ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆର ଘୋଷଣା ଜାନୁୟାରୀ ୧୮ରେ କରିବ । ଚୟନକମିଟି ମୂଖ୍ୟ ଅଜିତ ଅଗରକର ଏହା ବିଧିବଦ୍ଧ ଭାବେ ଘୋଷଣା କରିବେ ବୋଲି ସ୍ପଷ୍ଟ ହୋଇଛି । ଏହି ଅବସରରେ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ମଧ୍ୟ ଦଳ ଘୋଷଣା ହେବା ସମ୍ଭାବନା ରହିଛି । ଚାମ୍ପିୟନ୍ସ ଟ୍ରଫି ୨୦୨୫ ଏଥର ପାକିସ୍ତାନରେ ଆୟୋଜିତ ହେବ । ଭାରତ ତାର ସମସ୍ତ ମ୍ୟାଚ ହାଇବ୍ରିଡ ମଡେଲରେ ଦୁବାଇରେ ଖେଳିବ । ଚାମ୍ପିୟନ୍ସ ଟ୍ରଫିରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କୁ ୨ଟି ଦଳେ ଭାଗ କରାଯାଇଛି । ଫେବୃୟାରୀ ୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟୁର୍ଣ୍ଣାମେଂଟର ସବୁଠାରୁ ହାଇ ଭୋଲଟେଜ ମୁକାବିଲା ଦୁବାଇରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ବ୍ୟତୀତ ଅନ୍ୟ ଟିମ ସେମାନଙ୍କ ଦଳ ଘୋଷଣା କରି ସାରିଛନ୍ତି ।
ଯଶପ୍ରୀତ ବୁମରାହ, କୂଲଦୀପ ଯାଦବ ଆଘାତ ସମସ୍ୟାରେ ପଡିଥିବାରୁ ଟିମ ଇଣ୍ଡିଆ ସେମାନଙ୍କ ପାଇଁ ଅଧିକ ସମୟ ନେଇଥିବା ଅନୁମାନ କରାଯାଉଛି । ଏବେ ବି ଏହା ସ୍ପଷ୍ଟ ହୋଇନି ଯେ ଉଭୟ ଖେଳାଳି ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି କି ନାହିଁ । ଘରୋଇ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା କେତେକ ଖେଳାଳିଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ଏହି ଦୌଡରେ କରୁଣ ନାୟାରଙ୍କ ନାମ ଆଗରେ ରହିଛି । ସେ ବିଜୟ ହଜାରେ ଟ୍ରଫିରେ ୭ଟି ଇନିଂସରେ ୭୫୨ ରନ କରି ଜବରଦସ୍ତ ଫର୍ମରେ ରହିଛନ୍ତି । ନିକଟରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଣିଷ୍ଟ ଟି୨୦ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଥିଲା । ଜାନୁୟାରୀ ୨୨ରୁ ଏହି ସିରିଜ ଆରମ୍ଭ ହେବ ।
Comments are closed.