ନୂଆଦିଲ୍ଲୀ: ଗୋଟିଏ ଫ୍ୟାମିଲି ବନେଇବା ପାଇଁ ବିବାହ ଜରୁରୀ ନୁହେଁ । ସମଲିଙ୍ଗୀ ବିବାହ ସମ୍ପର୍କରେ ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ରଖିଛନ୍ତି ମାଡ୍ରାସ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ ଯଦିଓ ଭାରତରେ ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯାଇନାହିଁ, ଏହାର ଅର୍ଥ ନୁହେଁ ଯେ ଏଲଜିବିଟିକ୍ୟୁ+ ଦମ୍ପତିମାନେ ପରିବାର ଗଠନ କରିପାରିବେ ନାହିଁ । ଏଥିସହିତ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପରିବାର ଗଠନ ପାଇଁ ବିବାହ ଆବଶ୍ୟକ ନୁହେଁ ।
ବିଚାରପତି ଜି.ଆର. ସ୍ୱାମୀନାଥନ ଏବଂ ବିଚାରପତି ଭି. ଲକ୍ଷ୍ମୀନାରାୟଣନଙ୍କ ଖଣ୍ଡପୀଠ, ପାରିବାରିକ ଚାପ ଯୋଗୁଁ ଅଲଗା ହେବାକୁ ପଡିଥିବା ଏକ ଲେସବିଆନ୍ ଦମ୍ପତିଙ୍କ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି । ତେବେ ପରିବାର ଉଭୟଙ୍କୁ ଅଲଗା କରିବା ପାଇଁ, ଝିଅର ପରିବାର ଝିଅକୁ ବନ୍ଦୀ କରି ରଖିଛନ୍ତି । ଏଥିପାଇଁ ଦମ୍ପତି ପ୍ରଥମେ ପୋଲିସର ସାହାଯ୍ୟ ଲୋଡ଼ିଥିଲେ, କିନ୍ତୁ ପୋଲିସ ସାହାଯ୍ୟ କରି ନଥିଲେ ବରଂ ଆବେଦନକାରୀଙ୍କ ସାଥୀକୁ ତାଙ୍କ ପରିବାର ପାଖକୁ ବଳପୂର୍ବକ ପଠାଇ ଦେଇଥିଲେ। ପରିବାର ପକ୍ଷରୁ ଝିଅକୁ ମାଡ଼ ମାରିବା ଏବଂ ତାଙ୍କ ସହିତ କିଛି ପୂଜାର୍ଚ୍ଚନା କରିବାର ବି ଅଭିଯୋଗ ହୋଇଛି ଯାହା ଦ୍ୱାରା ସେ ସ୍ୱାଭାବିକ ହୋଇଯିବ ।
ଯାହାକ ନେଇ କୋର୍ଟ ସୁପ୍ରିୟା ଚକ୍ରବର୍ତ୍ତୀ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଉଲ୍ଲେଖ କରି କହିଛନ୍ତି, ସମଲିଙ୍ଗୀ ବିବାହ ଭାରତରେ ଆଇନଗତ ଭାବରେ ସ୍ୱୀକୃତିପ୍ରାପ୍ତ ନୁହେଁ, କିନ୍ତୁ ସେମାନେ ଏକ ପରିବାର ଗଠନ କରିପାରିବେ। ପରିବାର ଗଠନ ପାଇଁ ବିବାହ ଆବଶ୍ୟକ ନୁହେଁ । ଏଲଜିବିଟିକ୍ୟୁ+ ରେ ପରିବାର ଗଠନ କରିବାର ଧାରଣା ବର୍ତ୍ତମାନ ଗ୍ରହଣ ଏବଂ ପ୍ରତିଷ୍ଠିତ ହୋଇଛି । କୋର୍ଟ କହିଛନ୍ତି ଯେ ଆବେଦନକାରୀ ଏହା କହିବାକୁ ମଧ୍ୟ ସଂକୋଚ କରୁଛନ୍ତି ଯେ ସେ ବନ୍ଦୀ ଥିବା ଝିଅ ସହିତ ସମ୍ପର୍କରେ ଅଛନ୍ତି। ଆମେ ତାଙ୍କର ସଂକୋଚ ବୁଝିପାରୁଛୁ। ଆମର ସମାଜ ଏବେ ବି ରକ୍ଷଣଶୀଳ, ପ୍ରତ୍ୟେକ ପରିବାର ଲୀଲା ସେଠଙ୍କ ପରି ହୋଇପାରିବ ନାହିଁ, ଯିଏ ତାଙ୍କ ପୁଅର ଯୌନ ପ୍ରବୃତ୍ତିକୁ ଗ୍ରହଣ କରିଥିଲେ ଏବଂ ସମର୍ଥନ କରିଥିଲେ ।
Comments are closed.