Latest Odisha News

BREAKING NEWS

ମା’ ମହାଗୌରୀ

ନବରାତ୍ରର ନବସ୍ୱରୂପର ଅଷ୍ଟମ ରୂପ ‘ମା’ ମହାଗୌରୀ ’

ନବରାତ୍ରର ଅଷ୍ଟମ ଦିବସରେ ମା’ ଦୁର୍ଗାଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ।ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି। ଏହି ସ୍ୱରୂପରେ ମା’ ନନ୍ଦୀ ଉପରେ ବିରାଜମାନ କରିଥା’ନ୍ତି। ମା’ଙ୍କ ଆରାଧନାରେ :-

ଅଷ୍ଟମରେ ରୂପ ମାହାଗୌରୀ ମାତା
ଶୁଭ୍ର ସୁକୋମଳ ଦିଶିବ
ମନ୍ଦାକିନୀର ବିଧୌତ ମନ୍ତ୍ରେ କି
ଶ୍ୱେତ ଅଳଙ୍କାର ପିନ୍ଧିବ।

ପୌରାଣିକ ମତ ଅନୁସାରେ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା’ ପାର୍ବତୀ କଠୋର ତପସ୍ୟା କରିଥିଲେ। ଅନ୍ନ, ଜଳ ତ୍ୟାଗକରି ସାଧନା କରିବା ଫଳରେ ତାଙ୍କ ଶରୀରର ରଙ୍ଗ ମଳିନ ଅର୍ଥାତ୍ କଳା ପଡ଼ିଯାଇଥିଲା। ସେ ଶାରୀରିକ ଭାବେ ଖୁବ୍ ଦୁର୍ବଳ ହୋଇ ପଡ଼ିଥିଲେ। ଶିବଙ୍କୁ ପ୍ରସନ୍ନ କରିବା ପରେ ମା’ ନିଜ ସ୍ୱାସ୍ଥ୍ୟ ଓ ସ୍ୱରୂପକୁ ପୁନଃ ପ୍ରାପ୍ତି ପାଇଁ ପୁନର୍ବାର ତପସ୍ୟା କରିଥିଲେ।ଏହି ତପସ୍ୟା ପରେ ମା’ଙ୍କ ଶରୀରରୁ କଳାବର୍ଣ୍ଣ ଚାଲି ଯାଇଥିଲା । ମା’ ସମ୍ପୂର୍ଣ୍ଣ ଗୌର ବର୍ଣ୍ଣ ଧାରଣ କରିଥିଲେ। ସେଥିପାଇଁ ମା’ଙ୍କ ଅନ୍ୟନାମ ‘ମହାଗୌରୀ ।

ଅନ୍ୟଏକ ତଥ୍ୟ ଆଧାରରେ ଏହି ‘ମହାଗୌରୀ’ ରୂପ ମା’ଙ୍କ ବିଭିନ୍ନ ଦିବ୍ୟ ରୂପ ମଧ୍ୟରୁ ଏକ ରୂପ। ଶୁମ୍ଭ ଓ ନିଶୁମ୍ଭ ରାକ୍ଷସଙ୍କୁ ସଂହାର କରିବା ପାଇଁ ମା’ ରଚିଥିବା ଲୀଳା ମଧ୍ୟରେ ଏହି ‘ମହାଗୌରୀ’ ରୂପ ଅନ୍ୟତମ। ମା’ ଦୁର୍ଗାଙ୍କ ଏହି ‘ମହାଗୌରୀ’ ସ୍ୱରୂପକୁ ଅନ୍ନପୂର୍ଣ୍ଣା, ଐଶ୍ୱର୍ଯ୍ୟପ୍ରଦାୟିନୀ, ଚୈତନ୍ୟମୟୀ ବି କୁହାଯାଏ। ମା’ଙ୍କୁ ଏହି ରୂପରେ ପୂଜା କରିବା ଦ୍ୱାରା ଶାରୀରିକ କ୍ଷମତା ବିକଶିତ ହୋଇଥାଏ ଓ ମାନସିକ ଶାନ୍ତି ବୃଦ୍ଧି ପାଇଥାଏ।

ଶାସ୍ତ୍ର ଅନୁସାରେ ଷୋଡ଼ଶ ଉପଚାର ବିଧାନ ପରେ ଏହି ଦିନ ମାତାଙ୍କୁ ଧଳା ଫୁଲ ଅର୍ପଣ କରାଯାଇଥାଏ ଏବଂ ପୁରୀ, ପନିପରିବା, ବିରି ଏବଂ ନଡ଼ିଆରେ ପ୍ରସ୍ତୁତ ପ୍ରସାଦ ଅର୍ପଣ କରାଯାଏ । ଅଷ୍ଟମ ଦିନରେ ଦୁର୍ଗା ସପ୍ତଶତୀ ମଧ୍ୟମ ଚରିତ୍ର ପାଠ କରାଯାଏ। ମହାଗୌରୀ ରୂପରେ ମା’ଙ୍କ ଅଭୟପ୍ରଦାୟିନୀ ଭବରେ ମଧ୍ୟ ଆରାଧନା କରାଯାଏ ।

Leave A Reply

Your email address will not be published.