Latest Odisha News

BREAKING NEWS

ମାଘ ପୂର୍ଣ୍ଣିମାରେ ପ୍ରୟାଗରାଜରେ ପ୍ରବଳ ଭିଡ଼: ଭାରିଯାନ ଚଳାଚଳ ଉପରେ କଟକଣା

ପ୍ରୟାଗରାଜ: ଆଜି ମାଘପୂର୍ଣ୍ଣିମା। ତ୍ରିବେଶୀ ସଙ୍ଗମରେ ମାଘ ସ୍ନାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ସାରା ଦେଶରୁ ଏପରିକି ବିଦେଶରୁ ବି ଶ୍ରଦ୍ଧାଳୁ ପହଁଚୁଛନ୍ତି ଆସ୍ଥାର ବୁଡ ପକାଇବାକୁ। ମାଘ ପୂର୍ଣ୍ଣିମା ଅବସରରେ ପ୍ରୟାଗରାଜରେ ପ୍ରବଳ ଭିଡ଼। ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଛି ଜନସମୁଦ୍ର। ଆଜି ବୁଡ଼ ପକାଇଲେଣି ଲକ୍ଷେରୁ ଅଧିକ ଶ୍ରଦ୍ଧାଳୁ। ମହାକୁମ୍ଭରେ ଏଯାଏଁ ବୁଡ଼ ପକାଇଲେଣି ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ। ସୁରକ୍ଷା ଦୃଷ୍ଟିରୁ ସହରରେ ଭାରିଯାନ ଚଳାଚଳ ଉପରେ କଟକଣା ଜାରି ହୋଇଛି।

ଆଜି ମାଘି ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ଯୋଜନା ସମେତ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସତର୍କ ରଖାଯାଇଛି। ଚଳିତ ବର୍ଷ ୧୦ ଲକ୍ଷରୁ ଅଧିକ ଭକ୍ତ କଳ୍ପବାସ କରିଛନ୍ତି, ଯାହା ସଙ୍ଗମ କ୍ଷେତ୍ର ନିକଟରେ ରହିବା, ଉପବାସ, ଆତ୍ମ-ଶୃଙ୍ଖଳା, ଆତ୍ମନିରୀକ୍ଷଣ ଏବଂ ଆଧ୍ୟାତ୍ମିକ ଶୁଦ୍ଧିକରଣର ଅଭ୍ୟାସକୁ ବୁଝାଏ। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ମଙ୍ଗଳବାର ଭୋର ୪ଟାରୁ ମେଳା ଅଞ୍ଚଳକୁ ‘ଯାନବାହାନ ନିଷେଧ ଅଞ୍ଚଳ’ ଘୋଷଣା କରାଯାଇଛି।

ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇଁ ଛାଡ଼ କରାଯାଇଛି। ତେବେ ଏହା ଗତକାଲି ସନ୍ଧ୍ୟା ୫ଟାରୁ ସାରା ସହରରେ ଏହି ନିୟମ ଲାଗୁ ହୋଇଛି। ଟ୍ରାଫିକ୍ ବିଶୃଙ୍ଖଳା ଏଡାଇବା ପାଇଁ, ସାର୍ବଜନୀନ ଏବଂ ବ୍ୟକ୍ତିଗତ ଯାନବାହାନ ପାଇଁ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି ଯାହା ଦ୍ୱାରା ଭକ୍ତମାନେ ପଦଯାତ୍ରା କରି ସ୍ନାନଘାଟକୁ ପହଞ୍ଚିବାରେ ଯେପରି କୌଣସି ଅସୁବିଧା ନହୁଅନ୍ତି।

Comments are closed.