ନୂଆଦିଲ୍ଲୀ: ମହାକୁମ୍ଭ ରୂପରେ ସାରା ବିଶ୍ବ ଦେଖିଲା ଭାରତର ବିଶାଳ ସ୍ବରୂପ। ମହାକୁମ୍ଭର ସଫଳତାରେ ଅନେକ ଲୋକଙ୍କର ଅବଦାନ ରହିଛ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ପ୍ରକାଶ କରିଛନ୍ତି।
ଗୃହରେ ମହାକୁମ୍ଭ ଉପରେ ଅଭିଭାଷଣ ଦେଇ କହିଛନ୍ତି ଯେ ବହୁ ପ୍ରୟାସ ପରେ ମାତା ଗଙ୍ଗାଙ୍କୁ ପୃଥିବୀକୁ ଅଣାଯାଇଥିଲା। ତେବେ ଏହି ମହାକୁମ୍ଭ ଯାତ୍ରାରେ ମଧ୍ୟ ଆମେ ସମସ୍ତେ ସେହି ସମାନ ପରିମାଣର ପ୍ରୟାସ ଦେଖିବାକୁ ପାଇଥିଲୁ। ସମଗ୍ର ବିଶ୍ୱ ମହାକୁମ୍ଭ ରୂପରେ ଭାରତର ଏକ ଅନନ୍ୟ ରୂପ ଦେଖିବାକୁ ପାଇଥିଲା। ଏହି ମହାକୁମ୍ଭରେ ଲୋକଙ୍କ ସଂକଳ୍ପ ଏବଂ ବିଶ୍ୱାସ ଦେଖିବାକୁ ମିଳିବା ସହ ଜାତୀୟ ଚେତନାର ମହାନ ଜାଗରଣ ମଧ୍ୟ ଦେଖିବାକୁ ମିଳିଥିଲା।
ଦେଶର ସାମୂହିକ ଚେତନାର ପରିଣାମ ମହାକୁମ୍ଭ ସମୟରେ ଦେଖିବାକୁ ମିଳିଥିଲା ଓ ଯୁବ ପିଢ଼ି ମଧ୍ୟ ପୂର୍ଣ୍ଣ ଭାବପ୍ରବଣତାର ସହ ମହାକୁମ୍ଭରେ ଯୋଗ ଦେଇଥିଲେ। ଭାରତର ପ୍ରତ୍ୟେକ ସ୍ଥାନରେ ଆଧ୍ୟାତ୍ମିକ ଚିନ୍ତନ ମଧ୍ୟ ପରିଲିକ୍ଷିତ ହୋଇଥିଲା। ତେବେ ପ୍ରଧାନମନ୍ତ୍ରୀ ତାଙ୍କର ମରିସସ୍ ଗସ୍ତ ବିଷୟରେ ମଧ୍ୟ କହିଛନ୍ତି ଯେ ସେଠାକାର ଗଙ୍ଗା ନଦୀରେ ତ୍ରିବେଣୀର ପବିତ୍ର ଜଳକୁ ଢଳାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଏହି ସବୁ ମନ୍ତବ୍ୟ ପରେ ବିରୋଧୀମାନେ ଲୋକସଭାରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଏହାପରେ ଲୋକସଭାରେ ୩୭୭ ନିୟମ ଅନୁଯାୟୀ ବାଚସ୍ପତି ଗୃହର କାର୍ଯ୍ୟ ଆରମ୍ଭ କରିଥିଲେ। ଗୃହ ସର୍ବଦା ନିୟମ ଅନୁସରଣ କରି ଚାଲିଥାଏ ବୋଲି ବାଚସ୍ପତି ବିରୋଧି ମାନଙ୍କୁ ପରାମର୍ଶ ମଧ୍ଯ ଦେଇଥିଲେ।
Comments are closed.