ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ରାଜଧାନୀ ଭୁବନେଶ୍ବର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଉଠିଲା ମହାଦୀପ। ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ପୂରା ମନ୍ଦିର ପରିସର । ଏଥର ସଅଳ ଉଠିଛି ମହାଦୀପ। ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ।
ମହାଦୀପ ଉଠିବା ପାଇଁ ପୂର୍ବରୁ ରାତି ୧୦ଟା ରଖାଯାଇଥିଲା। କିନ୍ତୁ ସମସ୍ତ ନୀତିକାନ୍ତି ଶ୍ରୀଘ୍ର ସମାପନ କରାଯାଇଥିବାରୁ ଏହା ରାତି ୮ଟା ୩୮ ମିନିଟରେ ଉଠିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖାଯାଇଛି। ମହାଦୀପ ଉଠିଲା ପରେ ଭକ୍ତମାନେ ବ୍ରତ ଭାଙ୍ଗିଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଛି ଏବଂ ଏହି ଦିବ୍ୟଦୃଶ୍ୟକୁ ଅବଲୋକନ କରିବାକୁ ଭକ୍ତମାନେ ଭାବ ଓ ଆବେଗର ସହ ଅପେକ୍ଷା କରିଥିଲେ। ଶିବ ପଞ୍ଚାକ୍ଷରୀରେ ଏକାମ୍ରକ୍ଷେତ୍ର କମ୍ପି ଉଠିଛି।
ମହାଦୀପ ମନ୍ଦିର ଶିଖରକୁ ଉଠିବା ଆଗରୁ ଅନୁଷ୍ଠିତ ହୋଇଥିଲା ହରିହର ଭେଟ । ସ୍ବତନ୍ତ୍ର ରୀତିନୀତି ସହ ଶ୍ରୀଲିଙ୍ଗରାଜଙ୍କ ସହ ଭେଟ ହୋଇଥିଲେ ଶ୍ରୀ ଅନନ୍ତ ବାସୁଦେବ । ଏହି ଦୁର୍ଲ୍ଲଭ ଦୃଶ୍ୟକୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ସେଠାରେ ଦ୍ବୀପ ପ୍ରଜ୍ବଳନ କରୁଥିବା ହଜାର ହଜାର ଶ୍ରଦ୍ଧାଳୁ । ମନ୍ଦିରରେ ବାକି ଅଛି ଦୁଇ ପ୍ରହରର ନୀତି । ଆଜି ଶ୍ରୀ ଲିଙ୍ଗରାଜ ସାରା ସୃଷ୍ଟିକୁ ବୈରାଗ୍ୟର ବାର୍ତ୍ତା ଦେବେ । ନିଜେ ଯୋଗୀ ବେଶ ଧାରଣ କରିବେ । ଆଜି ସାରା ସୃଷ୍ଟିର କଲ୍ୟାଣ ପାଇଁ ମହାଦେବ ଧାରଣ କରିବେ ଏହି ବେଶ । ଗତ କିଛି ବର୍ଷ ଭିତରେ ଏତେ ଶୀଘ୍ର ମହାଦୀପ ଉଠିବା ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଖୁସି ବି କରିଛି ।