Latest Odisha News

BREAKING NEWS

ବିହାରରେ ସିବିଆଇ ପ୍ରବେଶ ଉପରେ ରୋକ୍ ଲଗାଇଲେ ମହାମେଣ୍ଟ ସରକାର

ପାଟନା: ବିହାରରେ ମହାମେଣ୍ଟ ସରକାର ରବିବାର ସିବିଆଇକୁ ଦିଆଯାଇଥିବା ସାଧାରଣ ସହମତି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସ୍ପେଶାଲ ପୋଲିସ୍ ଏଷ୍ଟାବ୍ଲିଶମେଣ୍ଟ (ଡିଏସପିଏ) ଅଧିନିୟମ, 1946ର ଧାରା 6 ଅନୁଯାୟୀ, ସିବିଆଇ ବିହାର ସରକାରର ବିନା ଅନୁମତିରେ ତଦନ୍ତ କରିପାରିବ ନାହିଁ।

ନିକଟରେ ସିବିଆଇ ବିହାରରେ ଅନେକ ସ୍ଥାନରେ ରେଡ୍ କରିଥିଲା । ଅନେକ ଆରଜେଡି ନେତାଙ୍କ ଘରେ ରେଡ୍ କରି ଅନେକ ଦସ୍ତାବିଜ ଜବତ କରିଛି। ରେଲଓ୍ୱେରେ ଚାକିରି ଦେବା ନାଁରେ ହୋଇଥିବା ଜମି ଘୋଟାଲର ତଦନ୍ତ କରିବାକୁ ଯାଇ ସିବିଆଇ ଏହି ରେଡ୍ କରିଥିଲା। ଏବେ କିନ୍ତୁ ବିନା ଅନୁମତିରେ ସିବିଆଇ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି ମହାମେଣ୍ଟ ସରକାର।

ଏହା ପୂର୍ବରୁ ଅଣ ବିଜେପି ଶାସିତ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ, ରାଜସ୍ଥାନ, ପଞ୍ଜାବ ଏବଂ ମେଘାଳୟ ସମେତ ନଅଟି ରାଜ୍ୟ ସାଧାରଣ ସହମତି ପ୍ରତ୍ୟାହାର କରି ନେଇଛନ୍ତି। ଏଥିରେ ମହାରାଷ୍ଟ୍ର ମଧ୍ୟ ସାମିଲ ଥିଲା କିନ୍ତୁ ନିକଟରେ କ୍ଷମତା ବଦଳିବା ପରେ ସିବିଆଇ ତଦନ୍ତକୁ ଅନୁମତି ମିିଳିଛି।

ଆରଜେଡି ନେତା ଶିବାନନ୍ଦ ତିୱାରୀ କହିଛନ୍ତି ଯେ କେନ୍ଦ୍ରର ଶାସକ ଦଳ ବିଜେପି ରାଜନୀତିକ ଆକ୍ରୋଶ ରଖି ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ସିବିଆଇର ଅପବ୍ୟବହାର କରୁଛନ୍ତି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡି (ୟୁ) କହିଛି ଯେ ସିବିଆଇର ସାଧାରଣ ସହମତି ପ୍ରତ୍ୟାହାର କରିବାର ଏହା ଉପଯୁକ୍ତ ସମୟ। ସିବିଆଇ, ଇଡି ଏବଂ ଆୟକର ବିଭାଗ ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡିକ ବିରୋଧୀ ଦଳର ନେତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ ଅପବ୍ୟବହାର ହେଉଛି। ବିହାରର ଲୋକମାନେ ଏହା ଉପରେ ନଜର ରଖିଛନ୍ତି ଏବଂ ସେମାନେ ଉପଯୁକ୍ତ ସମୟରେ ଜବାବ ଦେବେ ବୋଲି ମନ୍ତ୍ରୀ ମଦନ ସାହନି କହିଛନ୍ତି।

Leave A Reply

Your email address will not be published.