ଭୁବନେଶ୍ୱର: ରାଜନୀତିରେ ସବୁକିଛି ସମ୍ଭବ । ପୂର୍ବର ରାଜନୀତି ଆଉ ଏବର ରାଜନୀତି ମଧ୍ୟରେ ଆକାଶ ପାତାଳ ଫରକ । ଭାରତୀୟ ଗଣତାନ୍ତ୍ରୀକ ପଦ୍ଧତି ଆଜି ସମଗ୍ର ବିଶ୍ୱରେ ସମ୍ମାନିତ ହେଉଛି କାରଣ ଭାରତୀୟ ରାଜନୀତି ଗଣତାନ୍ତ୍ରୀକ ନିୟମ ଓ ଆଇନାନୁମୋଦିତ କାର୍ଯ୍ୟଧାରା ଅନୁସାରେ ପରିଚାଳିତ ହୋଇଥାଏ । ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତଃ ମାଧବ ରାଓ ସିନ୍ଧିଆଙ୍କ ପୁଅ ଜ୍ୟୋତିରାଦିତ୍ୟ କଂଗ୍ରେସ ଛାଡ଼ିବା ପରେ ଆଜି ବିଜେପିରେ ମିଶିବା ନେଇ ନିଷ୍ପତ୍ତି ମଧ୍ୟ ଗ୍ରହଣ କରିସାରିଛନ୍ତି । କଂଗ୍ରେସ ଛାଡ଼ିବା ପରେ ମଧ୍ୟପ୍ରଦେଶ ରାଜନୀତିରେ ଏବେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । କମଳନାଥଙ୍କ ନେତୃତ୍ୱରେ ପରିଚାଳିତ ମଧ୍ୟପ୍ରଦେଶର କଂଗ୍ରେସ ସରକାରର ପତନ ହେବା ଅବଶ୍ୟମ୍ଭାବୀ କାରଣ ସିନ୍ଧିଆଙ୍କ ସହିତ ୨୨ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏବେ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ହରାଇବା ସହିତ ବିଜେପି ସରକାର ଗଠନ କରିବାକୁ ନିଶ୍ଚିତ ରୂପେ ଉଦ୍ୟମ କରିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ ପୁନର୍ବାର କ୍ଷମତାକୁ ଆସିବାକୁ ଗତକାଲିଠାରୁ ତାଙ୍କର ଚାଲ୍ ଆରମ୍ଭ କରିଛନ୍ତି ।
ଏବେ ସବୁଆଡ଼େ ଆଲୋଚନା ହେଉଛି ଯେ, ଏକଦା ରାହୁଲ ଗାନ୍ଧିଙ୍କ ଅତି ନିକଟତମ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କାହିଁକି କଂଗ୍ରେସ ପରିତ୍ୟାଗ କଲେ? ଏହି ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସହଜ କାରଣ ରାଜନୀତିରେ ତାଙ୍କ ବାପା ମାଧବରାଓଙ୍କୁ ଅର୍ଜୁନ ସିଂହଙ୍କ ପରି କିଛି କଂଗ୍ରେସ ନେତା ଯେପରି ପ୍ରତାରିତ କରି ତାଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ବଞ୍ଚିତ କରିଥିଲେ ସେହିପରି ଆଜି ପୁଅ ଜ୍ୟୋତିରାଦିତ୍ୟଙ୍କୁ କଂଗେସରେ ଭୋଗିବାକୁ ପଡ଼ିଛି । ଜ୍ୟୋତିରାଦିତ୍ୟ ବାପା ମାଧବରାଓଙ୍କ ପରି ବିଚକ୍ଷଣ ରାଜନୀତିଜ୍ଞ ହୋଇଥିଲେ ମଧ୍ୟ ସେ ମାଧବରାଓଙ୍କଠୁ ରାଜନୈତିକ କୂଟନୀତିରେ ଅଧିକ ସକ୍ଷମ । ତାଙ୍କୁ ରାଜନୀତୀରେ ଚାଟୁକାର ପରି ଫନ୍ଦି ଫିକର ରାଜନୀତି କରୁଥିବା ବ୍ୟକ୍ତି ବିଶେଷଙ୍କ ଚାଲ୍ ବେଶ୍ ଭଲଭାବେ ଜଣା । ତେଣୁ ତାଙ୍କୁ ମଧ୍ୟପ୍ରଦେଶ କଂଗ୍ରେସରେ ଏକପ୍ରକାର ପଙ୍ଗୁ କରିଦେଇ ତାଙ୍କ ରାଜନୈତିକ ଜୀବନକୁ ଏକପ୍ରକାର ଅକାମୀ କରିଦେବାକୁ ଚକ୍ରାନ୍ତ କରୁଥିବା ଷଡ଼ଯନ୍ତକାରୀ ଗୋଷ୍ଠୀକୁ ପାନେ ଦେବାକୁ ବିଜେପିରେ ମିଶିବାକୁ ମନସ୍ଥ ମଧ୍ୟ କରିସାରିଛନ୍ତି । ବିଜେପିରେ ମିଶିବା ପରେ ସେ ପୁନର୍ବାର ମଧ୍ୟପ୍ରଦେଶ ରାଜନୀତିରେ ସକ୍ରୀୟ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
