Latest Odisha News

ମହାନଦୀ ବିବାଦରେ ପଡିବ କି ପୂର୍ଣ୍ଣଚ୍ଛେଦ? କ’ଣ କହିଲେ ମୁଖ୍ୟମନ୍ତ୍ରୀ….

ଭୁବନେଶ୍ବର: ମହାନଦୀ ବିବାଦ ଆଜିର କି କାଲିର ନୁହେଁ, ଏ ବିବାଦ ଅନେକ ବର୍ଷ ଧରି ଓଡିଶାବାସୀଙ୍କ ପାଇଁ କାଳ ସାଝିଛି । ଛତିଶଗଡ ପାଣି ଛାଡୁଛି, ଯାହା ଓଡିଶା ଦେଇ ପ୍ରବାହିତ ହେଉଛି । ଫଳରେ ଖରା ଦିନ ଆସିଲା ଯେମିତି ପାଣି ପାଇଁ ଆଁ କରୁଛି ମହାନଦୀ । ଆଉ ବର୍ଷା ଦିନ ହେଲେ କୂଳ ଲଘୁଂଛି । ବର୍ଷ ବର୍ଷ ହେବ ଏହି ବିବାଦ ରାଜ୍ୟ ଓ ପଡୋଶୀ ଛତିଶଗଡ ମଧ୍ୟରେ ଚାଲି ଆସିଛି ।

କିନ୍ତୁ ଏଥର ପଟ ପରିବର୍ତ୍ତନ ହୋଇଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହି ସମସ୍ୟାରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ବିରୋଧୀ ଜୋର ଦାବି କରିଥିଲେ । କାରଣ କେନ୍ଦ୍ର ଏବଂ ଉଭୟ ରାଜ୍ୟରେ ବିଜେପିର ଟ୍ରିପଲ ଇଂଜିନ୍ ସରକାର । ହେଲେ ଏବେ ବି ସେ ସମସ୍ୟା ମୁଣ୍ଡ ଟେକିଥିବା ବେଳେ ଏହାକୁ ନେଇ ପ୍ରଥମ ଥର ପାଇଁ ବଲାଙ୍ଗୀର ଗସ୍ତରେ ଯାଇଥିବା ବେଳେ ମତ ରଖିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଥର ଆଲୋଚନା ହୋଇଛି । ଜଳ ବିବାଦ ପ୍ରସଙ୍ଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି । ଆଗାମୀ ଦିନରେ ମହାନଦୀ ଉପରେ ପ୍ରସ୍ତାବିତ ପ୍ରକଳ୍ପ ତ୍ବରାନ୍ବିତ ପାଇଁ ବିଚାର ଚାଲିଛି, ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଅନେକବର୍ଷ ଧରି ଓଡ଼ିଶା ଓ ପଡୋଶୀ ଛତିଶଗଡ଼ ମଧ୍ୟରେ ପାଣିକୁ ନେଇ ଚାଲିଥିବା ଏହି ବିବାଦ ଚାଲିଆସିଛି । ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ ମନ୍ତ୍ରାଳୟଙ୍କ ଦ୍ଵାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ମଧ୍ୟ ଗଠନ କରାଯାଇଥିଲା । କିନ୍ତୁ ଟ୍ରିବ୍ୟୁନାଲର ଗଠନକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ବିବାଦର ଅନ୍ତ ଘଟୁନାହିଁ। ଏସବୁ ଭିତରେ ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମହାନଦୀ କ୍ଷେତ୍ର ପରିଦର୍ଶନ କରିଥିଲେ । ହେଲେ କିଛି ସୁଫଳ ମିଳିଲା ନାହିଁ । ସେପଟେ ମହାନଦୀ ଜଳ ବିବାଦର ବଡ଼ ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡ଼ିଥାଏ । ଖରା ଦିନେ ହୀରାକୁଦ ଜଳଭଣ୍ଡାରର ଜଳ ଆବଶ୍ୟକ ଠାରୁ ଅଧିକ ହ୍ରାସ ପାଇଥାଏ । ତେବେ ଦେଖାଯାଉ କେବେ ଏହି ବାବଦ ତୁଟୁଛି ।

Comments are closed.