Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୨୨ ବର୍ଷର କ୍ୟାରିୟରରେ ୪୦୦ରୁ ଅଧିକ ଗୋଲ୍, ଏମିତି ଥିଲେ ହକିର ଯାଦୁଗର

ନୂଆଦିଲ୍ଲୀ: ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦ । ଖାଲି ଭାରତ କାହିଁକି ଦୁନିଆ ତାଙ୍କୁ ହକିର ଯାଦୁଗର କୁହେ । ୨୨ ବର୍ଷର ଲମ୍ବା ହକି କ୍ୟାରିୟରରେ ୪ ଶହରୁ ଅଧିକ ଗୋଲ୍ କରିଥିବା ମେଜର ଧ୍ୟାନ ଚାନ୍ଦ ଆଜି ବି କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି । ତାଙ୍କ ଜନ୍ମଦିନକୁ ମନେ ପକାଇ ଭାରତ ପ୍ରତିବର୍ଷ ପାଳୁଛି ଜାତୀୟ ଖେଳ ଦିବସ ।

ହକିରେ ମେଜର ଧ୍ୟାନଚାନ୍ଦଙ୍କ ଉପଲବ୍ଧି ଭାରତୀୟ ଖେଳ ଜଗତକୁ ଗୌରବାନ୍ୱିତ କରିଛି । ଲଗାତାର ତିନୋଟି ଅଲମ୍ପିକରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ ଧ୍ୟାନଚାନ୍ଦ । କିନ୍ତୁ ସେତେବେଳେ ଭାରତ ଏକ ସ୍ୱାଧୀନ ରାଷ୍ଟ୍ର ନଥିଲା । ସେତେବେଳେ ଭାରତରେ ଚାଲିଥିଲା ବ୍ରିଟିଶ୍ ରାଜ । ୧୯୨୮ରେ ଏମ୍ସଟଡର୍ମ, ୧୯୩୨ରେ ଲସ୍ ଏଞ୍ଜେଲସ୍ ଓ ୧୯୩୬ରେ ବର୍ଲିନ୍ ଅଲମ୍ପିକରେ ବ୍ରିଟିଶ୍ ଭାରତରେ ହକିରେ ସ୍ୱର୍ଣ୍ଣ ଆଜି ବି ଏକ ମାଇଲ୍ ଖୁଣ୍ଟ ହୋଇ ରହିଛି ।

କେବଳ ଭାରତ କାହିଁକି ମେଜର ଧ୍ୟାନଚାନ୍ଦଙ୍କ ପ୍ରଶଂସକ ଥିଲେ ଜର୍ମାନର ତାନାସାହି ହିଟଲର । କୁହାଯାଏ ତାନାସାହି ହିଟଲର ମେଜର ଧ୍ୟାନଚାନ୍ଦଙ୍କ ଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ ଯେ, ତାଙ୍କୁ ଜର୍ମାନୀ ସେନାରେ କର୍ଣ୍ଣେଲ୍ ରାଙ୍କ ସହ ଜର୍ମାନୀ ନାଗରିକତା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଭାରତ ମୋର ଜନ୍ମ ଭୂମି, ସେଠି ମୁଁ ଖୁସି ଅଛି କହି ତାନାସାହି ହିଟଲରଙ୍କୁ ଅଫରକୁ ଅଗ୍ରାହ୍ୟ କରି ଦେଇଥିଲେ ମେଜର ଧ୍ୟାନଚାନ୍ଦ ।

ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମ ହୋଇଥିଲେ ଧ୍ୟାନଚାନ୍ଦ । ପରେ ତାଙ୍କ ପରିବାର ଝାନ୍ସିକୁ ଚାଲି ଯାଇଥିଲେ । ତାଙ୍କ ପିତା ସମେରଶ୍ୱର ଦତ୍ତ ହକି ଖେଳାଳି ହୋଇଥିବା ବେଳେ ବ୍ରିଟିଶ ଆର୍ମରେ ଯୋଗ ଦେଇଥିଲେ । ଧ୍ୟାନଚାନ୍ଦଙ୍କ ସାନ ଭାଇ ରୂପ ସିଂହ ମଧ୍ୟ ଥିଲେ ଜଣେ ପ୍ରସିଦ୍ଧ ହକି ଖେଳାଳି । ସେ ଅଲମ୍ପିକରେ ୨ଥର ସ୍ୱର୍ଣ୍ଣ ଜିତିଥିବା ଦଳରେ ଥିଲେ ।

ତେବେ କିଶୋର ଅବସ୍ଥାରେ ହକି ନୁହେଁ କୁସ୍ତିକୁ ନେଇଥିଲା ଧ୍ୟାନଚାନ୍ଦଙ୍କ ସଉକ । ଏବଂ ତାଙ୍କ ନାଁ ପ୍ରଥମେ ଧ୍ୟାନ ସିଂହ ଥିଲା । କିନ୍ତୁ ସେ ଜହ୍ନ ଆଲୋକରେ ମନ ଦେଇ ଅଭ୍ୟାସ କରୁଥିଲେ । ଯେଉଁଥି ପାଇଁ ସାଙ୍ଗ ସାଥୀ ତାଙ୍କ ନାଁରେ ଚାନ୍ଦ ଯୋଡ଼ି ଦେଇଥିଲେ । ହକି ପଡ଼ିଆକୁ ଷ୍ଟିକ୍ ନେଇ ମେଜର ଧ୍ୟାନଚାନ୍ଦ ଯିବା ମାତ୍ରେ ସବୁ ଲକ୍ଷ୍ୟ ଗୋଲ୍ କରିବା ଉପରେ ହିଁ ରଖନ୍ତି । ୧୯୭୯ ଡିସେମ୍ବର ୩ ତାରିଖରେ ମେଜର ଧ୍ୟାନଚାନ୍ଦଙ୍କ ଦେହାନ୍ତ ଦିଲ୍ଲୀରେ ହୋଇଥିଲା ।

Leave A Reply

Your email address will not be published.