ରାଜନୈତିକ ବିଷାରଦଙ୍କ ମତ ଅନୁଯାୟୀ ସିନ୍ଧିଆଙ୍କ କଂଗ୍ରେସ ପରିତ୍ୟାଗ କରିବା ପଛରେ ମୁଖ୍ୟତଃ ୩ଟି କାରଣ ରହିଛି । ସବୁଠୁ ବଡ଼କଥା ହେଲା ଗତ ବିଧାନସଭା ନିର୍ବାଚନରେ ବିଜେପିକୁ ପଛରେ ପକାଇ ସିନ୍ଧିଆଙ୍କ ନେତୃତ୍ୱରେ କଂଗ୍ରେସ ବଡ଼ ସଫଳତା ହାସଲ କରିଥିଲା । କଂଗ୍ରେସ ପକ୍ଷରୁ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ ପୂର୍ବରୁ ପ୍ରୋଜେକ୍ଟ କରାଯାଇଥିଲା । ମାତ୍ର ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଏବଂ କମଳନାଥ ସିନ୍ଧିଆଙ୍କ ରାଜନୈତିକ ଅଭ୍ୟୁଦୟରେ ଇର୍ଷାନ୍ୱିତ ହୋଇପଡ଼ିଲେ । ସିନ୍ଧିଆ ନା ମୁଖ୍ୟମନ୍ତ୍ରୀ ହେଲେ ନା ଉପ-ମୁଖ୍ୟମନ୍ତ୍ରୀ । ସିନ୍ଧିଆ ଚାହୁଁଥିଲେ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ହେବାକୁ ମାତ୍ର କାଳେ କମଳନାଥ ସରକାରରେ ହସ୍ତକ୍ଷେପ କରିବେ ତେଣୁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ସିନ୍ଧିଆଙ୍କୁ ଜାଣିଶୁଣି କଂଗ୍ରେସ ସଭାପତି ଦାୟିତ୍ୱ ଦିଆଗଲା ନାହିଁ । ସିନ୍ଧିଆ ଚାହୁଁଥିଲେ ରାଜ୍ୟସଭା ପ୍ରାର୍ଥୀ ହୋଇ ପାର୍ଲାମେଣ୍ଟ ଯିବାକୁ ମାତ୍ର ଦିଗବିଜୟ ସିଂହ ତାହା କରାଇଦେଲେ ନାହିଁ ବୋଲି ମଧ୍ୟପ୍ରଦେଶର ଅନେକ କଂଗ୍ରେସ ନେତା ଖୋଲାଖୋଲି କହିଛନ୍ତି ।
ସବୁଠାରୁ ବଡ଼କଥା ହେଲା ଏହି ସମସ୍ତ କଥା ଦଳର ହାଇକମାଣ୍ଡଙ୍କୁ ଜଣାଇବାକୁ ଜ୍ୟୋତିରାଦିତ୍ୟ ଅନେକ ଦିନ ହେଲା ଉଦ୍ୟମ କରିଆସୁଥିଲେ । ମାତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀଙ୍କ ସହିତ ଭେଟ କରାଇଦେଉ ନଥିଲେ ଦିଗବିଜୟ ସିଂହ ଏବଂ ମୁଖ୍ୟମନ୍ତ୍ରୀ କମଲନାଥ । ନିଜ ଦଳର ବରିଷ୍ଠ ନେତାମାନଙ୍କ ଏହିପରି ଆଚରଣ ଯୋଗୁଁ ଦଳ ଛାଡ଼ିଦେବାକୁ ଶ୍ରେୟଷ୍କର ମଣିଥିଲେ ସିନ୍ଧିଆ ।
କଣ୍ଟାକୁ କଣ୍ଟାରେ କାଢିବା ପରି ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ଦିଗବିଜୟ ସିଂହଙ୍କୁ ରାଜନୀତିରେ ପାନେ ଦେବା ଲାଗି ଉପାୟ ଖୋଜୁଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଜେପି ସହିତ ମିଶିବାକୁ ଯୋଜନା କରିବା ସହିତ ୨୨ଜଣ ବିଧାୟକଙ୍କ ସହିତ ମାର୍ଚ୍ଚ ୧୦ ତାରିଖରେ କଂଗ୍ରେସରୁ ଇସ୍ତଫା ପ୍ରଦାନ କଲେ । ଏବେ ଏହି ବିଧାୟକମାନଙ୍କୁ ହରାଇ କମଳନାଥଙ୍କ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇଛି । ଏବେ ବିଜେପି ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିପାରେ । ଏହା ସତ୍ୟ ହେଲେ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶରେ ଗଠିତ ହେବ ବିଜେପି ସରକାର । ରାଜନୀତିରେ କୋଣଠେସାର ଶୀକାର ହୋଇଥିବା ସିନ୍ଧିଆ ଯେସାକୁ ତେସା ନିୟମ ଅନୁସାରେ ତାଙ୍କ ତଥାକଥିତ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ପ୍ରତିଶୋଧ ନେବାକୁ ସକ୍ଷମ ହୋଇପାରିବେ ବୋଲି ରାଜନୈତିକ ବିଶାରଦ ମାନେ କଳ୍ପନା ଜଳ୍ପନା ପ୍ରକାଶ କରିଛନ୍ତି ।
Comments are closed.