Latest Odisha News

BREAKING NEWS

ମହାଦେବ ବେଟିଂ ଆପ୍ ମାମଲା: ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଅଭିଯୁକ୍ତ ଦର୍ଶାଇଲା ସିବିଆଇ

ରାୟପୁର: ମହାଦେବ ଅନଲାଇନ୍ ଆପ୍ ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ ଏହାର ଏଫ୍‌ଆଇଆର୍‌ରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଅଭିଯୁକ୍ତ କରିଛି। ଗତ ସପ୍ତାହରେ ଏହି ଦୁର୍ନୀତି ସମ୍ବନ୍ଧୀୟ ମାମଲାରେ ସିବିଆଇ ଛତିଶଗଡ଼, ଭୋପାଳ, କୋଲକାତା ଓ ଦିଲ୍ଲୀ ସମେତ ୬୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଥିଲା। ପ୍ରଥମେ ଏହି ମାମଲା ଛତିଶଗଡ଼ର ଇକୋନୋମିକ୍ ଅଫେନ୍ସେସ୍ ୱିଙ୍ଗ୍ (ଇଓଡବ୍ଲୁ) ଦ୍ୱାରା ରୁଜୁ ହୋଇଥିଲା, ପରେ ରାଜ୍ୟ ସରକାର ଏହାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ।

ମହାଦେବ ବୁକ୍ ଏକ ଅନଲାଇନ୍ ଗେମିଂ ପ୍ଲାଟଫର୍ମ ଯାହାକୁ ରବି ଉପ୍ପଲ ଓ ସୌରଭ ଚନ୍ଦ୍ରାକାର ମିଳିତ ଭାବେ ପରିଚାଳନା କରୁଥିଲେ। ଏହି ନେଟୱାର୍କରେ ଶୁଭମ ସୋନୀ ଓ ଅନିଲ କୁମାର ଅଗ୍ରୱାଲ ମଧ୍ୟ ସାମିଲ ଅଛନ୍ତି। ଏହି ଚାରି ଜଣ ବର୍ତ୍ତମାନ ଦୁବାଇରେ ରହୁଛନ୍ତି। କରୋନା ସମୟ ପରେ ଏହି ପ୍ଲାଟଫର୍ମ ଦ୍ରୁତ ଗତିରେ ଲୋକପ୍ରିୟ ହୋଇଥିଲା ଓ ଏହାକୁ ଅଫଲାଇନ୍ ଗେମିଂ ଡିଜିଟାଲ୍ ରୂପ ଭାବେ ଦେଖାଯାଉଥିଲା। ଏହା ବିଭିନ୍ନ ୱେବସାଇଟ୍ ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେମିତି ଫେସବୁକ୍, ହ୍ୱାଟ୍ସଆପ୍ ଓ ଟେଲିଗ୍ରାମରେ ସିକ୍ରେଟ୍ ଗ୍ରୁପ୍ ମାଧ୍ୟମରେ ଚାଲୁଥିଲା।

ଏହି ଆପ୍ ଏକ ମଲ୍ଟି-ଲେବଲ ମାର୍କେଟିଂ ଢାଞ୍ଚାରେ କାମ କରୁଥିଲା। ଗ୍ରାହକଙ୍କୁ ‘ପ୍ୟାନେଲ ଓନର୍ସ’ ମାଧ୍ୟମରେ ଯୋଡ଼ା ଯାଉଥିଲା, ଯିଏ ଗେମିଂ ପାଇଁ ୟୁଜର ଆଇଡି ତିଆରି କରୁଥିଲେ। ଏହି ପ୍ୟାନେଲ ସିଷ୍ଟମ ଏକ ଫ୍ରାଞ୍ଚାଇଜି ପରି କାମ କରୁଥିଲା। ପ୍ରମୋଟରମାନେ ପ୍ୟାନେଲ ଅନର୍ସଙ୍କୁ ୭୦-୮୦% ଲାଭ ଦେଉଥିଲେ। ପ୍ୟାନେଲ ଅନର୍ସ ହ୍ୱାଟ୍ସଆପ୍ ଜରିଆରେ ଗ୍ରାହକଙ୍କ ସହ ଯୋଗାଯୋଗ କରି ଗେମିଂ ପାଇଁ ଆଇଡି ଓ ପାସୱାର୍ଡ ଯୋଗାଉଥିଲେ। ଏହି ଆପ୍‌ର ମାସିକ ଆୟ ୪୫୫ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଅବୈଧ ଗେମିଂ ନେଟୱାର୍କ ଚଳାଇବା ପାଇଁ ପ୍ରମୋଟରମାନେ ଅନେକ ସରକାରୀ ଅଧିକାରୀଙ୍କୁ ‘ପ୍ରୋଟେକ୍ସନ ମନି’ ଭାବେ ବଡ଼ ଅଙ୍କର ଟଙ୍କା ଦେଇଥିଲେ। ସିବିଆଇ ଚଢ଼ାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଓ କାଗଜପତ୍ର ପ୍ରମାଣ ଜବତ ହୋଇଛି । ଯେଉଁଥିରେ ଆର୍ଥିକ ନେଣଦେଣର ରେକର୍ଡ ରହିଛି। ଏହି ମାମଲାର ତଦନ୍ତ ଇଡି ମଧ୍ୟ ଚଳାଇଛି।

Comments are closed.