Latest Odisha News

BREAKING NEWS

ଗୁଗଲରେ ମହାକୁମ୍ଭକୁ ସର୍ବାଧିକ ସର୍ଚ୍ଚ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ଦିବ୍ୟ ଆୟୋଜନ। ଏହି ସମୟରେ ଗୁଗଲରେ ସବୁଠୁ ଅଧିକ ସର୍ଚ୍ଚ ହେଉଛି ମହାକୁମ୍ଭ। ଗୁଗୁଲ ଟ୍ରେଣ୍ଡ ଅନୁସାରେ ଗତ ୧୫ ଦିନ ମଧ୍ୟରେ ସାରା ବିଶ୍ବରେ ‘ମହାକୁମ୍ଭ’, ‘କୁମ୍ଭ’, ‘ପ୍ରୟାଗରାଜ’ ଭଳି ଶବ୍ଦର ବହୁ ମାତ୍ରାରେ ସର୍ଚ୍ଚ କରାଯାଇଛି। ଏଥିରେ ମୁସଲିମ ବହୁଳ ଦେଶମାନେ ମଧ୍ୟ ମହାକୁମ୍ଭ ଶବ୍ଦକୁ ସବୁଠୁ ଅଧିକ ସର୍ଚ୍ଚ କରୁଛନ୍ତି।

ପାକିସ୍ତାନ ଓ ଆରବ ସମେତ ଇସଲାମିକ ଦେଶମାନଙ୍କରେ ମହାକୁମ୍ଭ ପ୍ରତି ଆକର୍ଷଣ ଦେଖିବାକୁ ମିଳିଛି। ଗୁଗଲ ଟ୍ରେଣ୍ଡସ ଅନୁସାରେ ଇସଲାମିକ ଦେଶଗୁଡିକରେ ମହାକୁମ୍ଭକୁ ବହୁ ମାତ୍ରାରେ ସର୍ଚ୍ଚ କରାଯାଉଛି। ତେବେ ପାକିସ୍ତାନରେ ଭାରି ମାତ୍ରାରେ ଏହି ନାମକୁ ସର୍ଚ୍ଚ କରାଯାଇଛି। ପାକିସ୍ତାନ ପରେ କତର, ୟୁଏଇ ଓ ବାହାରିନ ଭଳି ଦେଶମାନଙ୍କରେ ମଧ୍ୟ ମହାକୁମ୍ଭକୁ ନେଇ ରୁଚି ଦେଖିବାକୁ ମିଳିଛି। ଏହା ବ୍ୟତୀତ ନେପାଳ, ସିଙ୍ଗାପୁର, ଅଷ୍ଟ୍ରେଲିଆ, କାନାଡା, ଆୟରଲ୍ୟାଣ୍ଡ, ବ୍ରିଟେନ ଥାଇଲ୍ୟାଣ୍ଡ ଓ ଆମେରିକା ଭଳି ଦେଶର ଲୋକମାନେ ମଧ୍ୟ ମହାକୁମ୍ଭକୁ ବହୁମାତ୍ରାରେ ସର୍ଚ୍ଚ କରୁଥିବା ଗୁଗଲରୁ ଜାଣିବାକୁ ମିଳିଛି।

ମହାକୁମ୍ଭ କେବଳ ଭାରତୀୟଙ୍କ ପର୍ବ ହୋଇ ନାହିଁ , ଏହା ଏକ ବୈଶ୍ଵିକ ପର୍ବରେ ପରିଣତ ହୋଇଛି। ପ୍ରୟାଗରାଜରେ ସୋମବାର ଆରମ୍ଭ ହୋଇଛି କୁମ୍ଭମେଳାର ଭବ୍ୟ ଆୟୋଜନ। ଏହି ମେଳାରେ ବ୍ରାଜିଲ, ଜର୍ମାନୀ, ଜାପାନ, ଇଂଲଣ୍ଡ, ଆମେରିକା ଓ ସ୍ପେନ ପରି ଦେଶରୁ ପହଁଚୁଛନ୍ତି ଶ୍ରଦ୍ଧାଳୁ। ତେବେ ମହାକୁମ୍ଭରେ ବିଦେଶୀ ଶ୍ରଦ୍ଧାଳୁଙ୍କ ଭିଡ ସନାତନ ସଂସ୍କୃତିର ପ୍ରସାରକୁ ସୂଚାଉଛି।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.