ପ୍ରୟାଗରାଜ: ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ପ୍ରୟାଗରାଜ ମହାକୁମ୍ଭ । ସେଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । କାହିଁ କେତେ ଦୁରରୁ ସାଧୁ, ସନ୍ଥ ନାଗା ବାବା ସବୁ ପ୍ରୟାଗରାଜରେ ପହଞ୍ଚିଲେଣି । ପ୍ରୟାଗରାଜରେ ଯୋଗ ଦେବା ପାଇଁ ଦୂରଦୂରାନ୍ତରୁ ଆସି ପହଞ୍ଚୁଛନ୍ତି ଅନେକ ବାବା । ଏହି ସାଧୁସନ୍ଥଙ୍କ ମଧ୍ୟରେ ମେଳାରେ ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟୁଛନ୍ତି ବିଭିନ୍ନ ପ୍ରକାରର ବାବା । ନିକଟରେ ଛୋଟୁ ବାବା ଚର୍ଚ୍ଚା ସାଉଁଟିଥିବା ବେଳେ ଏବେ ପୁଣି ଜଣେ ବାବା ମେଳାରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଜ୍ଞା ହଁ ଆଜି ଆମେ ଏପରି ଜଣେ ମହନ୍ତଙ୍କ ବିଷୟରେ କହୁଛୁ, ଯିଏ କି ‘ଇ-ରିକ୍ସା ବାବା’ ନାମରେ ପ୍ରସିଦ୍ଧ । ‘ଇ-ରିକ୍ସା ବାବା’ ନାମରେ ଜଣାଶୁଣା ମହନ୍ତ ଓମ୍ ଏକ କଷ୍ଟମାଇଜ୍ଡ ତିନି ଚକିଆ ଯାନରେ ଦିଲ୍ଲୀରୁ ଆସି ପ୍ରୟାଗରାଜରେ ପହଞ୍ଚିଛନ୍ତି ।
ମହାକୁମ୍ବରେ ଯୋଗ ଦେବାକୁ ତାଙ୍କର ଏପରି ଏଣ୍ଟ୍ରୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବାବାଙ୍କୁ ଦେଖିବାକୁ ତାଙ୍କ ନିକଟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ବାବାଙ୍କ ନାମ ‘ଇ-ରିକ୍ସା ବାବା’ ତାଙ୍କ ଇ-ରିକ୍ସା ଗାଡି ଅନୁସାରେ ହୋଇଛି । ଇ-ରିକ୍ସା ବାବା ନାମରେ ଜଣାଶୁଣା ମହନ୍ତ ଓମଙ୍କ ଏହି ଇ-ରିକ୍ସାରେ ତାଙ୍କର ଦୈନିକ ଜରୁରୀ ଜିନିଷ ରହିଛି । ଏନେଇ ଇ-ରିକ୍ସା ବାବା କହିଛନ୍ତି ଯେ, ଏହି ଇ-ରିକ୍ସାରେ ଦିଲ୍ଲୀରୁ ପ୍ରୟାଗରାଜ ଆସିବାକୁ ମୋତେ ୧୨-୧୩ ଦିନ ଲାଗିଛି । ଦିନ-ରାତି ଗାଡିଟି ସେପରି ଚାଲିଛି । ଏହା ଏକ ମନ୍ଥର ଗାଡି ଏବଂ ଧୀର ଗତିରେ ଏହା ଚାଲେ ।
ଓମ୍ ବାବା ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଗାଡିରେ ତାଙ୍କ ଶୟନ ପାଇଁ ଜିନିଷ ଏବଂ ଦୈନନ୍ଦିନର କିଛି ଜରୁରୀ ଜିନିଷ ଅଛି । ଏହି ରିକ୍ସା ଭିତରେ ହିଁ ସେ ଅଧ୍ୟୟନ କରନ୍ତି ଏବଂ ଧ୍ୟାନ କରନ୍ତି । କେତେବେଳେ ଯଦି କାହାର ଆବଶ୍ୟକ ପଡେ ତେବେ ତାଙ୍କୁ ଏହି ଇ-ରିକ୍ସାରେ ସାହାଯ୍ୟ ମଧ୍ୟ କରନ୍ତି । ତେବେ ଏହି ଇ-ରିକ୍ସା ଚଲାଇବା ପଛର କାରଣ କମ୍ ଖର୍ଚ୍ଚ ବୋଲି କହିଛନ୍ତି ଓମ୍ ବାବା ।
ସୂଚନାଯୋଗ୍ୟ, ପ୍ରୟାଗରାଜରେ ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ବିଭିନ୍ନ ଅଞ୍ଚଳରୁ ସାଧୁ ସନ୍ଥମାନେ ମେଳା ଯୋଗଦେବା ପାଇଁ ଆସି ପ୍ରୟାଗରାଜରେ ପହଞ୍ଚିଲେଣି । ଆସନ୍ତା ୧୩ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ଏହି ବିଶ୍ଵ ପ୍ରସିଦ୍ଧ ପ୍ରୟାଗରାଜ ମହାକୁମ୍ଭ ମେଳା ଫେବୃଆରୀ ୨୬ରେ ଶେଷ ହେବ ।