Latest Odisha News

BREAKING NEWS

ଏପରି ମନ୍ଦିର, ଯେଉଁଠି ପୂଜା ପାଆନ୍ତି ବୁଦ୍ଧ ଏବଂ ଶିବ

ନୂଆଦିଲ୍ଲୀ: ଭାରତରେ ରହିଛି ଏକାଧିକ ମନ୍ଦିର । ବିଭିନ୍ନ ମନ୍ଦିରର ରହିଛି ଭିନ୍ନ ଭିନ୍ନ ସଂସ୍କୃତି ଓ ପରମ୍ପରା । କେଉଁ ମନ୍ଦିର ଐତିହ୍ୟ ସଂସ୍କୃତିର ପରିଚୟ ଦିଏ ତ, ଆଉ କେଉଁ ମନ୍ଦିର ଭାଇଚାରାର ବାର୍ତ୍ତା ବହନ କରେ । ଏଭଳି ଏକ ମନ୍ଦିର ରହିଛି ଦାର୍ଜିଲିଂରେ । ଯେଉଁଠି ଦୁଇ ଧର୍ମ ଏକା ସାଥୀରେ ପୂଜା ପାଆନ୍ତି । ପୁଣି ଗୋଟିଏ ସ୍ଥଳରେ । ଶିବରାତ୍ରୀ ଅବସରରେ ଭାରତର କୋଣ-ଅନୁକୋଣରୁ ଭକ୍ତଙ୍କ ଭିଡ଼ ଏଠି ଜମିଥାଏ । ଭୋଳା ଶଙ୍କରଙ୍କ ସହ ଏଠି ପୂଜା ପାଆନ୍ତି ଗୌତମ ବୁଦ୍ଧ । ତେବେ ଆସନ୍ତୁ ଜାଣିବା ଏଭଳି ନିଆରା ମନ୍ଦିରର କାହାଣୀ । ଦାର୍ଜିଲିଂର ହୋଲି ହିଲ୍ (Holy Hill) ନାମକ ସ୍ଥାନରେ ରହିଛି ପ୍ରସିଦ୍ଧ ମହାକାଳ ମନ୍ଦିର । ହିନ୍ଦୁ-ବୌଦ୍ଧ ଧର୍ମ ଅନୁସାରେ ଏଠି ପୂଜାର୍ଚ୍ଚନା କରାଯାଏ । ଦୁଇଟି ଧର୍ମକୁ ଯୋଡ଼ୁଥିବାରୁ ଏହା ଏକ ଅଦ୍ଭୁତ ମନ୍ଦିର ।

ଦାର୍ଜିଲିଂ ଅବଜାରବେଟିଭ ପର୍ବତ ଉପରେ ଥିବା ଏହି ମନ୍ଦିରକୁ ୧୭୮୨ ମସିହାରେ ଲାମା ଡୋରଜେ ରିନଜିଙ୍ଗ ନିର୍ମାଣ କରିଥିଲେ । ଏହା ହିନ୍ଦୁ ଓ ବୌଦ୍ଧ ଧର୍ମର ଏକ ସମାହାରରେ ନିର୍ମିତ ହୋଇଥିବା ଦେଖାଯାଏ । ଏହି ମନ୍ଦିରରେ ବୌଦ୍ଧ ଓ ହିନ୍ଦୁ ଧର୍ମ ସହାବସ୍ଥାନ କରନ୍ତି । ପୂର୍ବରୁ ଲେପଚା ନାମକ ଏକ ଗୋଷ୍ଠିଙ୍କର ସେହି ସ୍ଥାନକୁ ଏକ ପବିତ୍ର ସ୍ଥାନ ରୂପେ ମାନୁଥିଲେ । ପରବର୍ତ୍ତୀ କାଳରେ ସେଠାରେ ଏକ ମୋନାଷ୍ଟେରି ତିଆରି ହେଲା ଓ ସେଠାରେ ଲେପଚା ଜାତି ଓ ଭୁଟିଆ ଲୋକମାନେ ମିଳିତ ଭାବରେ ଆରାଧନା କଲେ । ଦୋରଜେ-ଲିଙ୍ଗ ସେହି ସ୍ଥାନକୁ ୧୭୮୮ ମସିହାରେ ଗୁର୍ଖା ସୈନିକମାନେ ଅଧିକାର କରି ମୋନାଷ୍ଟେରି ନଷ୍ଟ କରିଦେଲେ ଓ ସମୟକ୍ରମେ ସେହି ସ୍ଥାନଟି ଅଧିକାଂଶ ନେପାଳୀ ହିନ୍ଦୁ ସମ୍ପ୍ରଦାୟଙ୍କର ପବିତ୍ର ସ୍ଥାନ ହୋଇଗଲା । କିମ୍ବଦନ୍ତୀ ଅନୁସାରେ ୧୭୮୨ ମସିହାରେ ସେଠାରେ ତିନୋଟି ଶିବ ଲିଙ୍ଗ ତିଆରି ହୋଇଥିଲା ଯାହା ବ୍ରହ୍ମା ବିଷ୍ଣୁ ଓ ଶିବ ଲିଙ୍ଗକୁ ସୂଚିତ କରେ । ଉକ୍ତ ମୋନାଷ୍ଟେରି ୧୮୧୫ ମସିହାରେ ଆଙ୍ଗ୍ଲୋ-ନେପାଳୀ ଆକ୍ରମଣରେ ଲୁଟ ହୋଇଥିଲା । ପରବର୍ତ୍ତୀ ସମୟରେ ୧ ମାଇଲ ଦୂରକୁ ଏହା ଭୁଟିଆ ବୁସତି ନାମକ ସ୍ଥାନକୁ ଉଠେଇ ନିଆଗଲା । ଏହାକୁ ଭୁଟିଆ ବୁସତି ମୋନଷ୍ଟେରି କୁହାଗଲା । ଏହି ମନ୍ଦିରକୁ ଲୋକମାନେ ବହୁତ ସମ୍ମାନ ଦିଅନ୍ତି ଓ ଧାର୍ମିକ ଲୋକମାନେ ସେଠାରେ ପୂଜା କରନ୍ତି । କିମ୍ବଦନ୍ତୀ ଅନୁସାରେ ଦୋରଜେ-ଲିଙ୍ଗ ମୋନାଷ୍ଟେରି ସ୍ମରଣରେ ଦାର୍ଜିଲିଙ୍ଗ ନାମ କରଣ ହୋଇଛି ।

