂଜା ରାତିରେ ଅନୁଷ୍ଠିତ ହୋଇଥାଏ । ତନ୍ତ୍ର ସାଧକଙ୍କ ପାଇଁ କାଳରାତ୍ରି ଉପାସନାର ମହତ୍ୱ ସବୁଠୁ ଅଧିକ ।

ପୌରାଣିକ ମତ ଅନୁସାରେ ମା ଏହି ସ୍ୱରୂପା ହୋଇ ରକ୍ତବୀର୍ଯ୍ୟ, ଚଣ୍ଡ ଓ ମୁଣ୍ଡ ଭଳି ଦୈତ୍ୟ ସଂହାରକରିଥିଲେ । ପାର୍ବତୀଙ୍କ ଏକ ସ୍ୱରୂପ ହେଉଛନ୍ତି କାଳରାତ୍ରି । ଦୀର୍ଘ ତପସ୍ୟା କାରଣରୁ ମା’ ପାର୍ବତୀଙ୍କ ଶରୀର ଶ୍ୟାମଳ ବର୍ଣ୍ଣ ହୋଇଯାଇଥିଲା ।ଶ୍ୟାମଳାଙ୍ଗୀ ପାର୍ବତୀଙ୍କୁ ଭଗବାନ ଶଙ୍କର କାଳି ବୋଲି ସମ୍ବୋଧନ କରିଥିଲେ । ଫଳରେ ପୁନଶ୍ଚ ରୁଷ୍ଟ ହୋଇ ପାର୍ବତୀ ତପମଗ୍ନ ହୋଇଥିଲେ । ତପସ୍ୟା ସାରିବା ପରେ ସେ ଗଙ୍ଗା ନଦୀରେ ସ୍ନାନ କରିଥିଲେ । ସ୍ନାନ ପରେ ପରେ ମା ପାର୍ବତୀଙ୍କ ଶରୀର ଗୌର ବର୍ଣ୍ଣ ଓ ଉଜ୍ଜ୍ୱଳ ହୋଇଉଠିଥିଲା । ତାପରେ ମା ପାର୍ବତୀ ‘ଗୌରୀ’ ନାମରେ ବିଦିତ ହୋଇଥିଲେ ।

ମାତାଙ୍କ ଏହି ସ୍ବରୂପଙ୍କ ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳିବା ସହ ବ୍ୟକ୍ତିଙ୍କ ଶତ୍ରୁ ନାଶ ହୋଇଥାଏ। ନବରାତ୍ରିର ସପ୍ତମ ଦିନ ମାଙ୍କ ସ୍ମରଣ କରିବା ମାତ୍ରେ ହିଁ ନକରାତ୍ମକ ଶକ୍ତିର ନାଶ ହୋଇଥାଏ।

Leave A Reply

Your email address will not be published.