Latest Odisha News

BREAKING NEWS

ଆଜି ବାୟୁସେନାକୁ ମିଳିବ ପ୍ରଥମ ସ୍ବଦେଶୀ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF)ରେ ସାମିଲ ହେବ ଲାଇଟ୍ କମ୍ବାଟ୍ ହେଲିକପ୍ଟର (LCH)। ଆଜି ଏହା ବାୟୁସେନାରେ ସାମିଲ ହେବା ପରେ ପାହାଡିଆ ଏବଂ ସମୁଦ୍ର ଅଞ୍ଚଳରେ ଶକ୍ତି ବଢିବ । ଦେଶରେ ବିକଶିତ ହୋଇଥିବା ଏହି ଏଲସିଏଚ ଏକାଧିକ କ୍ଷେପଣାସ୍ତ୍ର ଗୁଳି ଚଳାଇବା ଏବଂ ଅସ୍ତ୍ର ବ୍ୟବହାର କରିବାରେ ସକ୍ଷମ।

ଦେଶର ପ୍ରଥମ ହାଲୁକା ଯୁଦ୍ଧ ହେଲିକପ୍ଟରକୁ ଭାରତୀୟ ବାୟୁସେନାର ଯୋଧପୁର ଏୟାରବେସରେ ସାମିଲ କରାଯିବ। ପ୍ରଥମ ୟୁନିଟରେ ୧୦ଟି ଏଲସିଏଚ ସାମିଲ ହେବ। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବାୟୁସେନା ମାର୍ଶଲ ଭି.ଆର ଚୌଧୁରୀ ଯୋଗଦେବେ।

ଏହି ହେଲିକପ୍ଟରଟି ବାଙ୍ଗାଲୋର ସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ଦ୍ୱାରା ବିକଶିତ ହୋଇଛି। ଲାଇଟ୍ କମ୍ବାଟ୍ ହେଲିକପ୍ଟରଟି ଉଚ୍ଚ ଉଚ୍ଚତା ଅଞ୍ଚଳରେ ନିୟୋଜିତ ହେବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। ଏହି ହେଲିକପ୍ଟରରେ ଦୁଇ ଜଣ ପାଇଲଟ ଆଗ ପଛ ହୋଇ ବସିବେ। ଅନ୍ୟ ହେଲିକପ୍ଟରରେ ପାଖାପାଖି ବସନ୍ତି ପାଇଲଟ। ଏଥିସହ ପାଇଲଟଙ୍କ ବ୍ୟତୀତ ଆଉ ଦୁଇ ଜଣ ବସିପାରିବେ। ଏହାର ଓଜନ ୫.୮ ଟନ୍ ରହିଛି।

ଏଥିରେ ଅନେକ ପ୍ରକାରର କ୍ଷେପଣାସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ଖଞ୍ଜା ଯାଇପାରିବ। ସର୍ବାଧିକ ୨୬୮ କିଲୋମିଟର ବେଗରେ ଏହା ଉଡିପାରିବ। ଏହାର ପରିସର ୫୫୦ କିଲୋମିଟର। ଏହି ହେଲିକପ୍ଟରର ଲମ୍ବ ୫୧.୧୦ ଫୁଟ ଏବଂ ଉଚ୍ଚତା ୧୫.୫ ଫୁଟ। ଏଥିରେ ରାଡାର ଡିଟେକ୍ଟ କରିବାର କ୍ଷମତା ରହିଛି। ରାତିରେ ଆକ୍ରମଣ କରିବା ସହିତ ଜରୁରୀକାଳୀନ ଅବତରଣ କ୍ଷମତା ରହିଛି।

ଏହି ହାଲୁକା ଯୁଦ୍ଧ ହେଲିକପ୍ଟର ଏକା ସମୟରେ ୩ ଘଣ୍ଟା ୧୦ ମିନିଟ୍ ପାଇଁ କ୍ରମାଗତ ଭାବରେ ଉଡିପାରିବ। ସର୍ବାଧିକ ୬୫୦୦ ଫୁଟ ଉଚ୍ଚତାକୁ ଯାଇପାରେ। ଏହି ହେଲିକପ୍ଟରଗୁଡ଼ିକ ଆକାଶରୁ-ଭୂପୃଷ୍ଠ ଏବଂ ଆକାଶରୁ ଏୟାର ଷ୍ଟ୍ରାଇକ କରିପାରିବାରେ ସକ୍ଷମ।

ଚଳିତ ବର୍ଷ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ କମିଟି (ସିସିଏସ୍) ୩,୮୮୭ କୋଟି ଟଙ୍କାରେ ୧୫ ଟି ସ୍ୱଦେଶୀ ବିକଶିତ ଏଲସିଏଚ କିିଣିବାକୁ ଅନୁମୋଦନ ଦେଇଛି। ସେଥିମଧ୍ୟରୁ ୧୦ ଟି ହେଲିକପ୍ଟର ବାୟୁସେନା ପାଇଁ ଏବଂ ପାଞ୍ଚଟି ସେନା ପାଇଁ ରହିଛି।

Leave A Reply

Your email address will not be published.