Latest Odisha News

BREAKING NEWS

ଫୁଲୁଛି ମହାନଦୀ, କୂଳ ଛୁଇଁଲାଣି ବନ୍ୟା ପାଣି

ଭୁବନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛି । ମୋଟ ୨୦ ଗେଟ୍ ଦେଇ ପାଖାପାଖି ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଫୁଲିଛି ମହାନଦୀ । ତଳିଆ ଅଞ୍ଚଳରେ ମହାନଦୀ ପାଣି ସ୍ତର ବଢିବାରୁ ବିଲ ବାଡି ଚାରିଆଡେ ପାଣିଜମି ବନ୍ୟା ଭଳି ସ୍ଥିତି ସୃଷ୍ଟି କରିଛି । ଅନୁଗୋଳ ଜିଲାର ଆଠମଲ୍ଲିକଠାରେ ମହାନଦୀ ପାଣି ଦୁଇ କୂଳକୁ ଛୁଇଁଛି l ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନ ଥିଲେ ମଧ୍ୟ ପାଣି ଦେଖି ବନ୍ୟା ନେଇ ଲୋକଙ୍କ ମନରେ ଛନକା ପଶିଛି ।

ସେହିପରି ମହାନଦୀର ସ୍ତର ବୃଦ୍ଧି ହେଉଥିବା କାରଣରୁ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଗୁଡିକରେ ବନ୍ୟା ଭଳି ସ୍ଥିତି ଦେଖାଦାଇଛି । ଏହା ସହିତ ବୈତରଣୀ ନଦୀ ଫୁଲୁଛି । ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଏହାର ତଳମୁଣ୍ଡ ଆଖୁଆପଦାରେ ଜଳସ୍ତର ବଢିବାରେ ଲାଗିଛି । ଏଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଜଳସ୍ତର ୧୭. ୨୪ରେ ପହଞ୍ଚିଲାଣି । ଯାହା ଏବେ ବନ୍ୟା ଆଶଙ୍କା ସୃଷ୍ଟି କରିଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ଏହାର ପ୍ରଭାବ ବୌଦ୍ଧ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ମହାନଦୀ ଜଳସ୍ତର ବୃଦ୍ଧି ହେବାରୁ ବୌଦ୍ଧ-ହରଭଙ୍ଗା ରାସ୍ତାର ଜଗନ୍ନାଥ ସଡ଼କ ଉପରେ ବନ୍ୟା ପାଣି ଚାଲୁଛି । ଏନେଇ ହରଭଙ୍ଗା ବ୍ଲକର ତଲିଆ ଅଞ୍ଚଳ ଜଳବନ୍ଦୀ ହେବା ଆଶଙ୍କା ଦେଖାଦେଇଛି । ତେବେ ଜିଲ୍ଲା ପ୍ରଶାସନ ସଜାଗ ରହିବା ସହିତ ଓଡ୍ରାପ ଏବଂ ଅଗ୍ନିଶମବାହିନୀ ମଧ୍ୟ ମୃତୟନ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସକ ।

ତେବେ ହୀରାକୁଦ ଜଳ ଛାଡିଥିବାରୁ ଅନେକ ସ୍ଥାନରେ ଏଭଳି ସ୍ଥିତି ଉପୁଜିଛି । ସେପଟେ ମାଲକାନଗିରିରେ ମଧ୍ୟ ଲଗାଣ ବର୍ଷା କାରଣରୁ ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ରାସ୍ତାଘାଟ, ପୋଲ ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ତଳି ଅଞ୍ଚଳରେ ଚାଷ ଜମିରେ ପାଣି ପଶିଛି ।

Comments are closed.