Latest Odisha News

ମହାବିଷୁବ ସଂକ୍ରାନ୍ତି, ଶ୍ରୀହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ; କାହିଁକି ଗୋଟିଏ ଦିନରେ ପାଳିତ ହୁଏ !

ଭୁବନେଶ୍ୱର: ଭାରତବର୍ଷରେ ବର୍ଷଗଣନା ସୌରମାସ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଥିବା ବେଳେ ଚାନ୍ଦ୍ରମାସ ପୂର୍ଣ୍ଣମୀଠାରୁ ହୋଇଥାଏ । ବୈଶାଖ ମାସର ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଇଥାଏ । ଏଣୁ ବୈଶାଖ ମାସ ବା ମେଷ ସଂକ୍ରାନ୍ତିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହିଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଓଡ଼ିଆମାନେ ଏହିଦିନଟିକୁ ନବବର୍ଷ ଭାବେ ମଧ୍ୟ ପାଳନ କରିଥାଆନ୍ତି ।

ଓଡ଼ିଶାରେ ଏହି ପବିତ୍ର ଦିବସଟିକୁ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଦିନ ଓଡ଼ିଶାରେ ଘରେ ଘରେ ପଣା ଭୋଗ ହୋଇ ତୁଳସୀ ଗଛରେ ଅର୍ପଣ କରାଯାଇଥାଏ । ଏହି ଦିନ କାହିଁକି ପଣା ବା ବେଲ ପଣା ପ୍ରସ୍ତୁତ କରାଯାଏ ତାହାର ମଧ୍ୟ ଯୁକ୍ତିଯୁକ୍ତ କାରଣ ରହିଛି । ଏହି ସମୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ହେତୁ ଖାଦ୍ୟ ଶୀଘ୍ର ହଜମ ହୋଇଯାଏ । ଏଣୁ ଗୁରୁଖାଦ୍ୟ ରୂପେ ଛତୁଆ ଏପରିକି ବେଲକୁ ପଣାରେ ମଧ୍ୟ ବ୍ୟବହୃତ କରାଯାଇଥାଏ ।

ମହାବିଷୁବ ସଂକ୍ରାନ୍ତି ଦିନ ଶ୍ରୀରାମ ଭକ୍ତ ଶ୍ରୀହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ । ବ୍ରହ୍ମା, ବିଷ୍ଣୁ ଓ ଇନ୍ଦ୍ରାଦି ଦେବତାମାନଙ୍କ ଦ୍ୱାରା ବରପ୍ରାପ୍ତ ହୋଇ ସାକ୍ଷାତ ଶିବ ଏକାଦଶ ରୁଦ୍ର ଅବତାର ଭାବେ ଜନ୍ମଗ୍ରହଣ କରିଥିଲେ ।

ମହାଦେବ ଶିବ ଏକାଦଶ ରୁଦ୍ର ଅବତାର ହନୁମାନଙ୍କ ସ୍ୱରୂପରେ ଜନ୍ମ ଗ୍ରହଣ କରିଛନ୍ତି । ବାନର ରାଜା କେଶରୀ ଓ ମାତା ଅଞ୍ଜନାଙ୍କ ଗର୍ଭରୁ ଶ୍ରୀହନୁମାନ ଜନ୍ମ ଗ୍ରହଣ କରିଥିଲେ । ତେବେ ଶିବ ପୁରାଣରେ ବର୍ତ୍ତିତ ମଧ୍ୟ ରହିଛି ଯେ, ବାନର ରାଜା କେଶରୀ ଓ ଅଞ୍ଜନା ମନୁଷ୍ୟ ରୂପ ଧାରଣ କରି ସୁମେରୁ ଶୃଙ୍ଗ ଉପରେ ଭ୍ରମଣ କରୁଥିଲେ । ସପ୍ତର୍ଷିମାନେ ଅଞ୍ଜନାଙ୍କ ଶ୍ରବଣେନ୍ଦ୍ରିୟ ଦେଇ ଶିବଙ୍କ ଅଂଶକୁ ଗର୍ଭାଶୟରେ ପ୍ରବିଷ୍ଟ କରାଇଥିଲେ । ସେଥିରୁ ପରମ ତେଜସ୍ୱୀ କପୀଶ୍ୱର ଉତ୍ପତ୍ତି ହୋଇଥିଲେ । ମଙ୍ଗଳବାର ଦିନ ଅଞ୍ଜନାଙ୍କ ଗର୍ଭରୁ ଭଗବାନ ଶିବ ଶଙ୍କର ମେଖଳା, କୌପିନ ଓ ଯଜେ୍ଞାପବୀତ ଧାରଣ ପୂର୍ବକ କର୍ଣ୍ଣରେ କୁଣ୍ଡଳ ଯୁକ୍ତ ହୋଇ ରକ୍ତବର୍ଣ୍ଣ ମୁଖ ବିଶିଷ୍ଟ ଲାଙ୍ଗୁଳଯୁକ୍ତ ହୋଇ ବାନର ରୂପରେ ଅବତାର ଗ୍ରହଣ କରିଥିଲେ ।

ଭକ୍ତଶ୍ରେଷ୍ଠ ଏକମାତ୍ର ରକ୍ଷକ, ଭକ୍ତରାଜ ଶ୍ରୀରାମ ଦୂତ ଶ୍ରୀହନୁମାନଙ୍କ ଉପାସନା ଓ ଆରାଧନା ଭକ୍ତିଭାବନାର ସହିତ କଲେ ଚମତ୍କାର କାର୍ଯ୍ୟ ସିଦ୍ଧି ହୋଇଥାଏ । ଶ୍ରୀରାମ ଭକ୍ତ ଶ୍ରୀହନୁମାନଙ୍କ ଦୈନିକ ଚାଳିଶା ପାଠ କରିବା ପୂର୍ବକ ହନୁମାନ ଜୟନ୍ତୀ ଦିନ ପୂଜାର୍ଚ୍ଚନା କଲେ ଅସାଧ୍ୟ ସାଧନ ହୋଇଥାଏ ।

Comments are closed.