ମହାକାଳ ମନ୍ଦିରର ମୁଖ୍ୟ ଦେବତା ହେଉଛନ୍ତି ଶିବ । ତାଙ୍କ ଦର୍ଶନ ପାଇଁ ଜାତି ଧର୍ମ ନିର୍ବିଶେଷରେ ସବୁ ଭକ୍ତ ସେଠାକୁ ଯାଆନ୍ତି । କେତେକ ତୀର୍ଥ କରିବା ଆଶାରେ ଓ ଆଉ କେତେକ ବୁଲିବା ନିମନ୍ତେ ଯାଆନ୍ତି । ସେଠାକୁ ଯିବା ରାସ୍ତା ଦୁଇ ପାଖରେ ଓ ମନ୍ଦିର ପାଖରେ ଘଣ୍ଟି ଓ ରଙ୍ଗୀନ ପତାକା ବନ୍ଧା ହୋଇଥିବା ଦେଖାଯାଏ । ସୁନା ଛାଉଣି ହୋଇଥିବା ତିନି ଲିଙ୍ଗ ତିନି ଠାକୁର ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର ସୂଚନା ଦିଏ । ଲିଙ୍ଗ ପାଖରେ ଗୌତମ ବୁଦ୍ଧଙ୍କର ବିଗ୍ରହ ଅଛି । ହିନ୍ଦୁ ପୁରୋହିତ ଓ ବୌଦ୍ଧ ପୂଜକ ଏକା ସମୟରେ ପୂଜା ପାଠ କରନ୍ତି । ମନ୍ଦିର ପରିସରରେ ଏକ ଧଳା ସ୍ତୂପ ଅଛି ଯେଉଁଠାରେ ମନ୍ଦିରର ମୂଳ ନିର୍ମାତା ଲାମା ଡୋରଜେ ରିନଜିଙ୍ଗ ମହାଶୟଙ୍କ ଭଗ୍ନ ସ୍ତୂପ ଅଛି । ଏହା ବ୍ୟତୀତ ଅନ୍ୟାନ୍ୟ ଛୋଟ ମନ୍ଦିରମାନଙ୍କରେ କାଳୀ, ଦୂର୍ଗା, ସାତ କନ୍ୟା ଭଗବତୀ ଦେବୀ, କୃଷ୍ଣ, ରାମ, ସାଇ ବାବା, ହନୁମାନ, ପାର୍ବତୀ, ରାଧା ଓ ଅନ୍ୟାନ୍ୟ ଦେବ ଦେବୀଙ୍କର ବିଗ୍ରହ ରହିଛି ।

Comments are closed.