ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ବର୍ତ୍ତମାନ ପିଲାମାନଙ୍କୁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାରୁ ନିଷେଧ କରିଛନ୍ତି।ତେବେ ଭାରତରେ ମଧ୍ୟ ପିଲାମାନଙ୍କୁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରାଯାଇଛି।
ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏଆଇ ସମ୍ମିଳନୀରେ ଏନେଇ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ମାକ୍ରୋନ୍ କହିଥିଲେ ଯେ ଫ୍ରାନ୍ସ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି ଓ ଭାରତଠାରୁ ମଧ୍ୟ ସେ ଏହା ଆଶା କରନ୍ତି। ତେବେ ଶିଶୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଇମାନୁଏଲ୍ ଏହି ଘୋଷଣା କରିଥିବା କୁହା ଯାଉଛି। ପିଲାମାନେ ଇଣ୍ଟରନେଟରେ ଅନୁମତି ନଥିବା କିଛିବି ଦୃଶ୍ୟ ଦେଖିବା ଉଚିତ୍ ନୁହେଁ ବୋଲି ସେ କହିଥିଲେ।ଏଥିସହିତ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଏବଂ ଇଣ୍ଟରନେଟକୁ ସୁରକ୍ଷିତ କରିବା ପ୍ଲାଟଫର୍ମ, ସରକାର ଏବଂ ନିୟାମକମାନଙ୍କର ଦାୟିତ୍ୱ ବୋଲି ମଧ୍ୟ ସେ କହିଥିଲେ।
ଏହି ପଦକ୍ଷେପରେ ଗ୍ରୀସ୍, ସ୍ପେନ୍ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ସହଯୋଗ କରିବା ସହ ସେମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରୁଥିବା କୁହାଯାଇଛି। ଭାରତ ଶିଶୁ ଏବଂ କିଶୋରମାନଙ୍କ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ଏପରି ପଦକ୍ଷେପରେ ଅଂଶ ଗ୍ରହଣ କରିଲେ ବହୁତ ଭଲ ହେବ ବୋଲି ସେ କହିଛନ୍ତି। ତେବେ ଶିଶୁ ସୁରକ୍ଷା କେବଳ ନିୟମର ବିଷୟ ନୁହେଁ ବରଂ ସଭ୍ୟତାର ବିଷୟ ବୋଲି ସେ କହିଥିଲେ।